ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍: ପୁରୁଷଙ୍କୁ ବିପଦ ଅଧିକ

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ମୁଖ୍ୟତଃ ଯୁବାବସ୍ଥାରେ ହୋଇଥାଏ। ଜଣଙ୍କ ବୟସ ୨୦ରୁ ୪୦ବର୍ଷ ହୋଇଥିବା ବେଳେ ଏହା ଆରମ୍ଭ ହୋଇଥାଏ। ଏହାର ଚିକିତ୍ସା ସମ୍ଭବ। କିନ୍ତୁ ଚିକିତ୍ସାରେ ଅବହେଳା ଯୋଗୁଁ ବୟସ ବଢ଼ିବା ବେଳକୁ ଏହି ରୋଗୀମାନଙ୍କ ସକ୍ରିୟତା କମି ଯାଇଥାଏ। କ୍ରମଶଃ ସେମାନେ ଆବଶ୍ୟକ ଚଳପ୍ରଚଳ କରିପାରି ନଥାନ୍ତି। ବରଂ ସେମାନଙ୍କ ଶରୀର ନମନୀୟତା ହରାଇଥାଏ। ଯଦି ଆରମ୍ଭରୁ ଏହି ରୋଗର ଚିକିତ୍ସା କରାଯାଏ, ତେବେ ରୋଗୀ ସୁସ୍ଥ ହୋଇପାରିବେ।

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକପ୍ରକାରର ଗଣ୍ଠିବାତ, ଯାହା ସମୟ ସହିତ ମେରୁଦଣ୍ଡ, ହାତ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ। କ୍ରମଶଃ ରୋଗୀର ମେରୁଦଣ୍ଡର ନମନୀୟତା ମଧ୍ୟ ନଷ୍ଟ ହୋଇଯାଏ। ପରିଣାମ ସ୍ୱରୂପ, ଧୀରେ ଧୀରେ ରୋଗୀର ଶରୀର ବଙ୍କା ହୋଇଯାଇଥାଏ। ଏହି ରୋଗର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନାହିଁ। ପ୍ରାୟତଃ ବଂଶଗତ ଓ ପରିବେଶର ପ୍ରଭାବରେ ଏହି ରୋଗ ହୋଇଥାଏ। ଏଚ୍‌ଏଲ୍‌ଏ-ବି୨୭ ନାମକ ଏକ ଜିନ୍ ଏହି ରୋଗୀମାନଙ୍କଠାରେ ଦେଖାଦେଇଥାଏ। ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅଧିକ ଦେଖା ଦେଇଥାଏ।

ରୋଗର ଲକ୍ଷଣ
ଏହି ସ୍ପଣ୍ଡିଲାଇଟିସ୍ ଆରମ୍ଭ ପର୍ଯ୍ୟାୟରେ ଅଣ୍ଟାର ନିମ୍ନ ଭାଗରେ ଯନ୍ତ୍ରଣା ହେବା ସହ ଷ୍ଟିଫ୍‌ ହୋଇଯାଇଥାଏ। ଏହି ଯନ୍ତ୍ରଣା ବିଶେଷତଃ ସକାଳ ସମୟରେ କିମ୍ବା ଶରୀର ନିଷ୍କ୍ରିୟ ହେବା ପରେ ଅନୁଭୂତ ହୋଇଥାଏ। ଏହି ରୋଗ ହେବା ପରେ ବେକରେ ଯନ୍ତ୍ରଣା ଓ ଥକାପଣ ଅନୁଭବ ହୁଏ। ସମୟ ସହିତ ଏସବୁ ଲକ୍ଷଣରେ ପରିବର୍ତ୍ତନ ଆସିଥାଏ। ଏହାର କେତେକ ମୁଖ୍ୟ ଲକ୍ଷଣ ହେଉଛି:
୧. ସକାଳୁ ଉଠିବା ପରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଅଣ୍ଟା ଦରଜ ରହିବା।
୨. ରାତିରେ ଶୋଇବା ସମୟରେ ପିଠି ଦରଜ ବଢ଼ିଯିବା।
୩. ବେକ ଦରଜ ହେବା ସହ ବୁଲାଇବାରେ ମଧ୍ୟ ଯନ୍ତ୍ରଣା ହେବା।
୪. ଅନ୍ୟାନ୍ୟ ଗଣ୍ଠି, ଯେପରିକି ଜଂଘସନ୍ଧି, ଆଣ୍ଠୁ, କାନ୍ଧ ଓ କହୁଣି ଆଦି ଫୁଲିବା ସହ ଦରଜ ହେବା।
୫. ସକାଳୁ ଉଠି ଭୂଇଁରେ ପାଦ ପକାଇବାରେ କଷ୍ଟ ହେବା।
୬. ଆଖି ଲାଲ ପଡ଼ିବା ସହ ଯନ୍ତ୍ରଣା ଅନୁଭୂତ ହେବା।
ପ୍ରାୟ ୯୦ ଭାଗ ଅଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗୀଙ୍କଠାରେ ଏଚ୍‌ଏଲ୍‌ଏ-ବି୨୭ ଜିନ୍ ରହିଥିବା ଜଣାପଡ଼ିଛି।

