ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଅନୁଯାୟୀ ବାୟୁ ପ୍ରଦୂଷଣ ପ୍ରତିବର୍ଷ ୭ ନିୟୁତ ଲୋକଙ୍କର ଅକାଳ ମୃତ୍ୟୁର କାରଣ ହୋଇଥାଏ ଏବଂ ସମୟ କ୍ରମେ ଆମର ଫୁସଫୁସ୍‌, ହୃତ୍‌ପିଣ୍ଡ ଓ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଖରାପ କରିଥାଏ। ୦.୦୧ ମାଇକ୍ରନରୁ ୩୦୦ ମାଇକ୍ରନ ପର୍ଯ୍ୟନ୍ତ କ୍ଷୁଦ୍ର କଣିକା ଆମର ରକ୍ତ ପ୍ରବାହରେ ପ୍ରବେଶ କରି ଫୁସଫୁସ୍‌ର ଗଭୀର ଭିତରକୁ ଯାଇପାରେ। ବାୟୁ ପ୍ରଦୂଷଣ ମଧ୍ୟ ମସ୍ତିଷ୍କରେ ପ୍ରଦାହ ସୃଷ୍ଟି କରିପାରେ। ‘ମୁଭମେଣ୍ଟ ଡିଜର୍ଡର୍ସ’ ନାମକ ଜର୍ଣ୍ଣାଲରେ ପ୍ରକାଶିତ ‘ବାୟୁ ପ୍ରଦୂଷଣ ଏବଂ ପାର୍କିନସନ୍ ରୋଗର ବିପଦ: ଏକ ସମୀକ୍ଷା’ ଶୀର୍ଷକ ଅଧ୍ୟୟନରେ ବାୟୁ ପ୍ରଦୂଷଣ କିପରି ପାର୍କିନସନ୍ସ ରୋଗ ହେବାର ଆଶଙ୍କା ବଢ଼ାଇଥାଏ ତାହା ଦର୍ଶାଯାଇଛି।

Advertisment

ବାୟୁ ପ୍ରଦୂଷଣର ଉପାଦାନ କିପରି ରକ୍ତ ପ୍ରବାହ କିମ୍ବା ନାକ ଦେଇ ନିଃଶ୍ୱାସ ନେବା ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚି ବିପର୍ଯ୍ୟୟ ସୃଷ୍ଟି କରିଥାଏ ସେ ବିଷୟରେ ଏହି ଅଧ୍ୟୟନରେ ଆଲୋଚନା କରାଯାଇଛି। ପ୍ରଦୂଷକ ଓ ବିଷାକ୍ତ ପଦାର୍ଥ ସ୍ନାୟୁ ପ୍ରଣାଳୀ ପାଇଁ କ୍ଷତିକାରକ ହୋଇପାରେ ଏବଂ ପ୍ରଦାହ ସୃଷ୍ଟି କରେ, ଯାହା ମସ୍ତିଷ୍କରେ ମିଳୁଥିବା ଏକ ପ୍ରୋଟିନ୍ ଆଲ୍ଫା-ସାଇକ୍ଲିନର ସଞ୍ଚୟକୁ ବୃଦ୍ଧି କରିପାରେ। ଏହା ପାର୍କିନସନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଡୋପାମିନାର୍ଜିକ୍ ନ୍ୟୁରନ୍ ସଂଖ୍ୟା ହ୍ରାସ କରିଥାଏ। ବାୟୁ ପ୍ରଦୂଷଣ ମଧ୍ୟ ଅନ୍ତନଳୀ ପ୍ରଦାହ ଏବଂ ଆଲ୍ଫା ସିନୁକ୍ଲିନର ସ୍ଥାନୀୟ ସଞ୍ଚୟ ସୃଷ୍ଟି କରିପାରେ ଯାହା ପରେ ଭେଗସ୍ ସ୍ନାୟୁ ମାଧ୍ୟମରେ ଗ୍ୟାଷ୍ଟ୍ରୋଇନଷ୍ଟ୍ରାଇନାଲ ଟ୍ରାକ୍ଟ (ଅନ୍ତନଳୀ)ରୁ ମସ୍ତିଷ୍କକୁ ବ୍ୟାପି ଡୋପାମାଇନର କ୍ଷତି ଘଟାଇଥାଏ।

