ଅଣସର ପଞ୍ଚମୀ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପଞ୍ଚମୀ ଏକ ଶୁଭପ୍ରଦ ତିଥି। ସାଧାରଣତଃ ଗୋଟିଏ ବର୍ଷ ମଧ୍ୟରେ ବାରଟି କୃଷ୍ଣ ପଞ୍ଚମୀ ଓ ବାରଟି ଶୁକ୍ଳ ପଞ୍ଚମୀ ପଡ଼ିଥାଏ। ତାହା ମଧ୍ୟରୁ କେତୋଟି ପଞ୍ଚମୀ ଅତ୍ୟନ୍ତ ଶୁଭପ୍ରଦ ଏବଂ ସେହି ତିଥିମାନଙ୍କରେ କେତେକ ବ୍ରତ, ଉତ୍ସବମାନ ପାଳିତ ହୋଇଥାଏ। ଯଦିଓ କୁହାଯାଏ, ଏହି ତିଥିର ଅଧିପତି ମହାନାଗ ଓ ମହାଦେବୀ ଲକ୍ଷ୍ମୀ ତଥାପି ଏହି ତିଥିରେ ବିଭିନ୍ନ ଦେବଦେବୀଙ୍କର ପୂଜା ଉପାସନା ପାଳିତ ହୋଇଥାଏ। ସେଥିମଧ୍ୟରେ ଅଛି ବସନ୍ତପଞ୍ଚମୀ, ହେରା ପଞ୍ଚମୀ, ମନସା ପଞ୍ଚମୀ, ଜାଗ୍ରତଗୌରୀ ପଞ୍ଚମୀ, ରେଖାପଞ୍ଚମୀ, ଅଶ୍ୱପଞ୍ଚମୀ, ସୀତା ବିବାହ ପଞ୍ଚମୀ, କୁରାଳ ପଞ୍ଚମୀ ଇତ୍ୟାଦି। ସେହି ପରଂପରାରେ ଆଷାଢ଼ କୃଷ୍ଣ ପଞ୍ଚମୀ ଏକ ମହତ୍ତ୍ୱପୂର୍ଣ୍ଣ ତିଥି।

ଏହି ତିଥିଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନବସର ସହିତ ସଂପୃକ୍ତ। ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଶହେ ଆଠ ଗରା ଜଳରେ ସ୍ନାନ କରିବାରୁ, ଲୋକବିଶ୍ୱାସ ଅନୁସାରେ ଜ୍ୱରାକ୍ରାନ୍ତ ହୋଇପଡ଼ନ୍ତି। ଏହା ଫଳରେ ସେ ଅଣସର ଗୃହରେ ଏକାନ୍ତବାସରେ ରହନ୍ତି। ପତିମହାପାତ୍ର ଓ ଦଇତାଙ୍କ ବ୍ୟତୀତ ଅନ୍ୟ କେହି ତାଙ୍କୁ ସେତେବେଳେ ଦର୍ଶନ କରିପାରନ୍ତି ନାହିଁ। କିନ୍ତୁ ମହାପ୍ରଭୁଙ୍କୁ ଆରୋଗ୍ୟ କରିବାପାଇଁ ତାଙ୍କର ସେବକମାନେ ବିଭିନ୍ନ ଉପଚାର ପ୍ରସ୍ତୁତିରେ ଲାଗିପଡ଼ନ୍ତି। ଏହି ଉପଚାରର ପ୍ରାଥମିକ କାର୍ଯ୍ୟ ହେଉଛି- ଅନବସରର ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହରେ ତୈଳ ବିଲେପନ।

ଏହା ଏକ ଔଷଧୀୟ ତୈଳ, ଯାହାକୁ ଫୁଲରୀ ତେଲ କୁହାଯାଏ। ମହାରାଜ ପ୍ରତାପରୁଦ୍ର ଦେବଙ୍କ ସମୟରୁ ଏହା ବଡ଼ ଓଡ଼ିଆ ମଠରୁ ପ୍ରସ୍ତୁତ ହୋଇଆସୁଛି। ଦୁଇ-ତିନି ସେରିଆ ମାଟି ଘଡ଼ିରେ ଘଣାପେଡ଼ା ରାଶିତେଲରେ କିଆ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଯୁଇ, ଜାଇ ଆଦି ଫୁଲ, କୃଷ୍ଣଭୋଗଧାନ, ବେଣାଚେର, ଚନ୍ଦନ ଗୁଣ୍ଡ ଆଦି ପଡ଼ି, ହେରା ପଞ୍ଚମୀଦିନ ମଠର ଏକ କୋଠରି ମଧ୍ୟରେ ତାହାକୁ ମାଟି ତଳେ ପୋତି ଦିଆଯାଏ। ପାଖାପାଖି ବର୍ଷକ ପରେ, ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ତାହାକୁ ମାଟିତଳୁ ବାହାର କରାଯାଇ, ଛାଣି ଯତ୍ନରେ ରଖାଯାଏ। ଅନବସରର ପଞ୍ଚମ ଦିନରେ ତାହାକୁ ବଡ଼ ଓଡ଼ିଆ ମଠରୁ ବିଧିମତେ ନିଆଯାଇ ଶ୍ରୀଜିଉଙ୍କ ଶରୀରରେ ଲେପନ କରାଯାଏ। ଏହା ପରେ ମହାପ୍ରଭୁଙ୍କର ଖଳିଲାଗି, ପାଟଲାଗି, ଓଷୁଅଲାଗି ଆଦି ଅନ୍ୟାନ୍ୟ ଅଣସର ନୀତି ହୋଇଥାଏ।

ଡକ୍ଟର ତୁଳସୀ ଓଝା
ଫଟୋ: ସନ୍ତୋଷ, ପୁରୀ

ସମ୍ବନ୍ଧିତ ଖବର