ସ୍କ୍ରବ ଟାଇଫସ୍‌ ନେଇ ଏମ୍‌ସ ମେଡିସିନ ବିଭାଗ ମୁଖ୍ୟଙ୍କ ପରାମର୍ଶ: ବିଲବାଡ଼ିରେ ଖାଲି ପାଦ, ଦେହରେ କାମ କରନ୍ତୁ ନାହିଁ

ଡାକ୍ତର ଅନୁପମ ଦେ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଲବାଡ଼ିରେ ମାକ କରୁଥିବା ଲୋକ ପ୍ରାୟତଃ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଏଥିଯୋଗୁଁ ମୃତ୍ୟୁ ଘଟୁଛି। ସାମାନ୍ୟ ସାବଧାନ ହେଲେ ବଡ଼ ବିପଦରୁ ରକ୍ଷା ମିଳିପାରିବ। ତେଣୁ ସ୍କ୍ରବ ଟାଇଫସରୁ ମୁକ୍ତି ପାଇଁ ଖାଲିପାଦ ଓ ଦେହରେ ବିଲବାଡ଼ିରେ କାମ କରନ୍ତୁ ନାହିଁ। ସ୍କ୍ରବ୍ ଟାଇଫସର କାରଣ, ଲକ୍ଷଣ ଏବଂ ନିରାକରଣ ସଂପର୍କରେ ଆଲୋଚନା କରିଛନ୍ତି ଏମ୍‌ସ ଭୁବନେଶ୍ବରର ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଅନୁପମ ଦେ।

ସ୍କ୍ରବ ଟାଇଫସ କେମିତି ହୁଏ?
ବିଲବାଡ଼ି ଏବଂ ଗଛରେ ହାଉସ ମାଇଟ ପୋକ ଦେଖାଯାଇଥାନ୍ତି। ଏହା କାମୁଡ଼ିଲେ ଶରୀର ସଂକ୍ରମିତ ‌ହୋଇ ସ୍କ୍ରବ ଟାଇଫସ୍ ହୁଏ। ନଦୀକୂଳ କିମ୍ବା ଆବର୍ଜନାମୟ ସ୍ଥାନରେ ହାଉସ ମାଇଟ ରହିବାକୁ ସୁଯୋଗ ପାଏ। ମୂଷାର ଶରୀରରେ ମଧ୍ୟ ହାଉସ ମାଇଟ ଲାଗି ରହିଥାନ୍ତି। ଘରେ ମୂଷା ଥିଲେ ସାବଧାନ ହେବା ଉଚିତ। ସିଧାସଳଖ ମୂଷା ନ କାମୁଡ଼ିଲେ ମଧ୍ୟ ମୂଷା ଶରୀରରୁ ଏହା ମଣିଷ ଶରୀରର ସଂସ୍ପର୍ଶରେ ଆସି କାମୁଡ଼ି ପକାଏ।

ସ୍କ୍ରବ ଟାଇଫସର ଲକ୍ଷଣ କ’ଣ?
ହାଉସ ମାଇଟ କାମୁଡ଼ି ଥିଲେ, କାମୁଡ଼ିବା ସ୍ଥାନରେ ଅଲସର ହୋଇଯାଏ। ୬ରୁ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯିବା ଆରମ୍ଭ ହୁଏ। କମ୍ପ ସହିତ ଜ୍ବର ହେବା, ମୁଣ୍ଡବ୍ୟଥା, ଶରୀର କଷ୍ଟ ଅନୁଭବ, ବାନ୍ତି ଲାଗିବା ଏବଂ ଶରୀରର ବିଭିନ୍ନ ସ୍ଥାନରେ ଫଳି ଯିବା ପରି ଲକ୍ଷଣ ଦେଖାଯାଏ। ପରେ ସ୍ଥିତି ଜଟିଳ ହୁଏ। ବିଭିନ୍ନ ଅଙ୍ଗକୁ ସଂକ୍ରମିତ କରିବା ଆରମ୍ଭ କରେ। ଜଣ୍ଡିସ ହେବା ସହିତ ଲିଭର, କିଡନି, ହୃତପିଣ୍ଡକୁ ସଂକ୍ରମିତ କରିଥାଏ। କିଡନି ସଂକ୍ରମିତ ହେଲେ ପରିସ୍ରା କମିଯାଏ, କ୍ରିଏଟିନ ବଢ଼ିଯାଏ, ଖାଇବାକୁ ଇଚ୍ଛା ହୋଇ ନଥାଏ। ଫଳରେ ବାନ୍ତି ଲାଗେ। ଛାତିରେ ପାଣି ଜମା ହୋଇ ଫୁସ୍‌ଫୁସ୍‌ ପ୍ରଭାବିତ ହୁଏ। ସ୍କ୍ରବ ଟାଇଫସ ଯୋଗୁଁ ମସ୍ତିଷ୍କ ଜ୍ବର ମଧ୍ୟ ଦେଖାଯାଇପାରେ। ଏଥିରେ ରୋଗୀ ବାଉଳି ହେବା ସହ ବିଭିନ୍ନ ସମୟରେ ଅଚେତ ହୋଇଯାଆନ୍ତି। ମଧୁମେହ, କିଡନି ରୋଗ ପୀଡ଼ିତ, ଫୁସ୍‌ଫୁସ୍‌ ରୋଗ ପୀଡ଼ିତଙ୍କୁ ହାଉସ ମାଇଟ କାମୁଡ଼ିଲେ ସେମାନଙ୍କ ନିକଟରେ ଶୀଘ୍ର ଲକ୍ଷଣ ଦେଖାଯାଏ ଏବଂ ସ୍ଥିତି ଆହୁରି ଜଟିଳ ହୋଇପାରେ।

