ସ୍ଥାପତ୍ୟରେ ଜଳ ସଂଗ୍ରହାଳୟ, ରସୁଲଗଡ଼ ଦେବ

ଜଳର ଅମୂଲ୍ୟ ବାର୍ତା

ସ୍ଥାପତ୍ୟ ବଖାଣିବ ଜଳର ଅମୂଲ ଗାଥା। ଜଳବାୟୁ ପରିବର୍ତନର ପରିଣତିକୁ ବ୍ୟକ୍ତ କରିବ ଜଳ ସଂଗ୍ରହାଳୟ। ସ୍ଥାପତ୍ୟ କଳାରେ ଏସବୁକୁ ଭେଟି ଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଳ୍ପୀ ମାନବ ଗୁପ୍ତା। ରସୁଲଗଡ଼ ଓଭରବ୍ରିଜ୍‌ ତଳେ ନିର୍ମାଣାଧୀନ ମୁକ୍ତାକାଶ କଳା ସଂଗ୍ରହାଳୟ ‌ଜନସାଧାରଣଙ୍କୁ ଏହି ନିଆରା ଅନୁଭବ ଭେଟି ଦେବ। ସ୍ମାର୍ଟ ସିଟିକୁ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଏସ୍‌ଜେଇପିଏଲ୍‌ ସହଯୋଗରେ ନିର୍ମିତ ହେଉଥିବା ଏହି କଳାକୃତି ଅନ୍ତର୍ଜାତୀୟ ସ୍ତରର ସର୍ବବୃହତ୍‌ ସ୍ଥାପତ୍ୟ ମୁକ୍ତ ଜଳ ସଂଗ୍ରହାଳୟ ହେବ ବୋଲି କହିଛନ୍ତି ଶ୍ରୀ ଗୁପ୍ତା। ନଳକୂପକୁ ଏବେ ଅନାବଶ୍ୟକ ବୋଲି ଧରି ନିଆଯାଇଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହି ନଳକୂପ ଲୋକଙ୍କର ପାଣିର ଆବଶ୍ୟକତା ପୂରଣ କରିବାରେ କେତେ ବଡ଼ ଭୂମିକା ନିର୍ବାହ କରିଥାଏ ସେ କଳା ମାଧ୍ୟମରେ ପରିପ୍ରକାଶ କରିଛନ୍ତି। ବିଭିନ୍ନ ଲୌହ ବର୍ଜ୍ୟକୁ ଏକାଠି କରି ସେ ପ୍ରସ୍ତୁତ କରିଥିବା ୨୦ ଫୁଟ ଉଚ୍ଚର ନଳକୂପ ଆକର୍ଷଣୀୟ ହୋଇଛି। ଭାସ୍କର୍ଯ୍ୟରେ ‘ରିଭର୍‌ ପଥ୍‌-ୱେ’, ଅର୍ଥାତ ନଦୀ ପଥକୁ ରାସ୍ତା ନିର୍ମାଣ କରିଛନ୍ତି। କିଛି କିଛି ସ୍ଥାନ ଦୂରରେ ଢିଙ୍କିଆ କଳ ରହିଥିବା ବେଳେ ଏଥିରୁ ପାଣି ନେବା ବେଳେ ଝରି ପଡ଼ି ନଷ୍ଟ ହୋଇଯାଉଥିବା ଜଳ ନଦୀକୁ ଯିବା ପାଇଁ ରାସ୍ତା ହୋଇଛି।

ବିଭିନ୍ନ ସ୍ଥାନରେ ପୁରୁଣା ନିର୍ମାଣ କାମରୁ ବାହାରିଥିବା ବର୍ଜ୍ୟକୁ ନେଇ ସେ ‘ସେଭେନ୍‌ ଟାୱାର ସିଟି’ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘ଏ ସିଟି ଇନ୍‌ ଏ ସିଟି’। ଏଥିରେ ଗୋଟିଏ ପାର୍ଶ୍ବରେ ସେ ଜଳ ସମ୍ପର୍କିତ ବିବରଣୀକୁ ଦର୍ଶାଇଛନ୍ତି। ଅନ୍ୟ ପାର୍ଶ୍ବରେ ଓଡ଼ିଶାର ସଂସ୍କୃତି ଓ ପରିଚୟ ବହନ କରୁଥିବା ଶ୍ରୀମନ୍ଦିର, କୋଣାର୍କ, ଲିଙ୍ଗରାଜ ମନ୍ଦିର, ଧଉଳି, ଓଡ଼ିଶୀ ନୃତ୍ୟ, ସଂଗୀତ ଓ ସାହିତ୍ୟକୁ ପ୍ରସ୍ଫୁଟିତ କରିଛନ୍ତି। ଏଥିସହ କିଛି ମହତ୍ତ୍ବପୂର୍ଣ୍ଣ ବାର୍ତା ଲେଖାଯାଇଛି। ରସୁଲଗଡ଼ ଓଭରବ୍ରିଜ୍‌ ତଳେ ବିସ୍ତୃତ ଜାଗାରେ ନିଆରା ସୃଜନ ଏକ ବିଦେଶୀ ସହରର ଚିତ୍ର ତୋଳିବ। ୨ ମାସ ଧରି କାମ ଚାଲିଥିବା ବେଳେ କାମ ସରିବା ପାଇଁ ଆଉ ମାସେ ଲାଗିବ ବୋଲି ‌ଶ୍ରୀ ଗୁପ୍ତା କହିଛନ୍ତି।

ଆମେରିକା, ଲଣ୍ଡନ, ଜର୍ମାନି, ଦକ୍ଷିଣ ଆଫ୍ରିକା, ମିଡିଲ୍‌ ଇଷ୍ଟ୍‌ରେ ନିଜ ସ୍ଥାପତ୍ୟ ଚାତୁରି ଦେଖାଇ ପ୍ରସିଦ୍ଧି ଅର୍ଜନ କରିଥିବା ଶ୍ରୀ ଗୁପ୍ତାଙ୍କର ଏହା ସ୍ବପ୍ନର ପ୍ରକଳ୍ପ ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ ବାୟୁ, ଜଳ, ନିଆଁ, ଆକାଶ, ପୃଥିବୀଠାରୁ ଆଉ ବଡ଼ ସମ୍ପତି କିଛି ହୋଇନପାରେ। ତା’ର ସଂରକ୍ଷଣ ନକଲେ ଭବିଷ୍ୟତ ଅନ୍ଧାର। ତେଣୁ ସ୍ଥାପତ୍ୟରେ ସହରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବା ସହ କିଛି ମହତ୍ତ୍ବପୂର୍ଣ୍ଣ ବାର୍ତା ଦେବା ଲକ୍ଷ୍ୟ ନେଇ ଏହି ଭାସ୍କର୍ଯ୍ୟକୁ ସୃଷ୍ଟି କରାଯାଇଛି।

ସମ୍ବନ୍ଧିତ ଖବର