ବିଗତ କିଛି ବର୍ଷ ମଧ୍ୟରେ ମଦ ନିଶା ଏକ ଜଟିଳ ସାମାଜିକ ସମସ୍ୟାରେ ପରଣିତ ହୋଇଯାଇଛି। ଅନେକ ଲୋକ ମଦ ନିଶା କରିବାକୁ ଏକ ବ୍ୟାବହାରିକ ସମସ୍ୟା ବୋଲି ଭାବିଥା’ନ୍ତି। ମାତ୍ର ବୈଜ୍ଞାନିକମାନଙ୍କ ମତରେ ଏହା ଏକ ରୋଗ ଅଟେ। ତେଣୁ ଏହାର ସଠିକ ଚିକିତ୍ସା କରିବା ଜରୁରୀ। ବିଗତ କିଛିବର୍ଷ ମଧ୍ୟରେ ମଦ ନିଶାର ଚିକିତ୍ସା ନିମନ୍ତେ ଆଧୁନିକ ଓ ଉନ୍ନତ ପଦ୍ଧତି ମାନ ବ୍ୟବହାର କରାଗଲାଣି ଯାହାଫଳରେ ଅନେକ ରୋଗୀ ମଦ ନିଶାର ଜାଲରୁ ମୁକ୍ତି ପାଇପାରୁଛନ୍ତି। ଯେଉଁମାନେ ଜୀବନର ସାମାନ୍ୟ ଅସୁବିଧାରେ ନିରାଶ ହୋଇ ଯାଆନ୍ତି ଓ ଭାଙ୍ଗି ପଡନ୍ତି ସେମାନେ ମଦ ନିଶା କରିବାର ଅଧିକ ସମ୍ଭାବନା ଥାଏ। ଗବେଷଣାରୁ ଜଣାପଡ଼ିଛି। ଯେଉଁ ମାତାପିତାମାନେ ମଦ ନିଶା ସେବନ କରିଥା’ନ୍ତି ସେମାନଙ୍କର ପିଲାମାନେ ମଧ୍ୟ ମଦ ସେବନ କରିବାର ଅଧିକ ସମ୍ଭାବନା ଥାଏ। ଏଥିନିମନ୍ତେ ଜିନ୍‌ଗତ ଓ ପାରିପାର୍ଶ୍ବିକ କାରଣ ଉଭୟ ଦାୟୀ ଅଟେ।

Advertisment

publive-image

ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ: ବାରମ୍ବାର ମଦ ନିଶା ସେବନ ଦ୍ବାରା ଶାରୀରିକ ଓ ମାନସିକସ୍ତରରେ ପ୍ରଭାବ ପଡ଼ିଥାଏ।
ଫଳରେ, ମନରେ ଆସକ୍ତି ଭାବ ସୃଷ୍ଟି ହୁଏ, ନିଦ ହୁଏ ନାହିଁ, ହାତ-ଗୋଡ ଥରେ, ବ୍ୟସ୍ତ-ବିବ୍ରତ-ଛାନିଆ ଲାଗେ, ଛାତି ଜୋରରେ ଧଡ଼ଧଡ଼ ହୁଏ, ଅତ୍ୟଧିକ ଝାଳ ବୁହେ ଓ ବାନ୍ତି ହୁଏ। ଏହି ଲକ୍ଷଣଗୁଡିକ ସାଧାରଣତଃ ୩ ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହେ। ଅଧିକ ଦିନ ପର୍ଯ୍ୟନ୍ତ ମଦ ସେବନ କଲେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଯାଇଥାଏ। ଏଗୁଡିକ ହେଲା, ଯକୃତଜନିତ ରୋଗ (ଜଣ୍ଡିସ, ସିରୋସିସ), ପାନକ୍ରିୟାଜନିତ ରୋଗ,ବିଭିନ୍ନ କ୍ୟାନସର (ଯକୃତ,ପାକସ୍ଥଳୀ କ୍ୟାନସର), ବିଭିନ୍ନ ସ୍ନ୍ୟାୟୁଜନିତ ସମସ୍ୟା ଯଥା; ଗୋଡ଼-ହାତ ଦୁର୍ବଳ ହୋଇଯିବା ଓ ଛୁଞ୍ଚି ଫୋଡି ହୋଇଗଲା ଭଳି ଲାଗିବା ଓ ମାଂସପେଶୀ ଦୁର୍ବଳ ହୋଇଯିବା ଆଦି। ଏସବୁ ଲକ୍ଷଣ ଆରମ୍ଭ ହେଲେ ଚିକିତ୍ସା ଦ୍ବାରା ସୁଫଳ ମିଳବାର ସମ୍ଭାବନା କମ୍‌ ଥାଏ।

