ଅଣସର ଓ ଅଦର୍ଶନ

ପ୍ରତିବର୍ଷ ସ୍ନାନପୂର୍ଣ୍ଣିମା ନୀତି ପରଠାରୁ ଶ୍ରୀଜଗନ୍ନାଥଙ୍କର ଅଣସର ଆରମ୍ଭ ହୋଇଥାଏ। ସେଦିନର ବିଳମ୍ବିତ ରାତି ବା ଆଷାଢ଼ କୃଷ୍ଣ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ, ଠାକୁରମାନେ ଏକପକ୍ଷବ୍ୟାପୀ ଏହି ଅଣସରରେ ରହନ୍ତି। କେବଳ ଗୁପ୍ତସେବାରେ ନିୟୋଜିତ ସେବକଙ୍କ ବ୍ୟତୀତ, ଏହି ସମୟରେ ଅନ୍ୟମାନଙ୍କ ପାଇଁ ତାଙ୍କର ଦର୍ଶନ ନିଷେଧ ହୋଇଥାଏ।

ଲୋକକଥିତ ଭାବରେ, ଏହି ସମୟରେ ଠାକୁରମାନେ ଜ୍ୱରରେ ପଡ଼ିଥାଆନ୍ତି। ସୁସ୍ଥ ହେବା ପରେ ଯାଇ ସେମାନେ ଭକ୍ତଙ୍କୁ ‘ନବଯୌବନ’ରେ ଦର୍ଶନ ଦିଅନ୍ତି। କିନ୍ତୁ ‘ସ୍କନ୍ଦପୁରାଣ’ ଓ ‘ବାମଦେବ ସଂହିତା’ ପରି ଗ୍ରନ୍ଥରେ, ଏହି ସମୟରେ ସେ ଭକ୍ତଙ୍କୁ ଦର୍ଶନ ନଦେବାର ଅନ୍ୟ କାରଣ ଉଲ୍ଲେଖ ଅଛି।

‘ସ୍କନ୍ଦପୁରାଣ’ର ୨୯ ଅଧ୍ୟାୟ, ୨୮ ଶ୍ଳୋକରେ ସ୍ୱୟଂ ପ୍ରତିମା (ଶ୍ରୀଜଗନ୍ନାଥ) ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି- “ହେ ରାଜା! ଏହିପରି (ବିଧିମତେ) ସ୍ନାନ କରାଇ, ପଞ୍ଚଦଶ ଦିବସ ପର୍ଯ୍ୟନ୍ତ ମୋର ଅଙ୍ଗରାଗବିହୀନ ‘ବିରୂପ’ ବା ‘ଅଭିରୂପ’ (ସୁନ୍ଦରରୂପ)କୁ କଦାପି ଦର୍ଶନ କରିବ ନାହିଁ।” କେତେକ ‘ସ୍କନ୍ଦପୁରାଣ’ ପୋଥିରେ ଏହା ତାଙ୍କର ‘ଅଚିତ୍ର’ ଓ ‘ବିରୂପ’ ରୂପ ବୋଲି ଉଲ୍ଲେଖ ଅଛି। ଏଣୁ ‘ସ୍କନ୍ଦପୁରାଣ’ର ଅନୁବାଦକ ବାବା ଚୈତନ୍ୟ ଚରଣ ଦାସ ଓ ଅନ୍ୟ ବିଦ୍ୱାନବର୍ଗ

ଏ ସଂପର୍କରେ ଅଧିକ ବ୍ୟାଖ୍ୟା କରିଛନ୍ତି। ସେମା‌େନ କହିଛନ୍ତି, “ସ୍ନାନଯାତ୍ରା ପରେ, ପଞ୍ଚଦଶ ଦିନ ବ୍ୟାପୀ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେତେବେଳେ ଅନବସର ଗୃହରେ ଅବସ୍ଥାନ କରନ୍ତି, ସେତେବେଳେ ଅନେକଙ୍କର ମନରେ ଧାରଣା ଯେ ଅଧିକ ସ୍ନାନ ହେତୁ ଶ୍ରୀଜୀଉଙ୍କୁ ଜ୍ୱର ହୋଇଯାଏ। କିନ୍ତୁ ବେଦବ୍ୟାସଙ୍କ ଉପରୋକ୍ତ ଶ୍ଳୋକରୁ ଜଣାଯାଏ, ଜ୍ୱର ହେବା ଅମୂଳକ ଅଟେ। କେବଳ ସ୍ନାନ ହେତୁ ଶ୍ରୀଅଙ୍ଗ ସାମାନ୍ୟ ବିରୂପବଶତଃ ଉକ୍ତଦିନମାନଙ୍କରେ ଦର୍ଶନ ନିଷିଦ୍ଧ କରାଯାଇଛି।” ତେଣୁ ସେହି ସମୟରେ, ବାଉଁଶ ତାଟି ଉପରେ ପୂଜିତ ପଟଚିତ୍ରର ଦିଅଁ ବା ପଟିଦିଅଁକୁ ‘ପଟବ୍ରହ୍ମ’ ରୂପେ ପୂଜା କରାଯାଇଥାଏ।

ଆମ ପାଇଁ ଏହାର ଏକ ସାମାଜିକ ଓ ବ୍ୟାବହାରିକ ବାର୍ତ୍ତା ଅଛି। ତାହା ହେଉଛି- ଆମେ ‘ଅରୂପ’ ବା ‘ବିରୂପ’ ଅବସ୍ଥାରେ କାହାକୁ ସାକ୍ଷାତ୍ କରିବା ଉଚିତ ନୁହେଁ।

‘ବାମଦେବ ସଂହିତା’ର ପଞ୍ଚଦଶ ଅଧ୍ୟାୟ, ଅଷ୍ଟମ ଶ୍ଳୋକରେ ଏ ସଂପର୍କରେ କୁହାଯାଇଛି, “ଏପରି ସ୍ୱରୂପରେ ବା ବିରୂପରେ ଯେଉଁଲୋକମାନେ ଶ୍ରୀଜଗନ୍ନାଥାଦି ଦେବତାଙ୍କୁ ଦର୍ଶନ କରନ୍ତି, ସେମାନେ ଘୋର ନରକରେ ପଡ଼ନ୍ତି।” ତେଣୁ ସେହି ସମୟରେ ସେମାନଙ୍କୁ ଦର୍ଶନ କରିବା ଶାସ୍ତ୍ରସମ୍ମତ ନୁହେଁ।

ସମ୍ବନ୍ଧିତ ଖବର