ଏହାର ଚିକିତ୍ସା ସମ୍ଭବ କି?
ସ୍କ୍ରବ ଟାଇଫସର ଚିକିତ୍ସା ସମ୍ଭବ। ଏଥିପାଇଁ ଔଷଧ ଏବଂ ଇଞ୍ଜେକସନ ରହିଛି। କେବଳ ଏମ୍‌ସ ନୁହେଁ ରାଜ୍ୟର ଯେକୌଣସି ଡାକ୍ତରଖାନାରେ ଏହାର ଚିକିତ୍ସା ସମ୍ଭବ। ଏହାକୁ ନେଇ ବେଶି ଭୟଭୀତ ହେବାର ଆବଶ୍ୟକତା ନାହିଁ। ଜଟିଳତା ନଥିଲେ ୭ ଦିନ ମଧ୍ୟରେ ବି ଜଣେ ସୁସ୍ଥ ହୋଇ ପାରିବେ।

ହାଉସ ମାଇଟ କାମୁଡ଼ିଲେ କେମିତି ଜଣାପଡ଼ିବ ଏବଂ ସ୍କ୍ରବ ଟାଇଫସ୍‌ର ନିରାକରଣ କ’ଣ?
ଏହି ପୋକ କାମୁଡ଼ିବା ନେଇ ଜାଣିବା ବହୁତ କଷ୍ଟକର। କାଖ, ପେଟ, ଛାତି, ପେଟ ଯେକୌଣସି ସ୍ଥାନରେ କାମୁଡ଼ି ପାରେ। ଏହା କାମୁଡ଼ିଲେ ସାମାନ୍ୟ କଷ୍ଟ ହେବ ଏବଂ ସେହି ସ୍ଥାନଟି କଳା ହୋଇଯାଇପାରେ। ନିଜେ ଜାଣିବା ଅପେକ୍ଷା ଘର ଲୋକ ଜାଣିପାରିବେ। ଖାଲି ପାଦ ଏବଂ ଖାଲି ଦେହରେ ବିଲବାଡ଼ି, ଜଙ୍ଗଲ ଏବଂ ବଗିଚାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏହି ପୋକ କାମୁଡ଼ିବାର ସର୍ବାଧିକ ଆଶଙ୍କା ରହିଛି। ତେଣୁ ଖାଲି ଦେହ ଓ ପାଦରେ ଚାଲିବା ଉଚିତ ନୁହେଁ। ଏପରିକି ଯେଉଁ ବ୍ୟକ୍ତିମାନେ କ୍ଷେତରେ ଶୋଇ ପଡ଼ନ୍ତି ସେମାନଙ୍କ କ୍ଷେତ୍ରରେ ବିପଦ ଅଧିକ ଥାଏ। ସ୍କ୍ରବ ଟାଇଫସ୍‌ ଏମ୍‌ସ ପାଇଁ ନୂଆ ନୁହେଁ। ପ୍ରତିବର୍ଷ କେତେକ ପୀଡ଼ିତି ଏମ୍‌ସକୁ ଆସିଥାନ୍ତି। ତେବେ ମହାମାରୀ ଭଳି ଏକାସହିତ ଅନେକ ରୋଗୀ ଆସନ୍ତି ନାହିଁା ସାମାନ୍ୟ ଲକ୍ଷଣ ଥିଲେ ଓପିଡ଼ିରେ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ଚିକିତ୍ସିତ ହୁଅନ୍ତୁ।

ସମ୍ବନ୍ଧିତ ଖବର