ଶରୀରଂ ରୋଗ ସମ୍ଭବଂ’। ଅର୍ଥାତ୍‌, ଦେହ ଅଛି ତ ରୋଗ ଅଛି। କିନ୍ତୁ ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆମକୁ ରୋଗ କବଳରୁ ରକ୍ଷା କରିଥାଏ। ଏହାକୁ ‘ବ୍ୟାଧିକ୍ଷମତ୍ୱ’ କୁହାଯାଏ।

Advertisment

ଆମ ଶରୀରରେ କେତେକ ରୋଗର ସ୍ଥାୟୀ ପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ଟୀକା ତିଆରି ହୋଇଛି। କିନ୍ତୁ ‘କରୋନା’ ପରି ଆଜିର ନୂଆ ରୋଗ ‌ପାଇଁ ଟୀକା ଏଯାଏ ତିଆରି ହୋଇନାହିଁ। ସେଥିପାଇଁ ସୁପ୍ରାଚୀନ କାଳରୁ ଶରୀରର ‘ବ୍ୟାଧିକ୍ଷମତ୍ୱ’ ବୃଦ୍ଧିପାଇଁ ଆୟୁର୍ବେଦ ଶାସ୍ତ୍ରରେ ଉପାୟ ଦର୍ଶାଯାଇଛି। ଅତିମାରୀ କରୋନାର ପ୍ରତିରୋଧକ ଭାବରେ ତାହାର ଉପାଦେୟତା ଆଜି ବି ସ୍ୱୀକୃତ ହେଉଛି।

ଆମ ଶରୀରର ଗୋଟିଏ ସାଧାରଣ ରୋଗ ହେଉଛି, ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର। ଏହାର ପ୍ରତିରୋଧକ ଭାବରେ କେତୋଟି ସାଧାରଣ ଦ୍ରବ୍ୟରେ ପ୍ରସ୍ତୁତ ‘କ୍ୱାଥ’ ବା ସିଝାପାଣିର ଦ୍ରବଣ ଅତ୍ୟନ୍ତ ଉପାଦେୟ। ସେହି ଦ୍ରବ୍ୟଗୁଡ଼ିକ ହେଉଛି- ଡାଳଚିନି, ଗୋଲମରିଚ, ପୁଦିନା, ତେଜପତ୍ର, ତୁଳସୀପତ୍ର, ଗୁଜୁରାତି, ଶୁଣ୍ଠି ଓ ଚା’ ପତି। ଏସବୁ ଆମକୁ ସହଜରେ ମିଳୁଥିବା ଜିନିଷ। ଏହାକୁ ଏକାଠି କୁଟି, ଗୁଣ୍ଡକରି, ‘କ୍ୱାଥ’ ପାଇଁ ବ୍ୟବହାର କରାଯାଏ। ଚା’ ପରି, ସେହି ଗୁଣ୍ଡକୁ ଦଶମିନିଟ୍ ପାଣିରେ ସିଝାଇ ଓ ଛାଣି ବ୍ୟବହାର କଲେ ଶରୀରର ‘ବ୍ୟାଧିକ୍ଷମତ୍ୱ’ ବୃଦ୍ଧିପାଏ।

publive-image

ଏସବୁ ମଧ୍ୟରୁ ତୁଳସୀ କଫନାଶକ ଓ ରକ୍ତଶୋଧକ। ଏହା ହୃତ୍‌ପିଣ୍ଡ ପାଇଁ ଅତି ଉପକାରୀ ଏବଂ ଜୀବାଣୁମାନଙ୍କର ବିଷକ୍ରିୟା ନାଶ କରି ଶରୀରର ଓଜ ବା ଶକ୍ତି ବଢ଼ାଇଥାଏ। ଡାଳଚିନି କିଛି ପରିମାଣରେ ତୀକ୍ଷ୍‌ଣ ହେଲେ ମଧ୍ୟ, ବେଦନା ନାଶ କରେ ଓ ନାଭିମଣ୍ଡଳକୁ ସକ୍ରିୟ କରାଏ। ଏହା ମଧ୍ୟ ବିଷନାଶକ, ଯକୃତର ଶକ୍ତିବର୍ଦ୍ଧକ ଓ ଶରୀରର କ୍ଷୟ ନିରୋଧକ। କଫ ହିଁ ଶରୀରରେ କାଶ, ଶ୍ୱାସ, ଜ୍ୱର ଏବଂ ଥଣ୍ଡା ବା ସର୍ଦ୍ଦିର କାରଣ। ଗୋଲମରିଚର ଗୋଟିଏ ବଡ଼ଗୁଣ ହେଉଛି, ଏହା କଫନାଶକ ଓ କଫ ନିୟନ୍ତ୍ରକ। ଏହା ନାଡ଼ିମଣ୍ଡଳପାଇଁ ଅତ୍ୟନ୍ତ ଉପକାରୀ। ଶରୀରରୁ ବିଷ ଓ କୃମି ନାଶ କରି ଏହା ବିଷାକ୍ତ ଅଂଶକୁ ମୂତ୍ରମାର୍ଗରେ ନିଷ୍କାସିତ କରେ ଏବଂ ଶରୀରକୁ ସ୍ଫୂର୍ତ୍ତି ଦିଏ। ରକ୍ତକୁ ଶୁଦ୍ଧ କରେ। ଗୁଜୁରାତି ବା ଛୋଟ ଅଳେଇଚ ହୃତ୍‌ପିଣ୍ଡ ପାଇଁ ହିତକର। ଏହା ବାତ, ପିତ୍ତ ଓ କଫର ସନ୍ତୁଳନ ରକ୍ଷା କରେ ଏବଂ କଫକୁ କାଟି ଦେହରେ କାଶ, ଶ୍ୱାସ ଓ ସର୍ଦ୍ଦି କରାଇ ଦିଏ ନାହିଁ। ଏହାର କ୍ଷୟ ନିରୋଧୀ ଉପାଦାନ ମଧ୍ୟ ଶରୀରକୁ ଶକ୍ତି ଦିଏ। ପୁଦିନା ପାଚନଶକ୍ତି ବୃଦ୍ଧିକାରକ ଓ ଶରୀରର ବିଶୋଧକ। ଶୁଣ୍ଠି ଆମଦୋଷ ନାଶକ ଓ ଅଗ୍ନିବର୍ଦ୍ଧକ। ଚା’ ପତି, ବିଶେଷ କରି ସବୁଜ ଚା’ (ଗ୍ରୀନ୍ ଟି) ସହିତ ମିଶାଇ ପ୍ରସ୍ତୁତ କରାଯାଉଥିବା ଏସବୁର ‘କ୍ୱାଥ’ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। କାରଣ ଚା’ ବା ସବୁଜ-ଚା ଏକ ‘ଆଣ୍ଟି-ଅକ୍ସିଡାଣ୍ଟ‘ ବା ବିଷାକ୍ତ ଉପାଦାନ ନାଶକ।

ଏଣୁ ଏସବୁରୁ ପ୍ରସ୍ତୁତ ‘କ୍ୱାଥ’ ପିଇଲେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଆମକୁ ସ୍ଫୂର୍ତ୍ତ ଓ କର୍ମତତ୍ପର କରିଥାଏ। ଏହା ଫଳରେ ଆମେ ନିରୋଗ ଓ ଦୀର୍ଘଜୀବୀ ହୋଇଥାଉ।

-ପ୍ରଫେସର ଡକ୍ଟର ଗୋପାଳଚନ୍ଦ୍ର ନନ୍ଦ