ବରୁଥିନୀ ଏକାଦଶୀ ବ୍ରତ

‘ବରୁଥ’ ଶବ୍ଦର ଅର୍ଥ ସାଞ୍ଜୁ ବା କବଚ। ଯିଏ କବଚ ସଦୃଶ ପ୍ରାଣୀକୁ ସମସ୍ତ ସଙ୍କଟରୁ ରକ୍ଷା କରେ ସେ ‘ବରୁଥିନୀ’। ଏହିପରି ଭାବରେ ବୈଶାଖ କୃଷ୍ଣପକ୍ଷ ଏକାଦଶୀର ନାମ ‘ବରୁଥିନୀ ଏକାଦଶୀ’। ଅର୍ଥାତ୍ ଏହି ଏକାଦଶୀ ପ୍ରାଣୀକୁ ସମସ୍ତ ସଂକଟରୁ ଉଦ୍ଧାର କରେ। ପୁଣ୍ୟ ମାସ ବୈଶାଖ ଯୋଗୁଁ ଏହାର ମହତ୍ତ୍ୱ ଅଧିକ। ସାଧାରଣତଃ ପୁଣ୍ୟ ଅର୍ଜନ କରିବା ନିମିତ୍ତ ସାଧ୍ୟ ଅନୁସାରେ ଦାନ କରାଯାଇଥାଏ। ଏହା ଫଳରେ ସ୍ୱର୍ଗଲୋକରେ ସ୍ଥାନ ମିଳିଥାଏ। କିନ୍ତୁ ପୁରାଣର ବର୍ଣ୍ଣନା ଅନୁସାରେ ଏ ସମସ୍ତଠାରୁ ଅଧିକ ପୁଣ୍ୟ ବରୁଥିନୀ ଏକାଦଶୀ ପାଳନରେ ମିଳେ। ଏହି ବ୍ରତ ପାଳନ ନିମିତ୍ତ ଦଶମୀ ଦିନରୁ ଉପବାସ କରିବାକୁ ହୁଏ। ଏକାଦଶୀ ରାତ୍ରି ପର୍ଯ୍ୟନ୍ତ ଆହାର, ନିଦ୍ରା, ମୈଥୁନ ସହିତ ବିଭିନ୍ନ ନିଶା ଓ ବିଳାସ ପରିହାର କରିବାକୁ ହୋଇଥାଏ। ଭକ୍ତି ସହକାରେ ମଧୁସୂଦନଙ୍କୁ ପୂଜନ କଲେ ମନୁଷ୍ୟକୁ ସମସ୍ତ ସଙ୍କଟରୁ ମୁକ୍ତି ମିଳିବା ସହିତ ମାନ୍ଧାତା ଓ ଧୁନ୍ଦୁମାର ଆଦିଙ୍କ ପରି ସ୍ୱର୍ଗଲୋକପ୍ରାପ୍ତି ହୋଇଥାଏ।

କଥିତ ଅଛି, ମହାଦାନୀ ମହାରାଜା ମାନ୍ଧାତା ଏକଦା ରାଜ୍ୟ ପରିତ୍ୟାଗ କରି ନର୍ମଦା ତଟ ଦେଶରେ ଏକ ଜଙ୍ଗଲ ମଧ୍ୟରେ ତପସ୍ୟା କରୁଥିଲେ। ଏହି ସମୟରେ ଏକ ଭାଲୁ ଆସି ତାଙ୍କ ପାଦକୁ କାମୁଡ଼ି କ୍ଷତାକ୍ତ କରିବାକୁ ଲାଗିଲା। ମାନ୍ଧାତା ତପସ୍ୟା କରୁଥିବାରୁ ତାର ପ୍ରତିରୋଧ କଲେ ନାହିଁ। କିନ୍ତୁ ଯନ୍ତ୍ରଣା ବଢ଼ିବାରୁ ସେ ଭଗବାନଙ୍କୁ ସ୍ମରଣ କଲେ। ବିଷ୍ଣୁ ପ୍ରକଟ ହେଲେ; କିନ୍ତୁ ସେତେବେଳକୁ ମାନ୍ଧାତାଙ୍କର ପାଦ ସଂପୂର୍ଣ୍ଣ ନଷ୍ଟ ହୋଇସାରିଥିଲା। ସେ ଦୁଃଖିତ ହେବାରୁ, ଭଗବାନ ବିଷ୍ଣୁ ତାଙ୍କୁ ଆଶ୍ୱାସନା ଦେଇ କହିଲେ, “ଏହା ତୁମର ପୂର୍ବଜନ୍ମର କୌଣସି ପାପକାର୍ଯ୍ୟର ଫଳ। ଏଥିରେ ବିଚଳିତ ନହୋଇ ତୁମେ ଏବେ ମଥୁରା ଯାଇ ବରୁଥିନୀ ଏକାଦଶୀ ବ୍ରତ କର। ତୁମର ପାଦ ଠିକ୍ ହୋଇଯିବ ଏବଂ ତପସ୍ୟାର ଫଳ ମିଳିବ।”

କେତେକ ପୁରାଣରେ ଅନ୍ୟ ଏକ ଉଲ୍ଲେଖ ମଧ୍ୟ ମିଳେ ଯେ ଦେବ ଦେବ ମହାଦେବ କ୍ରୋଧିତ ହୋଇ ବ୍ରହ୍ମାଙ୍କର ମସ୍ତକ ଛେଦନ କରି ଯେଉଁ ପାପ ଅର୍ଜନ କରିଥିଲେ, ବରୁଥିନୀ ଏକାଦଶୀ ବ୍ରତ ପାଳନ ଫଳରେ ସେ ପାପରୁ ମୁକ୍ତ ହୋଇଥିଲେ।
ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର