ବୟସ ମାନିଛି ହାର ! ୭୨ ବର୍ଷରେ ରାଧାମଣି ଚଳାଉଛନ୍ତି ଲରି, ବସ୍‌, ଜେସିବି, କ୍ରେନ୍‌, ଟ୍ରେଲର,ରୋଡ୍‌ ରୋଲର୍‌ ଭଳି ୧୧ ପ୍ରକାରର ଭାରୀଯାନ

କୋଚି: ବୟସ ହାର ମାନିଛି କୋଚିର ୭୨ ବର୍ଷବୟସ୍କା ରାଧାମଣି ଆମ୍ମାଙ୍କ ନିକଟରେ। ୭୨ ବର୍ଷ ବୟସରେ ରାଧାମଣି ଚଳାଉଛନ୍ତି ଲରି, ବସ୍‌, ଜେସିବି, କ୍ରେନ୍‌, ଟ୍ରେଲର, ଫର୍କଲିଫ୍‌ଟ, ରୋଡ୍‌ ରୋଲର୍‌, ଦୁଇ ଚକିଆ ଯାନ, ଅଟୋ ଏବଂ ଅନ୍ୟ ଚାରି ଚକିଆ ଯାନ ସମେତ ୧୧ ପ୍ରକାରର  ଭାରୀଯାନ। ଗାଡ଼ି ଚଳାଇବା ପାଇଁ ତାଙ୍କ ନିକଟରେ ବିଧିବଦ୍ଧ ଲାଇସେନ୍‌ସ ମଧ୍ୟ ରହିଛି।

ଏହି ବିରଳ ସଫଳତାର ଅଧିକାରିଣୀ ହୋଇ କୋଚିର ଥୋପମ୍ପପାଡିର ରାଧାମଣି ଆମ୍ମା ପ୍ରମାଣିତ କରିଛନ୍ତି ଯେ ବୟସ କଦାପି କୌଣସି ଜିନିଷ ପାଇଁ ପ୍ରତିବନ୍ଧକ ନୁହେଁ। ୭୨ ବର୍ଷବୟସ୍କା ରାଧାମଣି ଆମ୍ମା ପ୍ରଥମେ ୧୯୮୧ରେ କାର ଚଳାଇବା ଶିଖିଥିଲେ, ଯାହା କେବଳ ଆରମ୍ଭ ଥିଲା। ପରେ ତାଙ୍କ ଜୀବନ ଡ୍ରାଇଭିଂ କ୍ଷେତ୍ରରେ ଶିଖର ଛୁଇଁବା ସହ ତାଙ୍କର ଉଚ୍ଚ ସ୍ୱପ୍ନକୁ ସାକାର କରିଥିଲା। ସେ ଲରି, ବସ୍‌, ଜେସିବି, କ୍ରେନ୍‌, ଟ୍ରେଲର, ଫର୍କଲିଫ୍‌ଟ, ରୋଡ୍‌ ରୋଲର୍‌, ଦୁଇ ଚକିଆ ଯାନ, ଅଟୋ ଏବଂ ଶେଷରେ ପେଟ୍ରୋଲିୟମ ଉତ୍ପାଦ ପରିବହନ କରୁଥିବା ବିପଦଜନକ ଯାନ ଚଳାଇବା ପାଇଁ ଲାଇସେନ୍‌ସ ଅର୍ଜନ କରିଥିଲେ।

୧୯୮୧ରେ ତାଙ୍କ ସ୍ୱାମୀ ଲାଲାନ ତାଙ୍କୁ ଗାଡି ଚଳାଇବା ଶିଖିବାକୁ ପ୍ରେରଣା ଦେବା ପରେ ରାଧାମଣିଙ୍କର ଏହି ଯାତ୍ରା ଆରମ୍ଭ ହୋଇଥିଲା। ତାଙ୍କ ସ୍ୱାମୀ ୧୯୭୦ ଦଶକରେ କୋଚିରେ ଏ-ଜେଡ୍‌ ନାମରେ ଏକ ଡ୍ରାଇଭିଂ ସ୍କୁଲ ଚଳାଉଥିଲେ। ୨୦୦୪ରେ ତାଙ୍କର ମୃତ୍ୟୁ ପରେ, ଏହାକୁ ବର୍ତ୍ତମାନ ରାଧାମଣି ଏବଂ ତାଙ୍କ ପିଲାମାନେ ଚଳାଉଛନ୍ତି।

