ବେଳେବେଳେ କ୍ଳାନ୍ତ ଥିଲେ କି ଚିନ୍ତିତ ଥିଲେ କି ଆଖିପତା କୁଣ୍ଡାଇ ହେଲେ, ଆମେ ଆଖି ମଳିଥାଉ। ଏହାକୁ ଏକ ବିପଦମୁକ୍ତ ଅଭ୍ୟାସ ବୋଲି ଆମେ ବିଚାରିଥାଉ। ମାତ୍ର ଏଭଳି ସାଧାରଣ କ୍ରିୟା ଯେ ଆଖିକୁ ସାମୟିକ ଆଶ୍ବସ୍ତି ଦେବା ବଦଳରେ ଆଖିର ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ହୋଇପାରେ, ତାହା ଚକ୍ଷୁ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ମାତ୍ରାଧିକ ଆଖି ମଳିବା ଦ୍ବାରା ସଂକ୍ରମଣ ଓ ଦୃଷ୍ଟିଶକ୍ତିର ଦୀର୍ଘକାଳୀନ କ୍ଷତିସାଧନର ଆଶଙ୍କା ରହିଛି। ଚକ୍ଷୁ ହେଉଛି ଆମ ଶରୀରର ଏକ ସୂକ୍ଷ୍ମ ତଥା କୋମଳ ପ୍ରତ୍ୟଙ୍ଗ, ଯାହାର ସକ୍ରିୟତା ବଜାୟ ରଖିବା ପାଇଁ ତାହାର ଯତ୍ନ ସର୍ବାଦୌ କାମ୍ୟ। ତେଣୁ ଆଖି ମଳିବାର କାରଣ ଏବଂ ସେଥିରୁ ନିବୃତ୍ତ ରହିବାର ଉପାୟ ବାବଦରେ ଜାଣିବା।
ଆବଶ୍ୟକ ଲୁହ ନ ଝରି ଯଦି ଚକ୍ଷୁଡୋଳା ଶୁଷ୍କ ହୋଇଯାଏ କି ଆଖିରେ କୌଣସି ଧୂଳିକଣା କି ଲୋମ ପରି କ୍ଷୁଦ୍ର ବସ୍ତୁ ପଡ଼ିଯାଏ, ଅଥବା କୌଣସି ଖାଦ୍ୟ ବିକାର (ଆଲର୍ଜି) ଦେଖାଦିଏ, ତେବେ ଆଖି କୁଣ୍ଡାଇ ହୋଇଥାଏ। ସେହିପରି କମ୍ପ୍ୟୁଟର ପରଦା କି ଅନ୍ୟ କୌଣସି ବସ୍ତୁକୁ ଦୀର୍ଘ ସମୟ ଦୃଷ୍ଟିନିକ୍ଷେପ କରି ରହିଲେ ଆଖିକୁ ଅସହଜ ମନେ ହୁଏ। ଆଖିରେ ଧୂଆଁ ବାଜିଲେ କି କୌଣସି ସଂକ୍ରମଣ ହେଲେ କି ଅନିଦ୍ରା ଥିଲେ ମଧ୍ୟ ଆଖିପତା ଭାରୀ ଭାରୀ ଲାଗିଥାଏ। ଏଭଳି କୌଣସି ସ୍ଥିତି ଉପୁଜିଲେ ଆମେ ଆଖିକୁ ମନ୍ଥିଦେଇ ସାମାନ୍ୟ ଆଶ୍ବସ୍ତ ହୋଇଥାଉ। ମାତ୍ର ଏଭଳି ବାରମ୍ବାର ଆଖିକୁ ମଳିଲେ ଚକ୍ଷୁର ଗୁରୁତ୍ବପୂର୍ଣ୍ଣ ଅଂଶ କର୍ଣ୍ଣିଆରେ ଦାଗ ପଡ଼ିଯାଏ। ବିଶେଷ କରି କୌଣସି ଧୂଳିକଣା ବା ଲୋମ ପରି ସାମଗ୍ରୀ ଆଖି ଭିତରେ ଥାଇ ତାହାକୁ ମଳିଲେ କର୍ଣ୍ଣିଆ ବେଶୀ କ୍ଷତିଗ୍ରସ୍ତ ହୋଇଥାଏ।
ଆଖିର ଆଖପାଖ ତ୍ବଚା ଅତ୍ୟନ୍ତ ନରମ ଓ ସମ୍ବେଦନଶୀଳ। ତେଣୁ ବାରମ୍ବାର ଆଖି ମନ୍ଥିବା ଦ୍ବାରା ଆଖି ତଳେ କଳା ଦାଗ ବା ଅପରିପକ୍ବ ବାର୍ଦ୍ଧକ୍ୟ ପରି ଚର୍ମ ଝୁଲିପଡ଼ିବାର ଆଶଙ୍କା ରହିଛି। ସେହିପରି ଆଖି ମଳିବା ଦ୍ବାରା କିଛି କ୍ଷଣ ପାଇଁ ଚକ୍ଷୁର ଅନ୍ତର୍ଚାପ ବଢ଼ିଯାଇଥାଏ, ଯାହା ଗ୍ଳୁକୋମା ରୋଗୀଙ୍କ ପାଇଁ କ୍ଷତିକାରକ। ଏଥି ସହିତ ଆଖି ମନ୍ଥିଲା ବେଳେ ଆମ ଖୋଲା ପାପୁଲିରେ ଲାଖିଥିବା ଅନେକ ଜୀବାଣୁ ଆଖି ସଂସ୍ପର୍ଶରେ ଆସି ସଂକ୍ରମଣ କରାଇଥା’ନ୍ତି। ତେଣୁ ଆଖିର ସ୍ବାସ୍ଥ୍ୟ ପାଇଁ ହାତକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ସହ ନିୟମିତ ଆଇଡ୍ରପ୍ ବା କୃତ୍ରିମ ଲୁହ ବ୍ୟବହାର କରିବା ଦରକାର। କୌଣସି ଧୂଳିମଳିରୁ ମୁକ୍ତ ରଖିବା ଲାଗି ଚଷମା ବ୍ୟବହାର ମଧ୍ୟ ଜରୁରି। ସେହିପରି ଏକକାଳୀନ ୨୦ ମିନିଟ୍ରୁ ଅଧିକ ସମୟ କୌଣସି ପରଦା ଉପରେ ଦୃଷ୍ଟି ନିକ୍ଷେପ କରିବା ନାହିଁ। ଆଖି ଉପରେ ଚାପ ନ ପକାଇବା ପାଇଁ ୨୦ ସେକେଣ୍ଡ୍ ପାଇଁ କୌଣସି ବସ୍ତୁଠାରୁ ୨୦ ଫୁଟ୍ ଦୂରେଇ ଯିବା। ସର୍ବୋପରି ଆଖି ଅଧିକ କୁଣ୍ଡାଇ ହେଲେ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଏକାନ୍ତ କାମ୍ୟ।