କଶ୍ୟପ ପ୍ରଜାପତିଙ୍କଠାରୁ ଅନ୍ଧକାସୁର ବର ପାଇଥିଲା- ସେ କେବଳ ଶିବଙ୍କ ହାତରେ ମରିବ। କିନ୍ତୁ ସେ କଥା ଭୁଲି, ଅନ୍ଧକ ସହସ୍ର ହାତ, ସହସ୍ର ମସ୍ତକ, ଦ୍ୱିସହସ୍ର ପାଦ ଓ ଦ୍ୱିସହସ୍ର ନେତ୍ର ଯୋଗୁଁ ମଦମତ୍ତ ହୋଇ ଉତ୍ପାତ କରୁଥିଲା। ମାତା ଦିତି ବି ପୁତ୍ରସ୍ନେହ ଯୋଗୁଁ ତାକୁ ବେଶୀ ଆକଟ କରୁ ନଥିଲେ।
ଅନ୍ଧକ ଏପରି ଉପଦ୍ରବ କଲା ଯେ ସୂର୍ଯ୍ୟ ଓ ଚନ୍ଦ୍ର ତା’ ଇଚ୍ଛାରେ ଆକାଶରେ ଉଦୟ, ଅସ୍ତ ହେଲେ। ବାୟୁ ତା’ ଇଚ୍ଛାରେ ବହିଲା। ତା’ ଭୟରେ ଓଁକାର, ବଷଟ୍‌କାର ଆଦିର ଉଚ୍ଚାରଣ ବି ବନ୍ଦ ହୋଇଗଲା। ବେଦାଧ୍ୟାୟୀ ଋଷିମାନେ ତା’ ଉପଦ୍ରବରେ ଅତିଷ୍ଠ ହେଲେ। ତାହା ଦେଖି ଦେବଗୁରୁ ବୃହସ୍ପତି ପରାମର୍ଶ ଦେଲେ- କେବଳ ଶିବ ହିଁ ଅନ୍ଧକକୁ ନିହତ କରିପାରିବେ। ଏବେ ଶିବଙ୍କୁ ଜଣାଇଦେବା ଆମର କର୍ତ୍ତବ୍ୟ ଯେ ଅନ୍ଧକର ଅତ୍ୟାଚାରରେ ତ୍ରିଜଗତ ତ୍ରସ୍ତ। ଏବେ ସମସ୍ତଙ୍କୁ ପରିତ୍ରାଣ କର।

Advertisment

ଦେବଗଣ ସେଥିପାଇଁ ଦେବର୍ଷି ନାରଦଙ୍କର ସହାୟତା ଲୋଡ଼ିଲେ। ନାରଦ ଏକ ଉପାୟ ଚିନ୍ତାକରି, ଯାଇ ପହଞ୍ଚିଲେ ମନ୍ଦର ପର୍ବତର ମନ୍ଦାରବନରେ।
ମନ୍ଦାରବନ ଶିବଙ୍କର ପ୍ରିୟ ଉପବନ। ସେଠାରେ ଫୁଟୁଥିବା ମନ୍ଦାର ଦିବ୍ୟସୁନ୍ଦର ଓ ପବିତ୍ର ସୁଗନ୍ଧିଯୁକ୍ତ। ସେଠାରେ ରାତ୍ରିଯାପନ କରି, ସେହି ଫୁଲର ମାଳାଟିଏ ପିନ୍ଧି, ନାରଦ ସକାଳେ ଗଲେ ଅନ୍ଧକାସୁର ପୁରକୁ। ଅନ୍ଧକ ମାଳା ଦେଖି ସେହି ଦିବ୍ୟ ପୁଷ୍ପ କେଉଁ ଉପବନର ବୋଲି ପଚାରିଲା। ନାରଦ ତାକୁ ମନ୍ଦାରବନ କଥା କହିଲେ ଏବଂ ଶିବଙ୍କ ବ୍ୟତୀତ ସେଠାକୁ ଅନ୍ୟ ସମସ୍ତଙ୍କର ପ୍ରବେଶ ନିଷେଧ ବୋଲି ଜଣାଇଦେଲେ।

ତାହା ଶୁଣି ଅନ୍ଧକ କୁପିତ ହେଲା। ସେଠାକୁ ଯାଇ ସେହି ଉପବନକୁ ଧ୍ୱଂସ କରିବା ଆରମ୍ଭ କଲା। ତାହା ଜାଣି ଭୂତଗଣଙ୍କର ଈଶ୍ୱର ଶଙ୍କର ହାତରେ ତ୍ରିଶୂଳ ଧରି, ନନ୍ଦୀ ପୃଷ୍ଠରେ ଚଢ଼ି, ଭୂତ ଓ ପ୍ରମଥଗଣଙ୍କ ସହ ଆସି ସେଠାରେ ପହଞ୍ଚିଲେ। ତାଙ୍କର କ୍ରୋଧରେ ଜଳ ଉତ୍ତାଳ ହେଲା। କ୍ରୋଧାଗ୍ନିରେ ଦଶଦିଗ ଦଗ୍ଧ ହେବାରେ ଲାଗିଲା। ଗ୍ରହମାନେ ଇତସ୍ତତଃ ହୋଇ ପରସ୍ପର ସହ ଧକ୍କା ଖାଇଲେ। ପର୍ବତ ପ୍ରକମ୍ପିତ ଓ ବାଦଲ ଧୂମଯୁକ୍ତ ହେଲା। ସୂର୍ଯ୍ୟ ଶୀତଳ ଓ ଚନ୍ଦ୍ର ଉତ୍ତପ୍ତ ହେଲେ। ଆକାଶରୁ ଅଗ୍ନିବର୍ଷା ହେଲା। ସଂସାରର ସେହି ବିପରୀତ ଗତି ଦେଖି ଶିବ ଅନ୍ଧକାସୁରକୁ ଲକ୍ଷ୍ୟ କରି ଜ୍ୱଳନ୍ତ ଅଗ୍ନିତୁଲ୍ୟ ତାଙ୍କର ତ୍ରିଶୂଳ ନିକ୍ଷେପ କଲେ। ତାହା ଅନ୍ଧକାସୁରର ବକ୍ଷ ବିଦ୍ଧ କଲା। ତାହାର ଜ୍ୱାଳାରେ ଅନ୍ଧକାସୁର ଭସ୍ମ ହୋଇଗଲା। ଅନ୍ଧକାସୁରର ବିନାଶ ହେବାରୁ ତ୍ରିଲୋକ ଶାନ୍ତ ହେଲା। ଦେବଗଣ ଆନନ୍ଦିତ ହୋଇ ଦୁନ୍ଦୁଭି ନାଦ କରିବା ସହିତ ପୁଷ୍ପ ବୃଷ୍ଟି କଲେ।