ଋକ୍‌ବେଦୀୟ ‘ରାଧାତାପିନୀ’ ଉପନିଷଦ ଅନୁସାରେ, ପରଂବ୍ରହ୍ମ, ବ୍ରହ୍ମାଣ୍ଡନାୟକ ଶ୍ରୀକୃଷ୍ଣ ଯାହାଙ୍କୁ ନିରନ୍ତର ଆରାଧନା କରନ୍ତି ସେ ହେଉଛନ୍ତି ରାଧା। ‘ଗୋପାଳ ଚମ୍ପୂ’ର ବର୍ଣ୍ଣନା ଅନୁସାରେ, ଶ୍ରୀକୃଷ୍ଣଙ୍କର ସ୍ୱରୂପଶକ୍ତି ଶ୍ରୀରାଧା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ, ଗୋକୁଳ ନିକଟବର୍ତ୍ତୀ ରାବେଳି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ବୃଷଭାନୁ ଓ ମାତା କୀର୍ତ୍ତିଦା।

Advertisment

ପୁରାଣ ପ୍ରସଙ୍ଗ ଅନୁସାରେ, ରାଧା ଥିଲେ ଅଯୋନିସଂଭୂତା। ଦିନେ ବୃଷଭାନୁଙ୍କର ପତ୍ନୀ କୀର୍ତ୍ତିଦା ପୁଷ୍କରିଣୀକୁ ସ୍ନାନ କରିବାକୁ ଯାଇଥିବା ବେଳେ, ଜଳ ମଧ୍ୟରେ ପ୍ରସ୍ଫୁଟିତ ନୀଳ କମଳ ଭିତରେ ଏକ ପରମା ସୁନ୍ଦରୀ କନ୍ୟା କ୍ରୀଡ଼ା କରୁଥିବାର ଦେଖିଲେ। ସେ ସେହି କନ୍ୟାଙ୍କୁ ଆଣି ନିଜର କନ୍ୟା ରୂପେ ପ୍ରତିପାଳନ କଲେ। ଅନ୍ୟ ମତ ଅନୁସାରେ, ବୃଷଭାନୁ ରାବେଳୀ (ବର୍ଷାନା)ରୁ ଆସି ବୃନ୍ଦାବନରେ ବସତି କଲାପରେ, ଏକ ଯଜ୍ଞ କରୁଥିଲେ। ସେହି ଯଜ୍ଞକୁଣ୍ଡ ନିକଟରୁ ତାଙ୍କୁ ରାଧା ପ୍ରାପ୍ତ ହୋଇଥିଲେ। ପରବର୍ତ୍ତୀ କାଳରେ, ସମସ୍ତ ଦେବଦେବୀ ଏକତ୍ର ହୋଇ ବୃନ୍ଦାବନେଶ୍ୱରୀ ଭାବରେ କୃଷ୍ଣବଲ୍ଲଭା ରାଧାଙ୍କର ମହାଭିଷେକ କରାଇଥିଲେ। ସେହି ଅଭିଷେକରେ ସାବିତ୍ରୀ ପଦ୍ମମାଳ, ସଚ୍ଚି ସ୍ୱର୍ଣ୍ଣସିଂହାସନ, କୁବେରପତ୍ନୀ ମନୋରମା ରତ୍ନ ଅଳଂକାର, ବରୁଣ ପତ୍ନୀ ଗୌରୀ ଛତ୍ର, ପବନପତ୍ନୀ ନବା ନୂପୁର ଆଦି ଉପହାର ପ୍ରଦାନ କରି ତାଙ୍କୁ ଅଳଙ୍କୃତ କରିଥିଲେ। ଅଷ୍ଟସଖୀ ଲଳିତା, ବିଶାଖା, ଚିତ୍ରା, ରଙ୍ଗଦେବୀ, ତୁଙ୍ଗବିଦ୍ୟା, ଚମ୍ପକଲତା, ଇନ୍ଦୁଲେଖା ଓ ସୁଦେବୀ ତାଙ୍କର ସେବା କରିଥିଲେ।

‘ରାଧା’ ଶବ୍ଦର ଅର୍ଥ ସଂସାରର ସମସ୍ତ ଦୁଃଖହରଣକାରୀ। ଏହିହେତୁ ରାଧାଙ୍କର ଆବିର୍ଭାବ ଦିବସକୁ ଗୃହସ୍ଥମାନେ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି। ପ୍ରାତଃକାଳରୁ ବ୍ରତଚାରିଣୀମାନେ ଶଯ୍ୟାତ୍ୟାଗ କରି ସ୍ନାନାନ୍ତେ ଏକ ସୁସଜ୍ଜିତ ପିଣ୍ଡି ତଳେ ମଣ୍ଡଳକାଟି ବସ୍ତ୍ରାଦିରେ ସଜ୍ଜିତ କରି ଏକ କଳସ ବସାଇଥାନ୍ତି। ରାଧାଙ୍କ ମୂର୍ତ୍ତିକୁ ପଞ୍ଚାମୃତରେ ସ୍ନାନକରାଇ, ନୂତନ ବସ୍ତ୍ର ପିନ୍ଧାଇ କାଷ୍ଠାସନରେ ବସାନ୍ତି। ବ୍ରାହ୍ମଣ ଆସି ଷୋଡ଼ଶ ଉପଚାରରେ ପୂଜାବିଧି ସଂପନ୍ନ କରି, ବିଭିନ୍ନ ପ୍ରକାରର ଫଳ, ମିଷ୍ଟାନ୍ନ ଆଦି ନୈବେଦ୍ୟ ଅର୍ପଣ କରିଥାନ୍ତି। ଏହାପରେ ବ୍ରତକଥା ଶୁଣାହୁଏ। ବ୍ରତଚାରୀମାନେ ସାରାଦିନ ଉପବାସ କରନ୍ତି ଏବଂ ସଂଧ୍ୟା ସମୟରେ ପୂଜା ସଂପନ୍ନ କରି ଥରେ ମାତ୍ର ଭୋଜନ କରନ୍ତି। ପରଦିନ ସଧବା ନାରୀମାନେ ବ୍ରାହ୍ମଣ ଭୋଜନ କରାଇ, ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ବ୍ରତ ଉଦ୍‌ଯାପନ କରିଥାନ୍ତି।

ଓଡ଼ିଶାରେ ମଧ୍ୟ ଏହି ଦିନଟିକୁ ମହାସମାରୋହରେ ପାଳନ କରାଯାଏ। ବିଶେଷକରି ପୁରୀର ବଡ଼ ଓଡ଼ିଆମଠ ଓ ସାତଲହଡ଼ି ମଠରେ ଏହିଦିନ ବିଶେଷ ଉତ୍ସବ ହୁଏ। କାରଣ ଏହି ଦିନଟି ‘ଶ୍ରୀମଦ୍ ଭାଗବତ’ର ରଚୟିତା ଜଗନ୍ନାଥ ଦାସଙ୍କର ଜନ୍ମଦିବସ।

ଡକ୍ଟର ତୁଳସୀ ଓଝା