ଖାଦ୍ୟ-ପାନୀୟକୁ ନିୟନ୍ତ୍ରଣରେ ରଖିବା ଆମ ପକ୍ଷେ ସଂଭବ। ତେବେ, ବାୟୁକୁ କେବେ ହେଲେ ନୁହେଁ। ପରିବେଶ, ବାତାବରଣ ଅନୁଯାୟୀ ଏହା ଆମକୁ ମିଳିଥାଏ। ମଣିଷ ଦିନରେ ପ୍ରାୟ କୋଡ଼ିଏ ହଜାର ଥର ପ୍ରଶ୍ୱାସ ଗ୍ରହଣ କରିଥାଏ। ନାକ ଘୋଡ଼ାଇଲେ ବି ପ୍ରଦୂଷଣ କବଳରୁ ବର୍ତ୍ତିବା କଷ୍ଟକର। ଆଜିକାଲି ଏଆର୍‌ କଣ୍ଡିସନର୍‌ର ବ୍ୟବହାର ବହୁତ ବଢ଼ିଛି। ବନ୍ଦ କୋଠରିରେ ସୂର୍ଯ୍ୟାଲୋକ ପଡ଼ୁନାହିଁ କି ମୁକ୍ତ ବାୟୁ ଚଳ-ପ୍ରଚଳ ହୋଇପାରୁନାହିଁ। ତେଣୁ, ଏ ଭଳି କୋଠରିରେ ଆମେ ବାସି ପବନ ହିଁ ପ୍ରଶ୍ୱାସରେ ଗ୍ରହଣ କରୁଛେ। ଏଆର୍‌ କଣ୍ଡିସନର୍‌ ଯୋଗୁଁ କୋଠରିରେ ଆର୍ଦ୍ରତା ବଢ଼େ। ଏହାର ଏକ ପରିଣାମ ସ୍ୱରୂପ ଜୀବାଣୁ ବି ବଢ଼ନ୍ତି। ପୁଣି, କୋଠରିରେ ମଶାଙ୍କୁ ତଡ଼ିବା ପାଇଁ ବ୍ୟବହୃତ ମାରାତ୍ମକ ରାସାୟନିକ, ସଫେଇ କାମରେ ଲାଗୁଥିବା ପଦାର୍ଥ, ରଙ୍ଗ, ଆସବାବପତ୍ର, ରନ୍ଧନରେ ବ୍ୟବହୃତ ଇନ୍ଧନ, ପୋଷା ପ୍ରାଣୀ ଆଦି ଯୋଗୁଁ ମଧ୍ୟ ବାୟୁ ପ୍ରଦୂଷିତ ହୁଏ। ତେଣୁ, ସତର୍କ ରହନ୍ତୁ।

Advertisment

ବନ୍ଦ ଘରେ ମହମବତି, ଲଣ୍ଠନ ଆଦି ଜଳାନ୍ତୁନାହିଁ। ରୋଷେଇ ଧୂମ ଶୀଘ୍ର ବାହାରକୁ ଯିବା ପାଇଁ ଏଗ୍‌ଜଷ୍ଟ୍‍ ଫ୍ୟାନ୍‌ ଲଗାନ୍ତୁ। ଅତ୍ୟାଧୁନିକ ଚିମିଣୀ ବ୍ୟବହାର କରନ୍ତୁ। ସର୍ବଦା ପ୍ଲାଜ୍‌ମାକ୍ଲଷ୍ଟର୍‌ ବୈଷୟିକ ଜ୍ଞାନ-କୌଶଳରେ ନିର୍ମିତ ଏଆର୍‌ କଣ୍ଡିସନର୍‌ ବ୍ୟବହାର କରନ୍ତୁ। ଏହା ଦୂଷିତ ବାୟୁ ନଷ୍ଟ କରିଥାଏ। ମଶା-ମରା ଔଷଧ ବ୍ୟବହାର କରନ୍ତୁନାହିଁ। ଏହା ପିଲା ତଥା ବୟସ୍କଙ୍କଠାରେ ବିଭିନ୍ନ ଶ୍ୱାସରୋଗ, ଆଲର୍ଜି, ବ୍ରୋଙ୍କାଇଟିସ୍‌ ସମସ୍ୟା ବଢ଼ାଏ। ଏଆର୍‌ ପ୍ୟୁରିଫାୟର୍‌ ବ୍ୟବହାର କରନ୍ତୁ। ଶୋଇବା ଘରେ ଅପରିଷ୍କାର ବେଡ୍‌ସିଟ୍‌, ତଉଲିଆ, ପୋଷାକ ରଖନ୍ତୁନାହିଁ।