ବଳି-ବାମନ ଉପାଖ୍ୟାନ

ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀ ହେଉଛି ବାମନାବତାରଙ୍କର ଆବିର୍ଭାବ ଦିବସ। ଏହିଦିନ ମଧ୍ୟାହ୍ନରେ ଅଦିତିଙ୍କ ଗର୍ଭରୁ ସେ ପ୍ରକଟ ହୋଇଥିଲେ। କଶ୍ୟପ ଥିଲେ ତାଙ୍କର ପିତା। ‘ବିଜୟା ଦ୍ୱାଦଶୀ’ ଭାବରେ ମଧ୍ୟ ଦିନଟି ଆଖ୍ୟାୟିତ।

‘ଶ୍ରୀମଦ୍‌ଭାଗବତ’ ଅନୁସାରେ, ଭଗବାନ ବିଷ୍ଣୁ ଏହି ବାମନାବତାରରେ ପ୍ରଥମେ ପ୍ରକଟ ହୋଇଥିଲେ ଚତୁର୍ଭୁଜ ରୂପରେ। କିନ୍ତୁ ସେ ଅଦ୍ଭୁତକର୍ମା ହୋଇଥିବାରୁ, ସେହି ଚତୁର୍ଭୁଜ ରୂପରୁ ବାମନରୂପୀ ବାଳବ୍ରହ୍ମଚାରୀରେ ପରିଣତ ହେଲେ। ତାଙ୍କର ସେହି ବଟୁବାମନ ରୂପ ଦେଖି ସମସ୍ତେ ଆନନ୍ଦିତ ହେଲେ।

ସେହି ସମୟରେ ବହୁ ଅଶ୍ୱମେଧ ଯଜ୍ଞ କରି ଦାନବରାଜ ବଳି ନିଜର ଶକ୍ତି ବୃଦ୍ଧି କରିଥିଲେ। ତେଣୁ ବଟୁବାମନରୂପୀ ବିଷ୍ଣୁ, ନର୍ମଦା ନଦୀର ଉତ୍ତରତଟର ଭୃଗୁକଚ୍ଛଠାରେ ଥିବା ବଳିଙ୍କର ଯଜ୍ଞସ୍ଥଳକୁ ଯାତ୍ରା କଲେ। ତାଙ୍କର ହାତରେ ଥିଲା ଦଣ୍ଡ, ଛତ୍ର ଓ କମଣ୍ଡଳୁ।

ଦାନବରାଜ ବଳି ଥିଲେ ଅତିଦାନୀ। ବାମନଙ୍କୁ ପ୍ରଣାମ କରି ସେ କହିଲେ- ହେ ବଟୁବାମନ! ତୁମର ଯାହା ଇଚ୍ଛା ମୋ’ଠାରୁ ମାଗି ନିଅ। କିନ୍ତୁ ବଟୁବାମନ ତାଙ୍କୁ ମାତ୍ର ତିନିପାଦ ଭୂମି ମାଗିଲେ।

ତାହା ଶୁଣି ବଳି କହିଲେ- ହେ ବ୍ରାହ୍ମଣପୁତ୍ର! ତୁମେ ବୃଦ୍ଧଙ୍କ ପରି ବାକ୍ୟ କହୁଛ, କିନ୍ତୁ ତୁମର ବୁଦ୍ଧି ବାଳକୋଚିତ। ହେ ଅଳ୍ପବୁଦ୍ଧି ବାଳକ! ତୁମେ ନିଜର ସ୍ୱାର୍ଥ ବୁଝି ପାରୁନାହଁ। ମୁଁ ତ୍ରିଲୋକର ଏକମାତ୍ର ଅଧୀଶ୍ୱର। ମୁଁ ତୁମକୁ ଦ୍ୱୀପ ପରେ ଦ୍ୱୀପ ଦାନ କରିପାରେ। ଅଥଚ ତୁମେ ତୁଚ୍ଛ ତିନିପାଦ ଭୂମି ମାଗିବା ପରି ନିର୍ବୋଧ ଆଚରଣ କରୁଛ?

