ଏଇ କେତୋଟି ପତ୍ରରେ କରନ୍ତୁ ଡେଙ୍ଗୁ ଜ୍ୱରର ସରଳ ଚିକିତ୍ସା; ଦୃଢ଼ ହେବ ରୋଗ ପ୍ରତିରୋଧକ ଶକ୍ତି

ମଶା କାମୁଡ଼ା ଯୋଗୁଁ କେତେ ନା କେତେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ। ସେଥିରୁ ଡେଙ୍ଗୁ ଗୋଟାଏ। ଡେଙ୍ଗୁ ଭୂତାଣୁର ବାହକ ହେଉଛି ଏଡିସ୍‌ ମଶା। ମଶା କାମୁଡ଼ା ଜରିଆରେ ଡେଙ୍ଗୁ ଭୂତାଣୁ ମଣିଷ ଶରୀର ମଧ୍ୟକୁ ପ୍ରବେଶ କରିବା ସହ ରକ୍ତ ସ୍ରୋତରେ ସାମିଲ ହୋଇ ନିଜର ବଂଶ ବୃଦ୍ଧି କରେ।

ଡେଙ୍ଗୁ ଏକ ସଂକ୍ରାମକ ବେମାରି ନୁହେଁ ସତ, କିନ୍ତୁ ଏହା ନ ବ୍ୟାପିବା ନିମନ୍ତେ ଚତୁପାର୍ଶ୍ୱର ପରିମଳ ବ୍ୟବସ୍ଥା ନିର୍ମଳ ରହିବା ଆବଶ୍ୟକ। ଏହି କ୍ରାନ୍ତୀୟ ଜଳବାୟୁ ବେମାରି ମଶା କାମୁଡ଼ିବାର ଅଳ୍ପ କେତେ ଦିନ ପରେ ଖଇଫୁଟା ଜର, ମୁଣ୍ଡବିନ୍ଧା, ଗଣ୍ଠିବିନ୍ଧା ଏବଂ ବାନ୍ତି ଆଦି ଉପସର୍ଗ ସହ ଆରମ୍ଭ ହୋଇଥାଏ।

ଖାଲି ଜର ହେବା ଛଡ଼ା ପ୍ରାରମ୍ଭିକ ଅବସ୍ଥାରେ ଡେଙ୍ଗୁ ଏଡ଼େ ବିପଜ୍ଜନକ ହୋଇ ନ ଥାଏ। ଯଦି ସେ ଜର ଲାଗି ରହିଲା ଏବଂ ତାହାର ଉପଯୁକ୍ତ ଚିକିତ୍ସା କରା ନ ଗଲା ତାହା କ୍ରମେ ପ୍ରାଣଘାତୀ ‘ଡେଙ୍ଗୁ ହେମୋରହେଜିକ୍‌ ଫିଭର୍‌’ ପାଲଟି ଯାଏ। ଡେଙ୍ଗୁ ଜର ଭଲ ହେବାକୁ ପ୍ରାୟ ସପ୍ତାହେ ଲାଗେ।

ଆୟୁର୍ବେଦରେ ଡେଙ୍ଗୁ ‘ଦଣ୍ଡକ ଜ୍ୱର’ ଭାବେ ସୁପରିଚିତ। ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆୟୁର୍ବେଦ ମୁଖ୍ୟତଃ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ଼ କରିଥାଏ। ଏହା ଫଳରେ ଜ୍ୱର ନିୟନ୍ତ୍ରିତ ହୋଇଥାଏ।

ଡେଙ୍ଗୁ ଚିକିତ୍ସା ନିମନ୍ତେ ଆୟୁର୍ବେଦରେ ବର୍ଣ୍ଣିତ କେତେକ ଔଷଧୀୟ ପତ୍ର ଓ ରସର ଉପଯୋଗ କରି ସୁସ୍ଥ ହୁଅନ୍ତୁ।

