ଅଶୋକପୂର୍ଣ୍ଣିମା ଓ ଦେବବୃକ୍ଷ ଅଶୋକ

‘ବାମନ ପୁରାଣ’ର ବର୍ଣ୍ଣନା ଅନୁସାରେ, ନଗରମାନଙ୍କ ମଧ୍ୟରେ କୁଶସ୍ଥଳୀ, ଦେଶମାନଙ୍କ ମଧ୍ୟରେ ମଧ୍ୟଦେଶ, ଫଳମାନଙ୍କ ମଧ୍ୟରେ ଆମ୍ବ ଓ ମୁକୁଳମାନଙ୍କ ମଧ୍ୟରେ ଅଶୋକ କଢ଼ି ଶ୍ରେଷ୍ଠ। ଅଶୋକକୁ ଦେବବୃକ୍ଷ ମଧ୍ୟ କୁହାଯାଏ। ଏହି ତରୁ ଶୋକନାଶକ ବୋଲି ‘ମହାଭାରତ’, ‘ରାମାୟଣ’ ଓ ‘ଅଗ୍ନିପୁରାଣ’ ଆଦିରେ ବର୍ଣ୍ଣିତ।

ଚୈତ୍ର ଶୁକ୍ଳ ଷଷ୍ଠୀ ତିଥିକୁ ‘ଅଶୋକ ଷଷ୍ଠୀ’ କୁହାଯାଏ। ଏହିଦିନ ଅପୁତ୍ରକ ନାରୀମାନେ ପୁତ୍ରକାମନା କରି ଷଷ୍ଠୀବ୍ରତ ପାଳିଥାନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କର ଅଷ୍ଟମୀ ତିଥିର ରଥଯାତ୍ରାକୁ ‘ଅଶୋକାଷ୍ଟମୀ ଯାତ୍ରା’ କୁହାଯାଏ। ସେହିପରି ଚୈତ୍ରପୂର୍ଣ୍ଣିମାକୁ କୁହାଯାଏ ଅଶୋକପୂର୍ଣ୍ଣିମା। ଏହିଦିନ ଚୈତ୍ରପୂର୍ଣ୍ଣିମା ବ୍ରତ ପାଳନ କରାଯାଏ। ଅଗ୍ନି ପୁରାଣ ଅନୁଯାୟୀ, ଏହି ବ୍ରତ ପାଳନ ଅବସରରେ ଶିବଙ୍କର ପ୍ରକାଶିତ ରୂପ ଭୂଧରଙ୍କୁ ଅର୍ଚ୍ଚନା କରାଯାଏ ଏବଂ ସେଥିସହିତ ଧରିତ୍ରୀମାତାଙ୍କର ମଧ୍ୟ ପୂଜା କରାଯାଏ।

ବ୍ରତବିଧି ଅନୁଯାୟୀ, ପ୍ରାତଃ କାଳରେ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଏବଂ ସନ୍ଧ୍ୟାକାଳରେ ଚନ୍ଦ୍ରଦେବଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥାଏ। କଥିତ ଅଛି, ଏହି ତିଥିମାନଙ୍କରେ ଆଠଟି ଅଶୋକ କଢ଼ି ଭକ୍ଷଣ କଲେ ରୋଗ ଓ ଦୁଃଖ ରହେ ନାହିଁ। ଏହା ମଧ୍ୟ ନିର୍ଦ୍ଦେଶ ଅଛି, ଯେ ଚୈତ୍ରପୂର୍ଣ୍ଣିମା ବ୍ରତ କରିବେ, ସେ ଚୈତ୍ର ପୂର୍ଣ୍ଣିମାଠାରୁ ଏକବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଏହି ବ୍ରତ ପାଳନ କରିବେ। ଏହି ବ୍ରତ ପାଳନ କଲେ ଶିବଲୋକରେ ସ୍ଥାନ ମିଳିଥାଏ।

ଅଶୋକପୂର୍ଣ୍ଣିମା ହେଉଛି ମନୁଷ୍ୟର ସମସ୍ତ କର୍ମ ଓ ଅକର୍ମର ହିସାବରକ୍ଷକ ଚିତ୍ରଗୁପ୍ତଙ୍କର ପୂଜନ ତିଥି। ଏହି ଦିନଟି କେତେକ ଜ୍ୟୋତିର୍ବିଦ୍‌ଙ୍କ ମତରେ ମହାବୀର ହନୁମାନଙ୍କର ଜନ୍ମଦିବସ। ବୈଷ୍ଣବ ଶାସ୍ତ୍ର ଅନୁସାରେ ଅଶୋକ ପୂର୍ଣ୍ଣିମା ରାତିରେ ଶ୍ରୀକୃଷ୍ଣ ବ୍ରଜଭୂମିରେ ମହାରାସ ଉତ୍ସବ କରିଥିଲେ ଏବଂ ତାହା ହେଉଛି ବସନ୍ତ ରାସ। ଏହି ଦିନ ବିଷ୍ଣୁଭକ୍ତମାନେ ବିଷ୍ଣୁଙ୍କର ଅନନ୍ୟ ରୂପ ସତ୍ୟନାରାୟଣଙ୍କୁ ଆରାଧନା କରି ସତ୍ୟନାରାୟଣ କଥା ଶୁଣିଥାନ୍ତି।

ଡକ୍ଟର ତୁଳସୀ ଓଝା
ମୋ: ୯୪୩୭୪୨୨୪୧୧

ସମ୍ବନ୍ଧିତ ଖବର