‘ବକ-ପଞ୍ଚକ’ କଥା

କାର୍ତ୍ତିକ ଏକ ଧର୍ମମାସ। ଏ ଦୃଷ୍ଟିରୁ ଏହାକୁ ପବିତ୍ର ବୋଲି ବିବେଚନା କରାଯାଏ। ବିଶେଷକରି ଏହି ମାସର ଶେଷ ପାଞ୍ଚ ଦିନ, ଅର୍ଥାତ୍ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର ବୋଲି ପରିଗଣିତ ହୁଏ। ଲୋକକଥିତ ଭାବରେ ଏହାର ନାମ ‘ବକ-ପଞ୍ଚକ’। କଥିତ ହୁଏ ଯେ ଏହି ପାଞ୍ଚଦିନ ବକ (ବଗ) କୁଆଡ଼େ ମାଛ ଖାଇବା ଛାଡ଼ିଦିଏ। କିନ୍ତୁ ଏହି ସମୟରେ ମାଛ ନ ଖାଇବାର ଅନ୍ୟ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟଗତ କାରଣ ଅଛି। ସେଥିନିମନ୍ତେ ଧାର୍ମିକ ଆଚରଣରେ ନିଷେଧାଦେଶ ଖଞ୍ଜି ଦିଆଯାଇଛି।

‘ପଦ୍ମପୁରାଣ’ ଅନ୍ତର୍ଗତ ‘କାର୍ତ୍ତିକ ମାହାତ୍ମ୍ୟ’ରେ ଶଙ୍ଖାସୁରର ବେଦ ହରଣ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ଶଙ୍ଖାସୁର ବେଦ ନେଇ ସମୁଦ୍ରରେ ଆତ୍ମଗୋପନ କରିଥିଲା। ତେଣୁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ଶଙ୍ଖାସୁରକୁ ନିହତ କରିବା ସହିତ ବେଦ ଉଦ୍ଧାର କରିଥିଲେ। ବିଷ୍ଣୁଙ୍କ ସହିତ ଅନ୍ୟ ଦେବତାମାନେ ସେତେବେଳେ ଜଳରେ ପ୍ରବେଶ କରିଥିବାରୁ, ଏହି ମାସରେ ମାଛ ଖାଇବାକୁ ପୁରାଣ ଓ ବ୍ରତକଥାରେ ବାରଣ କରାଯାଇଛି।

‘ପଦ୍ମପୁରାଣ’ରେ ପାଞ୍ଚଟି ଉପାଖ୍ୟାନ ମାଧ୍ୟମରେ ବିଷ୍ଣୁଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଏହା ‘ବିଷ୍ଣୁ-ପଞ୍ଚକ’ ଭାବରେ ଖ୍ୟାତ। ସେଥିରୁ ଗୋଟିଏ ଉପାଖ୍ୟାନ ‘ବକ-ପଞ୍ଚକ’ ଭାବରେ ଲୋକପ୍ରିୟ। ଭକ୍ତକବି ବଳାରାମ ଦାସଙ୍କ ‘ଜଗମୋହନ ରାମାୟଣ’ର ‘କିସ୍କିନ୍ଧ୍ୟାକାଣ୍ଡ’ରେ ଏହାର ଉପାଖ୍ୟାନ ଅଛି।

ସେହି ଉପାଖ୍ୟାନ ଅନୁସାରେ, ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ସୀତାଙ୍କ ସନ୍ଧାନରେ ବନରେ ବୁଲୁଥିବା ବେଳେ, ଗୋଟିଏ ବଗ ସହ ତାଙ୍କର ଭେଟ ହୋଇଥିଲା। ରାବଣ ସୀତାଙ୍କୁ ଚୋରାଇ ନେଇଥିବା କଥା ସେହି ବଗ ଶ୍ରୀରାମଙ୍କୁ କହିଥିଲା। ଶ୍ରୀରାମ ତାହା ଶୁଣି ତାକୁ ବର ଯାଚିଥିଲେ। ବଗ କହିଥିଲା- “ବର୍ଷା ଚାରିମାସରେ ବସିବା ସ୍ଥାନରେ ମୋତେ ଖାଦ୍ୟ ମିଳୁ।” ଶ୍ରୀରାମ ତାକୁ ସେହି ବର ଦେଇ କହିଥିଲେ, “ବର୍ଷା ଚାରିମାସ ତୋ ସ୍ତ୍ରୀ ତୋତେ ଖାଦ୍ୟ ଆଣି ଦେବ ଏବଂ ତୁ ତାହା ସୁଖରେ ଖାଇବୁ।” ତାହା ଶୁଣି ବଗ କହିଥିଲା, “ମୁଁ ସ୍ତ୍ରୀର ଉଚ୍ଛିଷ୍ଟ କିପରି ଖାଇବି?” ତାହାର ଉତ୍ତରରେ ଶ୍ରୀରାମ କହିଥିଲେ, “ସ୍ୱାମୀ ଓ ସ୍ତ୍ରୀ ଏକ ଆତ୍ମା ହୋଇଥିବାରୁ ଏଥିରେ ଉଚ୍ଛିଷ୍ଟ ଦୋଷ ଲାଗିବ ନାହିଁ।”

‘ଜଗମୋହନ ରାମାୟଣ’ ଅନୁସାରେ, ଏହି ବର ଦେବା ପରେ ଶ୍ରୀରାମ କହିଥିଲେ, “କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ଯେ ଆମିଷ ଭୋଜନ କରିବ, ତାକୁ ଦୋଷ ଲାଗିବ। ନାନା ରୋଗରେ ପଡ଼ି ତାର ପ୍ରାଣ ଯିବ। ଏହି ପାଞ୍ଚଦିନ ‘ବକ-ପଞ୍ଚକ’ ରୂପେ ଖ୍ୟାତ ହେବ। ଏହି ପାଞ୍ଚଦିନ ଯେ ଆମିଷ ନ ଖାଇବ, ତାକୁ ଚାତୁର୍ମାସ୍ୟା ବ୍ରତର ସୁଫଳ ମିଳିବ।”

ଏହି ଦୃଷ୍ଟିରୁ ଅନେକେ ପଞ୍ଚକରେ ଆମିଷ ଖାଇ ନଥାନ୍ତି।

ସମ୍ବନ୍ଧିତ ଖବର