ବୈଦିକ ଅନୁବନ୍ଧନରେ ଅନୁବନ୍ଧିତ ହୋଇ ଭାରତୀୟ ଧାର୍ମିକ ପରମ୍ପରାରେ ଶତାଧିକ ଦେବଦେବୀ ପୂଜିତ ହୋଇଥାନ୍ତି। କିନ୍ତୁ ଏହା ବ୍ୟତୀତ, ଭାରତୀୟ ଜନ ସମୁଦାୟ ଶ୍ରୀକୃଷ୍ଣଙ୍କର ଗୋବର୍ଦ୍ଧନ ଧାରଣର ପଥ ଅନୁସରଣ କରି, ପ୍ରକୃତିର ବିଭିନ୍ନ ଅଂଶ ଯଥା: ନଦୀ, ବନ, ପର୍ବତ, ବୃକ୍ଷଲତା ଆଦିକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରିଥାନ୍ତି। ଏହି ପ୍ରକ୍ରିୟାରେ ବୃକ୍ଷ ଉପାସନା ଏକ ବିଶେଷ ସ୍ଥାନ ଅଧିକାର କରେ। ତୁଳସୀ, ବେଲ, ବଟ, ଶମି, ଆମ୍ବ, ଧାନକ୍ଷେତ ଆଦି ଏହାର ଅଙ୍ଗୀଭୂତ। ତୁଳସୀ ବିବାହ, ବେଲ ବରଣ, ଗର୍ଭଣା ସଂକ୍ରାନ୍ତି ଆଦି ପର୍ବମାନ ଯେପରି କୃଷକ ପରିବାର ମହା ସମାରୋହରେ ପାଳନ କରିଥାନ୍ତି, ଠିକ୍ ସେହିପରି, ପୌଷ ଅମାବାସ୍ୟା (ବକୁଳ ଅମାବାସ୍ୟା)ରେ ଆମ୍ର ବୃକ୍ଷର ପୂଜା ହୋଇଥାଏ।
ଏହା ଏକ ମହାର୍ଘ ପର୍ବ। ପୌଷମାସ ସାଧାରଣତଃ ଶୀତଋତୁର ଏକ ଅଙ୍ଗ ହୋଇଥିଲେ ମଧ୍ୟ, ଏହି ମାସରେ ବସନ୍ତର ଆଗମନୀ ବାର୍ତ୍ତା ଭାବରେ ଆମ୍ବଗଛରେ ପ୍ରଥମେ ମୁକୁଳର ଆଗମନ ହୋଇଥାଏ। ତେଣୁ ପୌଷ ଅମାବାସ୍ୟା ଦିନ ଏହି ମୁକୁଳକୁ ଦେବଦେବୀମାନଙ୍କୁ ସମର୍ପଣ କରିବା ସହିତ ଆମ୍ବଗଛର ପୂଜା କରାଯାଇଥାଏ।
ଗୃହ ମଧ୍ୟକୁ ଅଶୁଭ ଶକ୍ତିର ପ୍ରବେଶକୁ ନିଷେଧ କରିଥାଏ ଆମ୍ବପତ୍ର। ଏହି ହେତୁ କୃତଜ୍ଞତାବଶତଃ ନବ ଅଙ୍କୁର କାଳରେ ଏହି ବୃକ୍ଷର ବନ୍ଦାପନା କରାଯାଇଥାଏ। ଗୃହିଣୀମାନେ ପ୍ରଭାତରୁ ଆମ୍ବଗଛର ମୂଳକୁ ସଫାସୁତୁରା କରି, ଚାଉଳବଟାର ଚିତା ପକାଇ ସଜ୍ଜିତ କରନ୍ତି ଏବଂ ଦ୍ୱିପ୍ରହର ବେଳକୁ କ୍ଷୀର-ଗଇଁଠା ପିଠା କରି ଏହି ବୃକ୍ଷ ମୂଳରେ ପୂଜା କରିଥାଆନ୍ତି। ସାଧାରଣତଃ ଗର୍ଭବାସ କାଳରେ ନବବଧୂକୁ ଯେପରି ବନ୍ଦାପନା କରାଯାଇଥାଏ, ଠିକ୍ ସେହିପରି ଆମ୍ବଗଛର ବନ୍ଦାପନା ହୋଇଥାଏ।
ପଶ୍ଚିମବଙ୍ଗ ଆଦି ପ୍ରଦେଶରେ ଏହି ଅମାବାସ୍ୟା ତିଥିରେ ମହାକାଳୀଙ୍କର ଆବାହନ ମଧ୍ୟ କରାଯାଏ। କାଳୀ ସମସ୍ତ ଅମଙ୍ଗଳର ଧ୍ୱଂସକାରିଣୀ ଶକ୍ତି ଅଟନ୍ତି। ଏ ସମସ୍ତ ଦୃଷ୍ଟିରୁ ବକୁଳ ଅମାବାସ୍ୟା ଏକ ମହତ୍ତ୍ୱପୂର୍ଣ୍ଣ ତିଥି।
ଡକ୍ଟର ତୁଳସୀ ଓଝା