ଶୁଭ ଅକ୍ଷୟ ତୃତୀୟା: ସବୁ ଅନୁକୂଳ ହୁଏ ଶୁଭ…

ସବୁ ଅନୁକୂଳର ପର୍ବ ଅକ୍ଷୟ ତୃତୀୟା। ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଏହି ଦିନଟି ସରକାରୀସ୍ତରରେ ‘କୃଷକ ଦିବସ’ ରୂପେ ପାଳିତ ହୁଏ। କାରଣ କୃଷକମାନଙ୍କ ପାଇଁ ଏହି ଦିବସର ମାହତ୍ମ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହାକୁ ସେମାନେ ଏକ ଶୁଭ ଅବସର ବୋଲି ବିଶ୍ବାସ କରିଆସିଛନ୍ତି। ତେଣୁ ଏହି ଦିନରେ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ବିଧି ରହିଆସିଛି। ସେଦିନ ଚାଷୀ ପରିବାର‌ରେ ଏକ ଉତ୍ସବର ମାହୋଲ ସୃଷ୍ଟି ହୁଏ।

ଗୃହିଣୀମାନେ ଘରକୁ ଲିପାପୋଛା କରିବା ସହ ଚିତା ପକାଇ ସଜାଇଥାଆନ୍ତି। ହଳଦୀ, ଚନ୍ଦନ, ସିନ୍ଦୂର ବୋଳି ଧାନ ବିହନପୂର୍ଣ୍ଣ ନୂଆ ଗଉଣି ବା ଟୋକେଇକୁ ପାଟବସ୍ତ୍ରରେ ସଜାଇ ଦିଅନ୍ତି। ସେହିଭଳି ଲଙ୍ଗଳକୁ ମଧ୍ୟ ଅରୁଆ ଚାଉଳ ଚିତାରେ ସଜାଇ ଦିଆଯାଏ। ଏହା ପରେ ଶଙ୍ଖ ବଜା‌ଇ ଓ ହୁଳହୁଳି ପକାଇ ଗୃହିଣୀମାନେ ଲଙ୍ଗଳ ଧରିଥିବା କୃଷକକୁ ବିଲ ଅଭିମୁଖେ ବିଦାୟ ଦିଅନ୍ତି। କୃଷକ ଜମିରେ ପହଞ୍ଚି ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ। ମୁଠାମୁଠା ହଳଦୀ, ଚନ୍ଦନ ବୋଳା ଧାନ ବିହନ କିଆରୀରେ ବୁଣେ। ଏହି ଅଖିମୁଠି ଅନୁକୂଳ ପରେ ଆରମ୍ଭ ହୁଏ ବର୍ଷକ ପାଇଁ ଚାଷ ପ୍ରସ୍ତୁତି।

ଏହି ଦିନ ସଧବା ମହିଳାମାନେ ମଧ୍ୟ ‘ଷଠିଦେବୀ’ଙ୍କ ପୂଜା କରିଥା’ନ୍ତି। ସବୁ କାମର ଅନୁକୂଳ ପାଇଁ ଏହି ଦିନଟି ବେଶ୍ ଭଲ ଓ ଶୁଭ ହୋଇଥିବାରୁ ସେଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ମଧ୍ୟ ଅନୁଷ୍ଠିତ ହୁଏ। ଏହି ତିଥି କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହୋଇଥିବାରୁ ଯେ କୌଣସି କାମ ଆରମ୍ଭ କଲେ ମହାଫଳ ପ୍ରାପ୍ତି ହୁଏ। ଏହାକୁ ବ୍ରତ ରୂପେ ମଧ୍ୟ ପାଳନ କରାଯାଏ। ବ୍ରତୀମାନେ ଶୁଦ୍ଧ କାଳରେ ଏହି ବ୍ରତକୁ ଆରମ୍ଭ କରି ଆଠ ବର୍ଷରେ ଉଦ୍‌ଯାପନ କରନ୍ତି। ଏହି ଦିନ ଜଳଦାନ କଲେ ପୁଣ୍ୟଫଳ ମିଳେ ବୋଲି ଲୋକକଥା ରହିଛି। କାହାଣୀଟି ଏମିତି।

ପୁରାକାଳରେ ଜଣେ ପାପୀ ବ୍ୟକ୍ତି ଥିଲା। ସେ ତା’ ଜୀବନରେ କିଛି ଦାନ ଧର୍ମ କାର୍ଯ୍ୟ କରି ନଥିଲା। ଥରେ ତା’ ଗୃହକୁ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳ ଭିକ୍ଷା କଲେ। ପାପୀ ବ୍ୟକ୍ତିଟି ତାଙ୍କୁ ଜଳ ନଦେଇ କଟୁ କଥା କରି ବିତାଡ଼ିତ କରୁଥିବା ସମୟରେ ତାଙ୍କ ସ୍ତ୍ରୀ ସୁଶିଳା ସ୍ବାମୀଙ୍କୁ ବାଧା ଦେଇଥିଲେ। ସୁଶିଳା ତୃଷାର୍ତ୍ତ ବ୍ରାହ୍ମଣଙ୍କୁ ଜଳଦାନ କଲେ। କିଛି ବର୍ଷ ପରେ ପାପୀ ବ୍ୟକ୍ତିଟିର ମୃତ୍ୟୁ ହୋଇଯାଏ। ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା। ଯମଦୂତମାନେ ତାକୁ ତିରସ୍କାର କରିଥିଲେ। ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ୟକ୍ତିକୁ ଜଳଦାନ କଲେ। ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ ଯେ ଏହି ବ୍ୟକ୍ତି ସାରା ଜୀବନ ପାପକର୍ମ କରିଥିଲେ ମଧ୍ୟ ଅକ୍ଷୟ ତୃତୀୟା ଦିନ ତାଙ୍କ ପତ୍ନୀ ତୃଷାର୍ତ୍ତ ବ୍ରାହ୍ମଣଙ୍କୁ ଜଳଦାନ କରିଥିଲେ। ପତ୍ନୀଙ୍କ ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି। ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ।

ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମି ପୂଜା କରି ବୀଜବପନ କରୁଥିଲେ। ଭୂମି କର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି। ବୈଦିକ ଯୁଗରେ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି। ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ବଡ଼ ଶୁଭଦିନ ରୂପେ ବର୍ଣ୍ଣନା କରାଯାଏ।

ସମ୍ବନ୍ଧିତ ଖବର