ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଖାଆନ୍ତୁ ଏଇ ଦଶଟି ଜିନିଷ

ମୁଖବ୍ରଣର ସିଧାସଳଖ ଚିକିତ୍ସା ପାଇଁ ସାଧାରଣତଃ କୌଣସି ଔଷଧ ନାହିଁ। ତା’ଛଡ଼ା କୌଣସି ଚିକିତ୍ସା ନ କରି ସେମିତି ଛାଡ଼ି ଦେଲେ ବ୍ରଣ ବିସର୍ପି ଯାଇ ଅଧିକ ସମସ୍ୟା ସୃଷ୍ଟି କରେ। ଏଥିରୁ ମୁକ୍ତି ପାଇବାକୁ ଡାକ୍ତରଙ୍କ ପରାମର୍ଶ କରିବା ସହ ଖାଦ୍ୟପାନୀୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ସେ ଭଳି ଦଶଟି ଖାଦ୍ୟପଦାର୍ଥର ତାଲିକା ପ୍ରସ୍ତୁତ କରାଯାଇଛି। ସେଥିରୁ କିଛି କିଛି ଖାଇବା ବ୍ରଣର ଉପସମ ପାଇଁ ଉତ୍ତମ।

ଅକାଣ୍ଡିଆ ଚାଉଳ: ଭିଟାମିନ୍‌ ବି, ପୁଷ୍ଟିସାର, ମ୍ୟାଗ୍ନେସିୟମ୍‌ ଏବଂ କେତେକ ଆଣ୍ଟିଅକ୍ସିଡେଣ୍ଟ୍‌ର ଉତ୍ତମ ଉତ୍ସ ହେଉଛି ଅକାଣ୍ଡିଆ ଚାଉଳ। ଏଥିରେ ଥିବା ଭିଟାମିନ୍‌ ବି ହର୍‌ମୋନ୍‌ ସ୍ତର ନିୟନ୍ତ୍ରଣ କରି ବ୍ରଣ ବାହାର କରାଇ ଦିଏ ନାହିଁ।

ପାନମହୁରି କନ୍ଦା: ପ୍ରାକୃତିକ ଉପାୟରେ ଚର୍ମ ପରିଚ୍ଛନ୍ନ ରଖିବାକୁ ପାନମହୁରି କନ୍ଦା ଖାଆନ୍ତୁ। ଏହି ଚେରଜାତୀୟ ପରିବା ହଜମ ବଢ଼ାଇବା ସହ ଚର୍ମରୁ ଫୁଲା କମାଇବ, ମାତ୍ରାଧିକ ତରଳ ପଦାର୍ଥ ନିଷ୍କାସନ କରିବ ଓ ବ୍ୟାକ୍ଟେରିଆଜନିତ ବିଷ କ୍ଷୟ କରିବ।

ରସୁଣ: ସଂକ୍ରମଣ ବିରୋଧରେ ଲଢ଼େଇ ପାଇଁ ରସୁଣ ଅନ୍ୟତମ ସୁପର୍‌ଫୁଡ୍‌। ଏଥିରେ ଭରି ରହିଥାଏ ସ୍ୱାଭାବିକ ଭାବେ ସୃଷ୍ଟ ଆଲିସିନ୍‌ ନାମକ ରାସାୟନିକ ପଦାର୍ଥ। ତାହା ଶରୀର ମଧ୍ୟରୁ ମାରାତ୍ମକ ଅଣୁଜୀବ ଓ ଭୂତାଣୁ ନାଶ କରି ବ୍ରଣ ସଂକ୍ରମଣ କମାଇ ଦେଇଥାଏ।

ଗଜା ମେଥି: ଘାସ ପରି ଦିଶିଲେ ବି ମେଥି ଗଜାରେ ଚର୍ମ ଶୋଧନ ପାଇଁ ଏଥିରେ ବହୁ ପୋଷକ ତତ୍ତ୍ୱ ରହିଛି। ବ୍ରଣ ସଂକ୍ରମଣ ଉପସମ କରିବାକୁ ଏଥିରେ ଜୀବନ୍ତ ଏନ୍‌ଜାଇମ୍‌ ମଧ୍ୟ ରହିଛି।