ପାର୍କିନସନ୍ସ ରୋଗ କ’ଣ?
ପାର୍କିନସନ୍ସ ଏକ ମସ୍ତିଷ୍କ ରୋଗ, ଯାହା ଅନିଚ୍ଛାକୃତ କିମ୍ବା ଅନିୟନ୍ତ୍ରିତ ଗତିବିଧି ସୃଷ୍ଟି କରେ, ଯେପରିକି ହାତ ଓ ଦେହ ଥରିବା, ଅଙ୍ଗ ଷ୍ଟିଫ୍ ହୋଇଯିବା ଏବଂ ସନ୍ତୁଳନ ଓ ସମନ୍ୱୟ ରକ୍ଷା କରିବାରେ ସମସ୍ୟା ସୃଷ୍ଟି ହେବା। ୫୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଏହାର ଆଶଙ୍କା ଅଧିକ ଥିବା ବେଳେ ପାର୍କିନସନ୍ସ ରୋଗ ପ୍ରାୟ ୫-୧୦% ଲୋକଙ୍କୁ ପ୍ରଭାବିତ କରିପାରେ। ନ୍ୟୁରୋଡିଜେନେରେଟିଭ୍ ଡିଜର୍ଡର ମସ୍ତିଷ୍କର ସବଷ୍ଟାନ୍ସିଆ ନିଗ୍ରା ନାମକ ଅଞ୍ଚଳରେ ଡୋପାମାଇନ୍ ଉତ୍ପାଦନକାରୀ ନ୍ୟୁରନକୁ ପ୍ରଭାବିତ କରିଥାଏ। ଡୋପାମାଇନ୍ ହେଉଛି ମସ୍ତିଷ୍କରେ ନିର୍ମିତ ଏକ ନ୍ୟୁରୋଟ୍ରାନ୍ସମିଟର ଯାହା ଏକ ରାସାୟନିକ ମେସେଞ୍ଜର ଭାବରେ କାର୍ଯ୍ୟ କରେ ଏବଂ ମସ୍ତିଷ୍କ ସ୍ନାୟୁ କୋଷ ଓ ଶରୀରର ବାକି ଅଂଶ ମଧ୍ୟରେ ବାର୍ତ୍ତା ଆଦାନପ୍ରଦାନ କରେ। ହୁ ଅନୁଯାୟୀ, ବିଶ୍ୱର ୯୨ ପ୍ରତିଶତ ଲୋକ ଅସ୍ୱାସ୍ଥ୍ୟକର ବାୟୁ ଥିବା ଅଞ୍ଚଳରେ ବାସ କରନ୍ତି। ପାର୍କିନସନ୍ସ ରୋଗ ଭଳି ଲକ୍ଷଣ ମଧ୍ୟ କେତେକ ଔଷଧ ସେବନ, ଭିନ୍ନ ପ୍ରକାର ସ୍ନାୟୁ ବିକୃତି କିମ୍ବା ଅନ୍ୟ ରୋଗ କାରଣରୁ ଦେଖାଯାଇପାରେ।। ଏହାକୁ ସେକେଣ୍ଡାରି ପାର୍କିନସନ୍ସ କୁହାଯାଏ। ପାର୍କିନସନ୍ ରୋଗ ସାଧାରଣତଃ ୬୦ ବର୍ଷ ବୟସ ପରେ ହୁଏ କିନ୍ତୁ ଏହା ସେକେଣ୍ଡାରି ପାର୍କିନ୍ସନିଜିମ୍ କାରଣରୁ ଶୀଘ୍ର ମଧ୍ୟ ହୋଇପାରେ। ଫୋର୍ଟିସ୍ ହସ୍ପିଟାଲ ଶାଲିମାର ବାଗର ନିର୍ଦ୍ଦେଶକ ତଥା ଏଚ୍ଓଡି (ନ୍ୟୁରୋଲୋଜି) ଡାକ୍ତର ଜୟଦୀପ ବଂଶଲ କୁହନ୍ତି, ‘ବିଷାକ୍ତ ପଦାର୍ଥ ସଂସ୍ପର୍ଶରେ ଆସିବା, କାର୍ବନ ମନୋକ୍ସାଇଡ୍ ବିଷକ୍ରିୟା, ଡ୍ରଗ୍ସ ସେବନ, ଧୂମପାନ, ମୁଣ୍ଡରେ ଆଘାତ, ବକ୍ସିଂ, ବ୍ରେନ୍ ଷ୍ଟ୍ରୋକ୍ ଇତ୍ୟାଦି ଅନେକ ଜେନେଟିକ୍ ଓ ପରିବେଶଗତ କାରଣରୁ ପାର୍କିନସନ୍ସ ରୋଗ ହୁଏ।

ବିଭିନ୍ନ ପ୍ରମାଣରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣ ପାର୍କିନସନ୍ସ ସମେତ ନ୍ୟୁରୋଡିଜେନେରେଟିଭ୍ ରୋଗ ହେବାର ଆଶଙ୍କା ବଢ଼ାଇଥାଏ। ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିଲେ ପାର୍କିନସନ୍ସ ରୋଗ ହେବାର ଆଶଙ୍କା ପ୍ରାୟ ୨୫% ବୃଦ୍ଧି ପାଇଥାଏ। ସୂକ୍ଷ୍ମ କଣିକା (ପିଏମ୍ ୨.୫), ନାଇଟ୍ରିକ୍ ଡାଇଅକ୍ସାଇଡ୍ ଭଳି ପ୍ରଦୂଷକର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିଲେ ବିପଦ ଆହୁରି ବୃଦ୍ଧି ପାଇଥାଏ। ପାର୍କିନସନ୍ସ ରୋଗରେ ପୀଡ଼ିତ ଲୋକମାନେ ଧୀରେ ଧୀରେ ଚାଲନ୍ତି, ଚାଲୁ ଚାଲୁ ପଡ଼ିଯାଆନ୍ତି ଏବଂ ସେମାନଙ୍କଠାରେ ହାତ ଥରିବା, ସବୁ କଥାକୁ ଭୁଲିଯିବା, ପାଟିରୁ ଲାଳ ଗଡ଼ିବା ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ। ବାୟୁ ପ୍ରଦୂଷଣ ପାର୍କିନସନ୍ସ ରୋଗ ପାଇଁ ଏକ ବଡ଼ ବିପଦ ଯାହାକୁ ପ୍ରତିରୋଧ କରାଯାଇପାରିବ ବୋଲି ଡ. ବଂଶଲ କୁହନ୍ତି।