ତୁଳସୀପତ୍ର: ତୁଳସୀ ପତ୍ର ସ୍ନାୟୁବିକ ପ୍ରଣାଳୀ ଉପରେ ସୁପ୍ରଭାବ ପକାଇ ଥାଏ। ତୁଳସୀପତ୍ରରୁ ପ୍ରସ୍ତୁତ ପାନୀୟ ଏବଂ ତୁଳସୀ ପାଣି ପାକସ୍ଥଳୀ ଶକ୍ତିଶାଳୀ କରାଇବାକୁ ବ୍ୟବହାର କରାଯାଏ। ଡେଙ୍ଗୁ ପୀଡ଼ିତମାନେ ଦୈନିକ ୧୫ ରୁ ୨୦ ତୁଳସୀ ପତ୍ର ଚୋବାଇବା ଉଚିତ।

ଅମୃତଭଣ୍ଡାପତ୍ର: ଡେଙ୍ଗୁ ଜ୍ୱର ଉପସମ ନିମନ୍ତେ ଅମୃତଭଣ୍ଡାପତ୍ରର ବ୍ୟବହାର ବହୁ ପୁରାତନ। ଏହି ପତ୍ରକୁ ଖଣ୍ଡେ ଶୁଖିଲା କପଡ଼ାରେ ମକଚି ଗରମ ପାଣିରେ ରାନ୍ଧନ୍ତୁ। ଉତ୍ତମ ଫଳ ପାଇଁ ରୋଗୀ ଏହି ରନ୍ଧାପତ୍ରରୁ ଦୈନିକ ଦୁଇ ଟେବୁଲ୍‌ ଚାମଚ ଖାଇବା ଉଚିତ।

ମେଥିପତ୍ର: ଜ୍ୱର ଓ ବିନ୍ଧାବିନ୍ଧି ଭଲ କରିବା ନିମନ୍ତେ ମେଥିପତ୍ର ସର୍ବଜନ ବିଦିତ। ଆଂଶିକ ନିଦ୍ରାକାରକ ଉପାଦାନ ଥିବାରୁ ଏହାକୁ ଖାଇଲେ ଭଲ ନିଦ ହୁଏ। ମେଥିପତ୍ରକୁ ପାଣିରେ ବତୁରାଇ ବା ଚୂର୍ଣ୍ଣ କରିବା ପରେ ସେଥିରେ ପାନୀୟ ପ୍ରସ୍ତୁତି କରି ରୋଗୀକୁ ଦିଆଯାଏ।

ନିମପତ୍ର: ଗରମ ପାଣିରେ ନିମପତ୍ର ପକାଇ ସେ ପାଣିକୁ ପିଇଲେ କ୍ଷୟ ହେଉଥିବା ରକ୍ତ ପ୍ଲେଟେଲେଟ୍‌ ଏବଂ ଶ୍ୱେତ ରକ୍ତ କୋଷ ସଂଖ୍ୟା ବୃଦ୍ଧି ପାଏ। ଡେଙ୍ଗୁ ଭୂତାଣୁ ଶରୀରରେ ପ୍ରବେଶ କଲେ ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ଏ ଦୁଇ ରକ୍ତ କୋଷିକା କ୍ଷୟ ହୋଇଥାଏ।

କମଳାରସ: ଭିଟାମିନ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍‌ ସମୃଦ୍ଧ କମଳାରସ ରୋଗ ପ୍ରତିରୋଧକ ପ୍ରଣାଳୀରେ ଆଣ୍ଟିବଡି ବୃଦ୍ଧି କରାଇଥାଏ। ଶରୀରର କ୍ଷୟ ମରାମତି ପାଇଁ ଆବଶ୍ୟକ ଷ୍ଟ୍ରକ୍‌ଚୁରାଲ୍‌ ପ୍ରୋଟିନ୍‌ ‘କୋଲାଜେନ୍‌’ ସୃଷ୍ଟି କରୁଥିବା ଭିଟାମିନ୍‌ ‘ସି’ ଏଥିରେ ପ୍ରଚୁର ପରିମାଣରେ ଥାଏ। ଏହାଛଡ଼ା କମଳାର ଜଳୀୟଅଂଶ ଅଧିକ ପରିସ୍ରା କରାଉଥିବାରୁ ଦେହର ବିଷାକ୍ତ ଉପାଦାନ ନିଷ୍କାସିତ ହୋଇଥାଏ।

ସମ୍ବନ୍ଧିତ ଖବର