ବସନ୍ତ ଉତ୍ସବ ହେଉ ନ ଥିବା ରାଜ୍ୟ ଅସୁର ରାଜ୍ୟରେ ଗଣା

ଭଗବାନ ଶ୍ରୀକୃଷ୍ଣ ‘ଗୀତା’ରେ କହିଛନ୍ତି- ‘‘ମୁଁ ଋତୁମାନଙ୍କ ମଧ୍ୟରେ କୁସୁମାକର’’। ‘କୁସୁମାକର’ ଅର୍ଥ ବସନ୍ତ। କାରଣ, ଏ ଋତୁରେ ବୃକ୍ଷମାନେ ପୁଷ୍ପବତୀ ହୁଅନ୍ତି। ଶାସ୍ତ୍ରୋକ୍ତି ଅଛି- “ଦ୍ରୁମମାନେ ସପୁଷ୍ପା ଓ ନାରୀମାନେ ସକାମା” ହୁଅନ୍ତି। ଅର୍ଥାତ୍‌, ଗଛରେ ଫୁଲ ଫୁଟିବା ପରି, ନାରୀମାନଙ୍କ ମନରେ କାମନାର ଫୁଲ ଫୁଟେ। ଏହି କାମନା ହିଁ ସର୍ଜନାର ମୂଳ। ଏ ଦୃଷ୍ଟିରୁ ବସନ୍ତ ଏକ ଉତ୍ସବର ଋତୁ।

ଆଦିକବି ସାରଳା ଦାସଙ୍କ ‘ମହାଭାରତ’ର ‘ବିରାଟପର୍ବ’ରେ ଏ ସଂପର୍କରେ ଗୋଟିଏ ସୁନ୍ଦର ପ୍ରସଙ୍ଗ ଅଛି। ଅଜ୍ଞାତବାସ ସମୟରେ ପାଣ୍ଡବ ପାଞ୍ଚଭାଇ ଓ ଦ୍ରୌପଦୀ ଛଦ୍ମନାମରେ ବିରାଟ ରାଜାଙ୍କ ନଗରୀରେ ଆଶ୍ରୟ ନେଇଥିଲେ। ଯୁଧିଷ୍ଠିର ହୋଇଥିଲେ- କୋନ୍ତ, ଭୀମ- ବଲ୍ଲବ, ଅର୍ଜୁନ- ବୃହନ୍ନାରୀ, ନକୁଳ- ଗ୍ରନ୍ଥିକାର ଓ ସହଦେବ- ତନ୍ତ୍ରୀମାଳ। ଦ୍ରୌପଦୀ ହୋଇଥିଲେ- ସୈରିନ୍ଦ୍ରୀ। ସେ ସମୟର ଋତୁଚକ୍ର ଅନୁସାରେ, ବୈଶାଖ ମାସରେ ହେଉଥିଲା ବସନ୍ତ ଉତ୍ସବ। ତେଣୁ, ଯେତେବେଳେ ବୈଶାଖ ମାସ ଆସିଲା, ସେତେବେଳେ କୋନ୍ତ ବିରାଟ ରାଜାଙ୍କୁ ପଚାରିଲେ- ଏ ନଗ୍ରରେ କ’ଣ ବସନ୍ତ ଉତ୍ସବ ହୁଏ ନାହିଁ? ଯେଉଁ ରାଜ୍ୟରେ ଯାଗଯଜ୍ଞ, ଯାତ୍ରା ଉତ୍ସବ ହୁଏନାହି, ତାହା ଅସୁରଙ୍କ ରାଜ୍ୟ ବୋଲି ଜାଣ।

ସାରଳା ଦାସ ଏହାର ସୁନ୍ଦର ବର୍ଣ୍ଣନା ଦେଇ କହିଛନ୍ତି-
ମୃତ୍ୟୁ ମଣ୍ଡଳରେ ଯେ ବସନ୍ତ ଉଛବ ଯାତ୍ରା
ଦ୍ରଶନେ ମୋକ୍ଷଗତି ଯେ ରାଜ୍ୟକୁ ପବିତ୍ରା।
ଆହୋ ବିରାଟ ଯେବଣ ରାଜ୍ୟରେ ରଙ୍ଗସଭା ନାହିଂ
ଯାତ୍ରା ଉଛବ ଯେବଣ ରାଜ୍ୟରେ ନଥାଇଂ
ଯେବଣ ରାଜ୍ୟରେ ହୋ ନାହିଂ ଯାଗ ଯଗ୍ୟଂ
ନିଶ୍ଚୟ ସେ ରାଜ୍ୟ ଜାଣ ଅସୁରେଣ ଭୋଗ୍ୟ।

କୋନ୍ତଙ୍କ ପ୍ରଶ୍ନର ଉତ୍ତରରେ ବିରାଟ ରାଜା କହିଥିଲେ- ବସନ୍ତ ଉତ୍ସବ କ’ଣ, ତାହା ତାଙ୍କ ରାଜ୍ୟରେ କେହି ଜାଣନ୍ତି ନାହିଁ। ଏହା କହି, ସେ କୋନ୍ତଙ୍କୁ ବସନ୍ତ ଉତ୍ସବର ଆୟୋଜନ କରିବାକୁ କହିଥିଲେ।

ଆମ ପାଇଁ ଏହାର ବାର୍ତ୍ତା ହେଉଛି- ଆମେ ମଧ୍ୟ ଋତୁ ଅନୁରୂପେ ନିଜକୁ ପରିଚାଳିତ କରି, ପ୍ରକୃତିର ଏହି ଉତ୍ସବକୁ ଆମ ଜୀବନରେ ପ୍ରତିଫଳିତ କରିବା। ନହେଲେ, ଆମେ ମଣିଷ ନହୋଇ ଅସୁରରେ ପରିଗଣିତ ହେବା।

ସମ୍ବନ୍ଧିତ ଖବର