ଏସିଡିଟି ଆଜାକାଲି ପ୍ରାୟ ଅଧିକାଂଶ ଲୋକଙ୍କ ସମସ୍ୟା। ଖାଇବା କିମ୍ବା ଶୋଇବାରେ ଟିକେ ଅବହେଳା ହେଲେ ଏହି ସମସ୍ୟା ଶରୀରକୁ କବଳିତ କରିଥାଏ। ବେଳେ ବେଳେ ପେଟରୁ ଏସିଡି ନିର୍ଗତ ହୋଇ ଗଳା ଆଡ଼େ ପଳେଇ ଆସିଥାଏ। ଫଳରେ ତଣ୍ଟି ଦରଜ ହେବାକୁ ଲାଗେ। ଏହି ଏସିଡିଟିରୁ ମୁକ୍ତି ପାଇବାକୁ ଆପଣଙ୍କୁ ହସ୍ପିଟାଲ୍‌ ଯିବାକୁ ପଡ଼ିବ ନାହିଁ। କିଛି ଘରୋଇ ଉପାୟ ଆପଣେଇ ମଧ୍ୟ ଆପଣ ଏଥିରୁ ମୁକ୍ତି ପାଇପାରିବେ। ସ୍ବାସ୍ଥ୍ୟ ଗବେଷକମାନଙ୍କ କହିବାନୁଯାୟୀ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣିଲେ ଏହି ସମସ୍ୟାକୁ ଦୂରେଇ ଦେଇ ହେବ।

Advertisment

ଏସିଡିଟି ମୁଖ୍ୟତଃ ଖାଦ୍ୟ ଏପଟ ସେପଟ ଯୋଗୁ ହୋଇଥାଏ। ଆପଣ ନିଜର ଖାଇବା ଉପରେ ଧ୍ୟାନ ରଖନ୍ତୁ। ଗ‌େବେଷକମାନେ ପରାମର୍ଶ ଦେଇଛନ୍ତି ଯେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ। ଏକାଥରେ ପେଟପୂରା ଖାଇଲେ ଏସିଡିଟି ହେବାର ସମ୍ଭାବନା ରହିଛି।

ଯଦି ଆପଣଙ୍କର କଫି ପିଇବା ସଉକ ଅଛି ତେବେ ସେଥିରେ ଲଗାମ ଦିଅନ୍ତୁ। କଫି ପିଇବା ଦ୍ବାରା ଖୁବ୍ ଶୀଘ୍ର ଏସିଡିଟି ହୋଇଯାଏ। କଫି ପିଇଲେ ପେଟରେ ସବୁଠାରୁ ଅଧିକ ଏସିଡି ନିର୍ଗତ ହୁଏ।

ଉଚ୍ଚ ପିଏଚ୍‌ ସ୍ତର ଥିବା ଖାଦ୍ୟ ଖାଅନ୍ତୁ। ଏହା ଏସିଡିଟିରୁ ମୁକ୍ତି ଦେଇଥାଏ। ଆପଣଙ୍କ ଦେହରେ ଯାଉନଥିବା ଭଳି ଖାଦ୍ୟ ଖାଆନ୍ତୁ ନାହିଁ। କୌଣସି ଖାଦ୍ୟ ଯଦି ଆପଣଙ୍କ ଶରୀର ପାଇଁ ଉପଯୁକ୍ତ ନୁହେଁ ଆଉ ଆପଣ ଜବରଦସ୍ତି ଖାଇଛନ୍ତି, ତେବେ ବି ଏସିଡିଟି ହେବାର ସମ୍ଭାବନା ରହିଛି।

ଶୋଇବାର ଏକ ସମୟ ନିର୍ଦ୍ଧାରଣ କରନ୍ତୁ। ଶୋଇବା ସମୟ ଏପଟସେପଟ ହେଲେ ମଧ୍ୟ ପେଟରୁ ଏସିଡି ନିର୍ଗତ ହୋଇ ବିଭିନ୍ନ ଧରଣର ପେଟ ସମସ୍ୟା ହୋଇଥାଏ। ଖାଇବା ପରେ ସାଙ୍ଗେ ସାଙ୍ଗେ ଶୋଇଲେ ବି ପେଟ୍‌ରେ ଏସିଡିଟି ହୋଇଯାଏ। ଆପଣ ଖଟକୁ ଯିବାର ଅତି କମ୍‌ରେ ୧ ଘଣ୍ଟା ପୂର୍ବରୁ ଖାଇଦିଅନ୍ତୁ।