ଜାଣନ୍ତୁ କେମିତି ହେବେ ‘ହାର୍ଟ ହିରୋ’? ଆଉ ନିଜ ସହ କିପରି ଅନ୍ୟମାନଙ୍କ ହୃଦୟର ମଧ୍ୟ ନେବେ ଯତ୍ନ…

ଆଜିର ଦିନକୁ ସମଗ୍ର ବିଶ୍ୱରେ ‘ଓ୍ଵାର୍ଲଡ୍‌ ହାର୍ଟ ଡେ’ (ବିଶ୍ୱ ହୃଦୟ ଦିବସ) ଭାବେ ପାଳନ କରାଯାଉଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ହୃଦ୍‌ରୋଗର କାରଣ ସଂପର୍କରେ ଜଣାଇବା ସହ ତାହାର ପ୍ରତିକାର ବା ନିରାକରଣ ବତାଇବା। ସମଗ୍ର ବିଶ୍ୱରେ ବାର୍ଷିକ ପ୍ରାୟ ୧୭.୯ ମିଲିୟନ ଲୋକ ହୃଦ୍‌ଘାତ (ହାର୍ଟ ଆଟାକ୍‌)ର ଶିକାର ହୋଇ ମୁତ୍ୟୁମୁଖରେ ପଡ଼ିଥାନ୍ତି। ୨୦୩୦ ବେଳକୁ ଏହି ସଂଖ୍ୟା ୨୩ ମିଲିୟନରେ ପହଞ୍ଚିଥିବ ବୋଲି ଆକଳନ କରାଯାଉଛି।

‘ଓ୍ଵାର୍ଲଡ୍‌ ହାର୍ଟ ଡେ’ ପାଳନ ପାଇଁ ବିଶ୍ୱ ହାର୍ଟ ଫେଡେରେସନ୍‌ ପକ୍ଷରୁ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ବିଷୟ ରହିଥାଏ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟ ରହିଛି ‘ହାର୍ଟ ହିରୋ’। ଏପରି ବଷୟ ରଖିବା ପଛରେ ମୁଖ୍ୟ ଓ ମୂଳ ଉଦ୍ଦେଶ୍ୟ ହେଉଛି ‘ହାର୍ଟ ହିରୋ’ ସାଜି ଆପଣ ଆପଣଙ୍କ ନିଜ ହୃଦୟର ଯତ୍ନ ନେବା ସହ କିପରି ଅନ୍ୟମାନଙ୍କର ହୃଦୟର ମଧ୍ୟ ଯତ୍ନ ନେବେ। ଏଥିପାଇଁ ଆପଣଙ୍କୁ କିଛି ବିଶେଷ କଷ୍ଟ ଉଠାଇବାକୁ ପଡ଼ିବ ନାହିଁ। କେବଳ ମାତ୍ର ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। କିପରି ସେମାନେ ନିଜେ ହୃଦ୍‌ଘାତକୁ ଚିହ୍ନଟ କରିପାରିବେ ଓ ଏହାର ନିରାକରଣ ମଧ୍ୟ କରିପାରିବେ।

ତେବେ, ଆସନ୍ତୁ ଜାଣିବେ, କେମିତି ହେବେ ‘ହାର୍ଟ ହିରୋ’?…

– ନିଜର ଜୀବନଚର୍ଯ୍ୟାକୁ ଠିକ୍‌ ରଖନ୍ତୁ ଓ ଅନ୍ୟମାନଙ୍କୁ ଠିକ୍‌ ରଖିବା ପାଇଁ ପରାମର୍ଶ ଦିଅନ୍ତୁ।
– ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ବନ୍ଦ କରିବା ସହ ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ।
– କମ୍‌ ପରିମାଣର ଚିନି ଓ ଲୁଣ ଖାଆନ୍ତୁ।
– ଚର୍ବିଯୁକ୍ତ ଖାଦ୍ୟ ଓ ଜଙ୍କଫୁଡ୍‌ ଠାରୁ ଦୂରରେ ରୁହନ୍ତୁ।
– ନିୟମିତ ବ୍ୟାୟାମ କରିବା ସହ ସାଇକେଲ ଚାଳନା ଓ ପଦ ଚାଳନା କରନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ କରିବା ପାଇଁ ପରାମର୍ଶ ଦିଅନ୍ତୁ।
– ଦିନକୁ ୩୦ ମିନିଟ; ସମ୍ଭବ ନହେଲେ ସପ୍ତାହକୁ ୧୫୦ ମିନିଟ ବ୍ୟାୟାମ କରିବା ସହ ଯୋଗ ଏବଂ ପ୍ରାଣାୟନ କରନ୍ତୁ।
– ଚାପ ଓ ଅବସାଦ ଠାରୁ ଦୁରେଇ ରୁହନ୍ତୁ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସନ୍ତୁ ନାହିଁ।
– ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରି ସବୁକିଛିର ସ୍ତର ନିର୍ଦ୍ଧାରିତ ସୀମା ମଧ୍ୟରେ ଅଛି ନା ନାହିଁ ତାହାର ଯାଞ୍ଚ କରି ନିଅନ୍ତୁ।
– ଯଦି ଛାତିରେ ନିୟମିତ ଯନ୍ତ୍ରଣା ହେଉଛି, ମୁଣ୍ଡ ବୁଲାଇବା ସହ ଶରୀରରୁ ମାତ୍ରାଧିକ ଝାଳ ବାହାରୁଛି, ମାତ୍ରାଧିକ ଦୁର୍ବଳ ଲାଗୁଛି; ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ତେଣୁ, ସଙ୍କଳ୍ପ ନେଇ ଆଜି ଠାରୁ ‘ହାର୍ଟ ହିରୋ’ ସାଜନ୍ତୁ ଆଉ ନିଜ ସହ ଅନ୍ୟମାନଙ୍କର ହୃଦୟର ମଧ୍ୟ ଯତ୍ନ ନିଅନ୍ତୁ। କାରଣ, ହୃଦୟ ହେଉଛି ବହୁ ମୂଲ୍ୟବାନ।

 

ଡାକ୍ତର ପ୍ରଶାନ୍ତ କୁମାର ସାହୁ

ଏମ୍‌ଡି; ଡିଏମ୍‌; ଏଫ୍‌ଆର୍‌ସିପି; ଏଫ୍‌ଇଏସ୍‌ସି; ଏଫ୍‌ଏସିସି; ଏଫ୍‌ଏସ୍‌ସିଏଆଇ
ଡାଇରେକ୍ଟର ଇଣ୍ଟରଭେନ୍‌ସନାଲ୍‌ କାର୍ଡିଓଲୋଜି
ଆଡ୍‌ଭାଇଜର ଡିପାର୍ଟମେଣ୍ଟ ଅଫ୍‌ କାର୍ଡିଓଲୋଜି
ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର
ସମ୍ବନ୍ଧିତ ଖବର