ବ୍ରୋକୋଲି: ଚର୍ମ ଶୋଧନ ପାଇଁ ବ୍ରୋକୋଲି ସର୍ବୋତ୍ତମ। ଏଥିରେ ରହିଛି ଏ, ବି କମ୍ପ୍ଲେକ୍‌ସ୍‌, ସି, ଇ ଏବଂ କେ ଭଳି ଭିଟାମିନ୍‌। ଏହା ଚର୍ମର କ୍ଷତ ପୂରଣ କରି କାନ୍ତି ବଢ଼ାଇ ଥାଏ।

ମାଛ: ଓମେଗା-୩ ଏବଂ ୬ ଫ୍ୟାଟି ଏସିଡ୍‌ର ଉତ୍ତମ ଉତ୍ସ ବୋଲି କୁହାଯାଉଥିବା ମାଛ ବ୍ରଣ ପାଇଁ ମହାର୍ଗ। ଏହି ଏସିଡ୍‌ ଚର୍ମରୁ ସଂକ୍ରମଣ କମାଇ ଦିଏ। ସାର୍ଡାଇନ୍‌ ଓ ସାଲ୍‌ମନ୍‌ ଭଳି ସମୁଦ୍ର ମାଛ ଚର୍ମ ପାଇଁ ଭଲ।

ବାଦାମମଞ୍ଜି: ଜିଙ୍କ୍‌ ଓ ସେଲିନିୟମ୍‌ ଭଳି ଖନିଜ ପଦାର୍ଥ ଅଭାବ ବ୍ରଣର କାରଣ ସହ ସମ୍ପୃକ୍ତ। ବିଭିନ୍ନ ପ୍ରକାର ବାଦାମଜାତୀୟ ମଞ୍ଜିରେ ସେଲିନିୟମ୍‌, ଭିଟାମିନ୍‌-ଇ, କପର୍‌, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ପଟାସିୟମ୍‌, କାଲ୍‌ସିୟମ୍‌ ଏବଂ ଆଇରନ୍‌ ଥିବାରୁ ଏହା ଚର୍ମକୁ ସୁସ୍ଥ ରଖିବା ପାଇଁ ଅତ୍ୟାବଶ୍ୟକ।

ସବୁଜା ଚା: ସବୁଜ ଚା ବ୍ରଣନାଶକ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଦିନ ତମାମ ବହୁ ଥର ସବୁଜ ଚା ପିଅନ୍ତୁ। ଚା’ରେ କପଡ଼ା ବୁଡ଼ାଇ ମୁହଁରେ ବ୍ରଣ ଉଠିଥିବା ଜାଗାରେ ୧୦ ରୁ ୧୫ ମିନିଟ୍‌ ଧରି ସେ କପଡ଼ା ଥାପି ରଖନ୍ତୁ।

ଲାଲ୍‌ ଅଙ୍ଗୁର: ଏହି ଫଳର ମଞ୍ଜିରେ ଥାଏ ସୋରିଆସିସ୍‌ ଏବଂ ଏକ୍‌ଜିମା ଉପସମ କରୁଥିବା ଶକ୍ତିଶାଳୀ ପ୍ରାକୃତିକ ରାସାୟନିକ ଓ ଆଣ୍ଟିଅକ୍ସିଡେଣ୍ଟ୍‌। ଏହାଛଡ଼ା ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ହୋଇଥିବା ଚର୍ମ ସଂକ୍ରମଣ ମଧ୍ୟ ଅଙ୍ଗୁର ଆରୋଗ୍ୟ କରିଥାଏ।

ଭିଟାମିନ୍‌ ଏ ଓ କ୍ୟାରୋଟିନ୍‌: ବ୍ରଣ ସଂକ୍ରମଣ ଉପଚାର ନିମନ୍ତେ କ୍ୟାରୋଟିନ୍‌ ବ୍ୟବହାର କରାଯାଏ। ଗାଜର, ପାଳଙ୍ଗ, ଆମ୍ବ, ଅମୃତଭଣ୍ଡା, ପରିବା ଝୋଳ, କଞ୍ଚାମଟର, ଟମାଟୋ ରସରେ ବିପୁଳ ପରିମାଣରେ ଭିଟାମିନ୍‌ ଏ ଏବଂ କ୍ୟାରୋଟିନ୍‌ ଥାଏ। ପିଚ୍‌ ଏବଂ ଲାଲ୍‌ ଶିମଳା ଲଙ୍କାରେ ମଧ୍ୟ କିଛି ପରିମାଣରେ କ୍ୟାରୋଟିନ ରହିଛି।

 

ସମ୍ବନ୍ଧିତ ଖବର