ତାହାର ଉତ୍ତରରେ ବାମନରୂପୀ ବିଷ୍ଣୁ କହିଲେ- ହେ ରାଜା! ଯେଉଁ ବ୍ୟକ୍ତି ନିଜର ଇନ୍ଦ୍ରିୟକୁ ଜୟ କରି ନାହିଁ, ତିନିଲୋକରେ ଯେତେ ପ୍ରିୟତମ ଭୋଗ୍ୟବସ୍ତୁ ଅଛି, ସେସବୁ ତାକୁ ସନ୍ତୁଷ୍ଟ କରିବାକୁ ସକ୍ଷମ ନୁହନ୍ତି। ତିନିପାଦ ଭୂମିରେ ଯେ ସନ୍ତୁଷ୍ଟ ନୁହେଁ, ନୂଆଦେଶ ସମେତ ଏକ ଦ୍ୱୀପ ଦ୍ୱାରା ସେ କଦାପି ସନ୍ତୁଷ୍ଟ ହେବ ନାହିଁ। କାରଣ, ସେ ପୁନର୍ବାର ସପ୍ତଦ୍ୱୀପ ମାଗିବାକୁ ଇଚ୍ଛା କରିବ। ଦୈବଯୋଗେ ଯାହା ମିଳିଛି, ସେଥିରେ ସନ୍ତୁଷ୍ଟ ବ୍ୟକ୍ତି ସୁଖରେ ରହେ। କିନ୍ତୁ ଯେ ଇନ୍ଦ୍ରିୟକୁ ଜୟ କରି ନାହିଁ, ସେହି ଅସନ୍ତୁଷ୍ଟ ବ୍ୟକ୍ତି ତ୍ରିଲୋକ ପାଇଲେ ବି ସୁଖୀ ହୁଏ ନାହିଁ। ସଂସାରଚକ୍ରରେ ଘାଣ୍ଟି ହେବାର ଲକ୍ଷଣ ହେଉଛି- ଯେତେ ଧନ ଓ ଭୋଗ ଲାଭ କଲେ ମଧ୍ୟ ଅସନ୍ତୁଷ୍ଟ ରହିବା। କିନ୍ତୁ ମୁକ୍ତିର ଲକ୍ଷଣ ହେଉଛି- ଯାହା କିଛି ମିଳୁଛି, ସେଥିରେ ସନ୍ତୁଷ୍ଟ ହେବା। ତୁମେ ଦାତାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଏଣୁ ମାତ୍ର ତିନିପାଦ ଭୂମି ମୁଁ ତୁମକୁ ମାଗୁଛି।

ବଳି ସେହି ଦାନ ଦେବାକୁ ସତ୍ୟ କରିବା ପରେ, ବଟୁବାମନରୂପୀ ବିଷ୍ଣୁ ବିରାଟ ଆକାର ଧାରଣ କଲେ। ତାଙ୍କର ପ୍ରଥମ ପାଦ ସମଗ୍ର ପୃଥିବୀକୁ ଅଧିକାର କଲା। ଦ୍ୱିତୀୟ ପାଦ ସ୍ୱର୍ଗଲୋକକୁ ଆଚ୍ଛାଦିତ କଲା। ତୃତୀୟ ପାଦ ପାଇଁ ଆଉ ସ୍ଥାନ ନଥିବାରୁ ବଳି ନିଜର ମସ୍ତକ ପାତି ଦେଲେ। ଭଗବାନ ତାଙ୍କର ମସ୍ତକରେ ନିଜର ତୃତୀୟ ପାଦ ଥାପିଲେ।

କିନ୍ତୁ ବଳିଙ୍କର ଭକ୍ତି ଓ ସତ୍ୟନିଷ୍ଠା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିଥିଲା। ସେ ବ୍ରହ୍ମାଙ୍କୁ କହିଲେ- ହେ ବ୍ରହ୍ମନ୍‌! ବଂଶର ଅଭିମାନ ବା ଧନଗର୍ବ ସମସ୍ତ ମଙ୍ଗଳର ଅନ୍ତରାୟ। କିନ୍ତୁ ବଳି ଏହାର ଊର୍ଦ୍ଧ୍ୱରେ। ମୁଁ ତାଙ୍କୁ ବହୁ ଛଳପୂର୍ଣ୍ଣ ଧର୍ମକଥା କହିଲି। କିନ୍ତୁ ସତ୍ୟବାଦୀ ବଳି ନିଜର ସତ୍ୟ ଓ ଧର୍ମ ତ୍ୟାଗ କଲେ ନାହିଁ। ତେଣୁ ମୁଁ ତାଙ୍କୁ ଏପରି ଏକ ସ୍ଥାନ ଦେଉଛି- ଯାହା ଦେବତାମାନଙ୍କୁ ବି ଦୁଷ୍ପ୍ରାପ୍ୟ। ସାବର୍ଣ୍ଣି ମନ୍ୱନ୍ତରରେ ସେ ସ୍ୱର୍ଗର ଅଧିପତି ଇନ୍ଦ୍ର ହେବେ। ସେ ପର୍ଯ୍ୟନ୍ତ ସେ ଦେବଦୁର୍ଲଭ ସୁତଳଲୋକରେ ବାସ କରିବେ।

ଏହା ଫଳରେ ବଳି ଯାଇ ଦେବତାମାନଙ୍କର କାମ୍ୟ ସୁତଳଲୋକରେ ବାସ କଲେ।

ସମ୍ବନ୍ଧିତ ଖବର