ଚିକିତ୍ସା: ମଦ ନିଶାର ଚିକିତ୍ସା ନିମନ୍ତେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ। ମଦ ନିଶା କରୁଥିବା ବ୍ୟକ୍ତି ଅନେକ ପ୍ରକାରର ହୋଇଥାନ୍ତି। ଏକପ୍ରକାରର ଲୋକ ହେଲେ ଯେଉଁମାନେ ମଦର ଦେହ ଉପରେ କୁପ୍ରଭାବ ଜାଣି ମଧ୍ୟ ମଦ ଛାଡ଼ିବାକୁ ଚାହାନ୍ତି ନାହିଁ। ଅନ୍ୟ କିଛିଲୋକ ଅଛନ୍ତି, ଯେଉଁମାନେ ମଦ ଛାଡିବାକୁ ଚାହାନ୍ତି, ମାତ୍ର ମଦ ଛାଡିଲେ ଯେଉଁ ଯନ୍ତ୍ରଣା ହୁଏ ତାକୁ ସହ୍ୟ କରି ନ ପାରି ନିଶା ସେବନ ଅବ୍ୟାହତ ରଖିଥା’ନ୍ତି। ତେବେ, କେଉଁ ବ୍ୟକ୍ତିକୁ କି ପ୍ରକାରର ଚିକିତ୍ସା ଦିଆଯିବ ତାହା ବ୍ୟକ୍ତି ଉପରେ ନିର୍ଭର କରିଥାଏ। ଚିକିତ୍ସା ପାଇଁ ପ୍ରଥମତଃ ରୋଗୀର ନିଶା ଛାଡ଼ିବାର ଦୃଢ ଇଚ୍ଛାଶକ୍ତି ଜରୁରୀ ଅଟେ। ରୋଗୀର ବିନା ଇଛାଶକ୍ତିରେ ଯେତେ ଚିକିତ୍ସା କରାଇଲେ ମଧ୍ୟ ଏହା ସଫଳ ହୋଇ ନ ଥାଏ। ମଦ ନିଶା ଛାଡିବା ପାଇଁ ଔଷଧ, ମନସ୍ତାତ୍ତ୍ବିକ ଚିକିତ୍ସା ଓ ବ୍ୟାବହାରିକ ଚିକିତ୍ସା ଦରକାର ପଡିଥାଏ। ମଦ ଛାଡିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖାଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ଔଷଧ ବ୍ୟବହାର କରାଯାଇଥାଏ।

ଏହା ସହିତ ମଦ ପିଇବାକୁ ଇଚ୍ଛା ନହେବା ପାଇଁ ଅନ୍ୟ କେତେକ ଔଷଧ ରହିଛି ଯାହା ଅତ୍ୟନ୍ତ ଆବଶ୍ୟକ ଅଟେ। କେତେକ ଔଷଧ ଅଛି ଯାହାର ବ୍ୟବହାର କଲେ ଯଦି ବ୍ୟକ୍ତି ମଦ ସେବନ କରେ ତେବେ ବ୍ୟକ୍ତିଠାରେ ଅନେକ ପ୍ରତିକ୍ରିୟା ଦେଖାଯାଏ। ଯାହାଫଳରେ ରୋଗୀ ଆଉ ମଦ ସେବନ କରେ ନାହିଁ। ତେଣୁ ମଦ ସେବନ ବନ୍ଦ ପାଇଁ କେଉଁ ପ୍ରକାରର ଔଷଧ ବ୍ୟବହାର କରିବାର ଅଛି ତାହା ରୋଗୀର ଅବସ୍ଥା ଉପରେ ନିର୍ଭର କରିଥାଏ। ବେଳେବେଳେ ଦରକାର ପଡ଼ିଲେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥାଏ। ଔଷଧ ସହିତ ରୋଗୀକୁ ମନସ୍ତାତ୍ତ୍ବିକ ଚିକିତ୍ସା ବା କାଉନ୍‌ସେଲିଂ ଦରକାର ପଡିଥାଏ । ଚିକିତ୍ସା ପରେ ପୁଣି ମଦ ପିଇବାକୁ ଇଚ୍ଛା ହେଲେ ରୋଗୀ କିପରି ନିଜ ମନକୁ ନିୟନ୍ତ୍ରଣ କରିବ ସେ ନେଇ ରୋଗୀକୁ କାଉନ୍‌ସେଲିଂ କରାଯାଏ। ଏହାସହ ରୋଗୀକୁ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକ ପଡ଼ିଥାଏ। ଉପଯୁକ୍ତ ନିଦ୍ରା, ସୁଷମ ଖାଦ୍ୟ, ମାନସିକ ଚାପରୁ ଦୂରେଇ ରହିବା, ନିଜ ମନକୁ ଦୃଢ ଓ ଶାନ୍ତ ରଖିବା, ଶାରୀରିକ ବ୍ୟାୟମ ଓ ଯୋଗ ଅଭ୍ୟାସ ଆଦି ମଦ ନିଶାଠାରୁ ଦୂରେଇ ରହିବାରେ ସହାୟକ ହୋଇଥାଏ।