ଚିହ୍ନଟ କରିବେ କେମିତି
ଯଦି କୌଣସି ଲୋକ ନିୟମିତ ଭାବେ ସକାଳୁ ଉଠିବା ସମୟରେ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ, କିନ୍ତୁ କିଛି ସମୟର କାର୍ଯ୍ୟକଳାପ ପରେ ଏହି ଯନ୍ତ୍ରଣା କମିଯାଇଥାଏ ତେବେ ଏହା ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟ୍ସ୍ ବୋଲି ସନ୍ଦେହ କରାଯାଇପାରେ। ଏହି ପରିସ୍ଥିତିରେ ତୁରନ୍ତ ରୢୁମାଟୋଲୋଜିଷ୍ଟଙ୍କ ପରାମର୍ଶ ନେବା ଉଚିତ। ଏଥିପାଇଁ ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା କରାଯାଏ ଯେପରି ଇଏସ୍ଆର୍‌, ସି.ଆର୍‌.ପି. ଓ ଅଣ୍ଟା ଏକ୍ସରେ ମାଧ୍ୟମରେ ଏହି ରୋଗକୁ ଚିହ୍ନଟ କରାଯାଏ। ଏହା ବ୍ୟତୀତ ରୋଗର ଚିହ୍ନଟ ପାଇଁ ଏମ୍.ଆର୍.ଆଇ. ଓ ଏଚ୍‌ଏଲ୍‌ଏ-ବି୨୭ ଜିନ୍‌ର ପରୀକ୍ଷା ମଧ୍ୟ କରାଯାଇଥାଏ।

ଚିକିତ୍ସା ଓ ନିୟନ୍ତ୍ରଣର ଉପାୟ
ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନରେ ବହୁପ୍ରକାର ଔଷଧ ଉପଲବ୍ଧ ‌େହଲାଣି, ଯାହାକୁ ଡିଜିଜ୍‌ ମୋଡିଫାଇଙ୍ଗ୍ ଆଣ୍ଟିରୢୁମାଟିକ୍ ଡ୍ରଗ୍ସ୍‌ କୁହାଯାଏ। ସ୍ପଣ୍ଡିଲାଇଟିସ୍‌କୁ ସଂପୂର୍ଣ୍ଣ ଭଲ କରାଯାଇ ନପାରି‌େଲ ମଧ୍ୟ ଲକ୍ଷଣକୁ ଦେଖି ନିୟନ୍ତ୍ରଣ କରାଯାଇପାରିବ। ଏଥିସହିତ ତୀବ୍ର ବେଗରେ ବଢ଼ୁଥିବା ରୋଗର ଗତିକୁ ହ୍ରାସ କରିଦିଆଯାଇପାରେ। ଦୈନନ୍ଦିନ ଜୀବନରେ ବିଭିନ୍ନ ଆହ୍ବାନକୁ ସାାମନା କରିବା ପାଇଁ ବିଭିନ୍ନ ପ୍ରକାରର ପୋଷକତତ୍ତ୍ବର ଆବଶ୍ୟକତା ରହିଛି। ଶରୀର ପାଇଁ ଫଳ, ପନିପରିବା, ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ସହ ସତେଜ ଓ ସୁସ୍ଥକର ଖାଦ୍ୟ ଦରକାର। ଅଧିକ ମଦ୍ୟପାନ ଓ ଧୂମପାନ ନ କରିବା ଭଲ। ପର୍ଯ୍ୟାପ୍ତ ମାତ୍ରାର କ୍ୟାଲ୍‌ସିୟମ୍ ଓ ଭିଟାମିନ୍ ଡି ଖାଇଲେ ଭଲ। ଏହି ଦୁଇ ପୋଷକତତ୍ତ୍ବ ହାଡ଼କୁ ମଜଭୁତ କରିଥାଏ। ବୟସ୍କଙ୍କ କ୍ଷେତ୍ରରେ ଦିନକୁ ୧୦୦୦ରୁ ୧୨୦୦ ମି.ଗ୍ରା. କ୍ୟାଲ୍‌ସିୟମ୍ ଆବଶ୍ୟକ ହୋଇଥାଏ। କିନ୍ତୁ ନିଜ ପାଇଁ କେତେ କ୍ୟାଲ୍‌ସିୟମ୍ ଆବଶ୍ୟକ, ତାହା ଡାକ୍ତରଙ୍କ ସହ ପରାମର୍ଶ କଲେ ଜଣାପଡ଼ିବ। କ୍ୟାଲ୍‌ସିୟମ୍‌ଯୁକ୍ତ ଖାଦ୍ୟପଦାର୍ଥ ମଧ୍ୟରେ ଦୁଗ୍ଧ ଜାତୀୟ ଉତ୍ପାଦ, କଦଳୀ, ବ୍ରୋକୋଲି, ଶସ୍ୟଜାତୀୟ ଖାଦ୍ୟ ଓ ଜୁସ୍ ଆଦି ରହିଛି। ସେହିପରି ଭିଟାମିନ୍ ଡି କେତେକ ମାଛ ଓ ସୂର୍ଯ୍ୟକିରଣରେ ରହିଛି। ଏହା ସହିତ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ଚିକିତ୍ସା ନିର୍ଦ୍ଦେଶକ,ଓଡ଼ିଶା ଆର୍ଥ୍ରାଇଟିସ୍ ଓ ରୢୁମାଟୋଲୋଜି କେନ୍ଦ୍ର, ସହିଦନଗର, ଭୁବନେଶ୍ୱର

ସମ୍ବନ୍ଧିତ ଖବର