ଉପହାର ଦେବା ବେଳେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ଆପଣଙ୍କ ଆତ୍ମୀୟ ଦୁଃଖୀ ହୋଇପାରନ୍ତି

ଉପହାର ଦିଆ ନିଆ ପ୍ରଥାଟି ବିଦେଶୀ ସଂସ୍କୃତିର ହୋଇଥିଲେ ବି ସମୟକ୍ରମେ ଭାରତୀୟ ସଂସ୍କୃତିରେ ଏହା ଯୋଡ଼ି ହୋଇ ସାରିଲାଣି। ବିନା ଉପହାରରେ ଯେ ସଂପର୍କଟେ ତିଷ୍ଠି ପାରେନାହିଁ ତାହା ନୁହେଁ, ମାତ୍ର ସଂପର୍କକୁ ରଂଗୀନ କରିବାରେ ଉପହାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେତେବେଳେ ଉପହାରଟି ସୁନ୍ଦର ଦିଶେ ଯେତେବେଳେ ଜିନିଷ ଅପେକ୍ଷା ଭାବନାର ଗୁରୁତ୍ୱ ସେଥିରୁ ସ୍ପଷ୍ଟ ବାରି ହୋଇପଡ଼େ। ଅର୍ଥାତ ସବୁ ଉପହାର ମୂଲ୍ୟବାନ ମାତ୍ର ସବୁ ଉପହାରର ମୂଲ୍ୟ ସମସ୍ତଙ୍କ ପାଇଁ ସମାନ ନୁହେଁ। ତେଣୁ ଆପଣ ଯାହାଙ୍କୁ ଉପହାର ଦେବାକୁ ଚାହାନ୍ତି ତାଙ୍କ ଭାବନାକୁ ଠିକ୍‌ କରି ନପଢ଼ିଥିଲେ ଉପହାର ଦେବାର ବୋକାମୀ କରନ୍ତୁ ନାହିଁ। ବେଳେ ବେଳେ ଏହା ଖୁସି ବଦଳରେ ଆପଣଙ୍କ ପ୍ରିୟଜନଙ୍କ ଦୁଃଖର କାରଣ ହୋଇଥାଏ।

କାହାକୁ ଉପହାର ଦେବାକୁ ଚିନ୍ତା କରୁଛନ୍ତି କି? ତେବେ ପ୍ରଥମେ କ’ଣ ଦେବେ ବୋଲି ଭାବନ୍ତୁ ନାହିଁ। ବରଂ କାହାକୁ ଦେବେ ବୋଲି ଭାବନ୍ତୁ। ଫଳରେ ଆପଣଙ୍କୁ ଜିନିଷ ଚୟନ କରିବାକୁ ସହଜ ହେବ। ଜଣେ ଲୋକ ଅନ୍ୟ ଜଣକଠୁ ଭିନ୍ନ। ତେଣୁ ଆପଣ ଯାହାଙ୍କୁ କିଛି ଦେବାକୁ ଚାହାନ୍ତି ପ୍ରଥମେ ତାଙ୍କ ପସନ୍ଦ ବିଷୟରେ ଅବଗତ ହୁଅନ୍ତୁ।

ବେଳେ ବେଳେ କ୍ଷୁଦ୍ର ଜିନିଷଟି ବି ଭାରି ମନ କିଣି ନିଏ, ଜୀବନ ଯାକ ମନେ ରହେ। ଆପଣଙ୍କ ଉପହାର ସେଭଳି ହେବା ଉଚିତ। ମନେ ରଖନ୍ତୁ ଆପଣଙ୍କ ଉପହାର ଆକର୍ଷଣୀୟ ନହେଲେ ଚଳିବ, ସେଥିରେ ଟିକେ ଭାବପ୍ରବଣତା ଥିଲେ ତାହା ହେବ ଶ୍ରେଷ୍ଠ ଉପହାର। ଦାମୀ ଉପହାର ଯେ ଆପଣଙ୍କ ଆତ୍ମୀୟଙ୍କୁ ଖୁସି ପ୍ରଦାନ କରିବ ସେପରି ଭାବିବା ଆଦୌ ଭୁଲ୍‌।

ସଂପର୍କର ଆବଶ୍ୟକତା ଅନୁଯାୟୀ ଉପହାର ଦିଅନ୍ତୁ। ମନେରଖନ୍ତୁ ସମସ୍ତଙ୍କୁ ଏକା ପ୍ରକାର ଉପହାର ଦେଇ ହୁଏନା, ଦେବା ଉଚିତ ବି ନୁହେଁ। ମାଆ , ଭଉଣୀ, ପତ୍ନୀ, ବନ୍ଧୁ, ସହଯୋଗୀ, ଶୁଭେଚ୍ଛୁ ସମସ୍ତଙ୍କ ସ୍ଥାନ ଭିନ୍ନ ଓ ଭଲପାଇବାର ସ୍ୱାଦ ବି ଭିନ୍ନ। ତେଣୁ କେଉଁ ସଂପର୍କରେ କେଉଁ ଉପହାର ସୁନ୍ଦର ଦିଶିବ ସେ ଦିଗକୁ ବି ଧ୍ୟାନ ଦିଅନ୍ତୁ। ଏମିତି ହୋଇପାରେ ଆପଣ ଦେଉଥିବା ଉପହାର ଅପର ଲୋକର ମୁଣ୍ଡ ବିନ୍ଧାର କାରଣ ହୋଇଯିବ!

ନିହାତି ନିଜର ଲୋକ ନହେଲେ ଖୁବ୍‌ ଦାମୀ ଉପହାର ଦିଅନ୍ତୁ ନାହିଁ। ଆପଣ କ’ଣ ଦେବେ ତାହା କେବଳ ଆପଣଙ୍କ ସାମର୍ଥ୍ୟ ନୁହେଁ ବରଂ ଗ୍ରହଣକାରୀଙ୍କ ଗ୍ରହଣୀୟତା ଉପରେ ବି ନିର୍ଭର କରିବା ଉଚିତ।

ସମ୍ବନ୍ଧିତ ଖବର