ଏକ ସମୟରେ ଯେତେବେଳେ କେରଳରେ ଭାରୀଯାନ ପାଇଁ ଡ୍ରାଇଭିଂ ଲାଇସେନ୍‌ସ ପାଇବା ପାଇଁ କୌଣସି ତାଲିମ ଅନୁଷ୍ଠାନ ନଥିଲା, ସେତେବେଳେ ଆଇନଗତ ଯୁଦ୍ଧ ଲଢି ଏପରି ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ରାଧାମଣିଙ୍କ ସ୍ୱାମୀ। ରାଧାମଣି କହିଛନ୍ତି ଯେ ଭାରୀଯାନ ଚଳାଇବା ପାଇଁ ଲାଇସେନ୍‌ସ ପାଇବା ପାଇଁ ସେ କେରଳରେ ପ୍ରଥମ ତାଲିମ ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି।

ରାଧାମଣି କହନ୍ତି, ‘ମୁଁ ପ୍ରଥମେ ଏକ ଚାରିଚକିଆ ଯାନ ଚଳାଇବା ଆରମ୍ଭ କଲି। କାରଣ ମୋ ସ୍ୱାମୀ ଏଥିରେ ଆଗ୍ରହୀ ଥିଲେ। ପରେ, ଯେତେବେଳେ ଡ୍ରାଇଭିଂ ସ୍କୁଲ୍‌ ଆରମ୍ଭ ହେଲା, ଆମକୁ ଏକ ଭାରୀଯାନ ଲାଇସେନ୍‌ସ ଆବଶ୍ୟକ ହେଲା, ଏବଂ ଏହି କ୍ରମରେ ମୁଁ ଏହାକୁ ପାଇଲି। କେରଳରେ ଏକ ଭାରୀଯାନ ଡ୍ରାଇଭିଂ ସ୍କୁଲ ଖୋଲିବାରେ ମୁଁ ପ୍ରଥମ ବ୍ୟକ୍ତି। ଯେହେତୁ ଏହା ମୋ ନାମରେ ଆରମ୍ଭ ହୋଇଥିଲା। ରାଧାମଣି ଆମ୍ମା କହନ୍ତି, ମୁଁ ୨୦୧୪ରେ ରୋଡ୍‌ ରୋଲର୍‌, ଟ୍ରାକ୍ଟର, କ୍ରେନ୍‌ ଏବଂ ଫର୍କଲିଫ୍‌ଟ ଯାନ ଚଳାଇବା ପାଇଁ ଲାଇସେନ୍ସ ପାଇଲି।

ଚାରି ଦଶନ୍ଧି ପୂର୍ବେ, ତାଙ୍କୁ ଏ ପେସାରେ ଦେଖି ଲୋକେ ପରିହାସ କରୁଥିଲେ। କିନ୍ତୁ, ଆଜି, ଅନେକ ଲୋକ ତାଙ୍କ କାହାଣୀ ଶୁଣିବା ପରେ ତାଙ୍କୁ ଦେଖିବାକୁ ଆସଛନ୍ତି। ତାଙ୍କ ଜୀବନ ଆଜି ସେମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ରାଧାମଣି କହିଛନ୍ତି ଯେ ଜେସିବି ଚଳାଇବା ସବୁଠାରୁ କଷ୍ଟକର ଥିଲା। ଡ୍ରାଇଭିଂ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅନେକ ଚାକିରି ସୁଯୋଗ ଅଛି। ଏହା ସ୍ୱାଗତଯୋଗ୍ୟ ଯେ ଅନେକ ମହିଳା ଆଜି ଡ୍ରାଇଭିଂକୁ ଏକ ଉତ୍ସାହ ଭାବରେ ଗ୍ରହଣ କରୁଛିନ୍ତି। ଡ୍ରାଇଭିଂ କ୍ଷେତ୍ରରେ ଏକ ବଡ଼ ବିପ୍ଳବ ସୃଷ୍ଟି କରିବା ପରେ ରାଧାମଣି ଆମ୍ମା ବର୍ତ୍ତମାନ ଅଟୋମୋବାଇଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାଇବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର