ନାନା ପ୍ରକାର ଜୀବଜନ୍ତୁ ସମେତ ପୋକଜୋକ ଆଦି ଅଖାଦ୍ୟ ଖାଇବାରେ ଚୀନୀମାନଙ୍କର ଏକ ଅପକୀର୍ତ୍ତି ରହିଛି। ଏହି କ୍ରମରେ ଚୀନୀମାନଙ୍କର ଆଉ ଏକ ବିଚିତ୍ର ଖାଦ୍ୟ ‘ପଥର ଭଜା’ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଚୀନ୍ରେ ଉପଲବ୍ଧ ‘ସ୍ୟୁଡିଉ’ ନାମକ ଏହି ରାସ୍ତାକଡ଼ ବ୍ୟଞ୍ଜନରେ ନଦୀର ପଥର ଗରଡ଼ା ହେଉଛି ମୁଖ୍ୟ ଉପାଦାନ। ଏହି ପଥରକୁ କଡ଼େଇରେ ପକାଇ ସେଥିରେ କିଛି ମସଲା ଓ ଚେରମୂଳି ମିଶାଇ ଉତ୍ତମ ରୂପେ ଭାଜି ତାହାକୁ ପରଷାଯାଇଥାଏ। ଚୀନୀ ଭାଷାରେ ‘ସ୍ୟୁଡିଉ’ର ଅର୍ଥ ହେଉଛି ‘ଶୋଷି ଫିଙ୍ଗିଦେବା’।
ବ୍ୟଞ୍ଜନଟିର ବ୍ୟବହାର ତାହାର ନାମକୁ ସାର୍ଥକ କରୁଛି। କାରଣ ଏଥିରେ ଥିବା ମୁଖ୍ୟ ଉପାଦାନକୁ ଚୋବାଇ ଦାନ୍ତ ଖଣ୍ଡିଆ କରିବା ଦରକାର ନାହିଁ। କେବଳ ତାହାକୁ ଶୋଷି ସେଥିରେ ଲାଗିଥିବା ମସଲା ଆଦିକୁ ଭକ୍ଷଣ କରି ଉକ୍ତ ପଥର ଗରଡ଼ାଗୁଡ଼ିକୁ ଫିଙ୍ଗି ଦିଆଯାଇଥାଏ। ପେଟ ଭରିବାକୁ ସେଥିରେ କିଛି ଉପାଦାନ ନଥାଏ, ଯାହା ତାହାର ସ୍ବାଦ ଚାଖିବା ହିଁ ସାର। ଶହ ଶହ ବର୍ଷ ତଳେ ନଦୀ ମଝିରେ ଅଟକି ରହୁଥିବା ପଣ୍ୟବାହୀ ନାଉରିଆମାନଙ୍କ ଦ୍ବାରା ଏହି ବ୍ୟଞ୍ଜନଟିର ବ୍ୟବହାର ପ୍ରଥମେ ଆରମ୍ଭ ହୋଇଥିଲା। ସେମାନେ କେବଳ ପେଟର ଭୋକ ମାରିବାକୁ ନଦୀର ପଥରଗରଡ଼ା ଦେହରେ ମସଲା ଓ ଅନ୍ୟାନ୍ୟ ପତ୍ର ପକାଇ ରାନ୍ଧି ପଥରକୁ ଶୋଷୁଥିଲେ। ଅନେକ ପିଢ଼ି ପରେ ତାହା ଚୀନ୍ର ବିଭିନ୍ନ ଗଳିକନ୍ଦିରେ ପହଞ୍ଚିଛି। ତାହାର ଦର ମଧ୍ୟ କିଛି କମ୍ ନାହିଁ। ଗୋଟିଏ ପ୍ଲେଟ୍ ‘ସ୍ୟୁଡିଉ’ର ମୂଲ୍ୟ ୧୬ ୟୁଆନ୍ ବା ୧୮୩ ଟଙ୍କା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/5-19.jpg)