ବଡ଼ବଡୁଆଏ ହେ!…

“ବଡ଼ବଡ଼ୁଆଏ ହେ! ଅନ୍ଧାରରେ ଆସି ଆଲୁଅରେ ଯାଅ! ଗଙ୍ଗା ଯାଅ! ଗୟା ଯାଅ! ଗୋଦାବରୀ ଯାଅ! ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ!” ଏ ହେଉଛି ଆମର ପାରମ୍ପରିକ ‘ବଡ଼ବଡ଼ୁଆ ଡାକ’। ଏହାର ଅନେକ ତାତ୍ପର୍ଯ୍ୟ ରହିଛି।

ବିଧି ଅନୁସାରେ, ଦୀପାବଳି ଅମାବାସ୍ୟା ଦିନ ପିତୃପୁରୁଷଙ୍କୁ ଏହିପରି ଭାବରେ ଡକାଯାଏ। ଏହା ମାଧ୍ୟମରେ ସେମାନଙ୍କୁ ମର୍ତ୍ତ୍ୟକୁ ନିମନ୍ତ୍ରଣ କରାଯାଇ ତୀର୍ଥ ଦର୍ଶନ ପାଇଁ ଅନୁରୋଧ କରାଯାଏ। ପରିଶେଷରେ ଶ୍ରୀମନ୍ଦିରର ବାଇଶି ପାହାଚରେ ମହାପ୍ରସାଦ ସେବନ କରି ବିଦାୟ ନେବାକୁ କୁହାଯାଏ। ପିତୃପୁରୁଷ ହିଁ ଏହି ପର୍ବର ଦେବତା। ସେମାନଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନବୋଧ ଏହି ପର୍ବର ବିଶେଷତ୍ୱ।

ଆଶ୍ୱିନ କୃଷ୍ଣ ପ୍ରତିପଦାରୁ ଅମାବାସ୍ୟା ହେଉଛି ପିତୃପକ୍ଷ। ବିଶ୍ୱାସ ରହିଛି ଯେ ଏହି ସମୟରେ ଯମରାଜ ପିତୃଲୋକଙ୍କୁ ଯମାଳୟରୁ ମୁକ୍ତ କରି ଦିଅନ୍ତି ଏବଂ ସେମାନେ ସନ୍ତାନଙ୍କଠାରୁ ପିଣ୍ଡଦାନ ଗ୍ରହଣ କରିବା ପାଇଁ ମର୍ତ୍ତ୍ୟଲୋକକୁ ଆସନ୍ତି। ଯେଉଁମାନେ ଏହି ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିପାରି ନଥାନ୍ତି, ସେମାନଙ୍କ ପାଇଁ ପିଣ୍ଡବର୍ଜିତ ମହାଶ୍ରାଦ୍ଧର ଦିନ ହେଉଛି କାର୍ତ୍ତିକ ଅମାବାସ୍ୟା।

ଏହି ଶ୍ରାଦ୍ଧର ଗୋଟିଏ ନାମ ‘ପୟାଶ୍ରାଦ୍ଧ’। ଗୋଟିଏ ମତ ଅଛି ଯେ ‘ପ୍ରଦୀପାମାବାସ୍ୟା’ରୁ ଏହି ‘ପୟା’ ନାମ ଆସିଛି। ଅନ୍ୟ ଏକ ମତ ହେଉଛି- ଏହାର ମୂଳ ପୂପାଳି ବା ପୂପଦୀପ। ଏହିଦିନ ପୂପାଳି ବା ପିଠା ଉପରେ ଦୀପକାଠି ପୋତି ପିତୃଲୋକଙ୍କୁ ଶ୍ରାଦ୍ଧଦାନ କରାଯାଉଥିବାରୁ ଏପରି ନାମ ହୋଇଛି। ଶ୍ରାଦ୍ଧଦାନ ପରେ ନିଆଁ ହୁଳା ଦେଖାଇ ସେମାନଙ୍କ ସରଗ ବାଟକୁ ଆଲୁଅ କରାଯାଇଥାଏ।

କାର୍ତ୍ତିକ ଅମାବାସ୍ୟାର ଅନ୍ୟ ଲୋକକଥିତ ନାମ ହେଉଛି- ‘ପିପେଇ’ ବା ‘ପିମ୍ପେଇ’ ଅମାବାସ୍ୟା। ଏହାର ତାତ୍ପର୍ଯ୍ୟ ସଂପର୍କରେ କୁହାଯାଏ ଯେ ‘ପିପେଇ’ ବା ‘ପିମ୍ପେଇ’ର ଅର୍ଥ କାଉଁରିଆ କାଠି। ଏହିଦିନ କାଉଁରିଆ କାଠିରେ ଘିଅବଳିତା ଜାଳି ପିତୃପୁରୁଷଙ୍କ ସରଗ ବାଟକୁ ଆଲୁଅ ଦେଖାଯାଉଥିବାରୁ ଏପରି ନାମ ହୋଇଛି।

ସାଧାରଣ ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧଠାରୁ ଏହାର ଅନ୍ୟ ଏକ ଭିନ୍ନତା ହେଉଛି- ଏହିଦିନ ବଂଶର ସମସ୍ତ ମୃତ ଆତ୍ମାଙ୍କର ସଦ୍‌ଗତି କାମନା କରାଯାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରାଯାଇଥାଏ।

ଏହି ଶେଷ ତିଥିରେ ଶ୍ରାଦ୍ଧଦାନ ନକଲେ, ପିତୃପୁରୁଷ ନିରାଶ ହୋଇ ନିଜଲୋକକୁ ଫେରିଯାଆନ୍ତି। ଏଣୁ ‘ବଡ଼ବଡ଼ୁଆ ଡାକ’, ପିତୃଲୋକଙ୍କୁ ସ୍ମରଣ କରିବାର ଏବଂ ସେମାନଙ୍କୁ କୃତଜ୍ଞତା ଓ ସମ୍ମାନ ଜଣାଇବାର ଏକ ମହାନ ପର୍ବ।

ସମ୍ବନ୍ଧିତ ଖବର