ଔଷଧର ଉପଯୁକ୍ତ ବ୍ୟବହାର ପ୍ରତି ସଚେତନ ରହିବା କାହିଁକି ଜରୁରି?
ଆଧୁନିକ ଚିକିତ୍ସା ପ୍ରଣାଳୀରେ ଔଷଧର ଉପଯୁକ୍ତ ବ୍ୟବହାର ନହେଲେ ଏହା ରୋଗୀର କ୍ଷତି କରିପାରେ। ଏ ଦିଗରେ ସଚେତନତା ସୃଷ୍ଟି ଲାଗି ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ‘ଜାତୀୟ ଫାର୍ମାକୋଭିଜିଲାନ୍ସ ସପ୍ତାହ’ ସାରା ଦେଶରେ ପାଳନ କରାଯାଉଛି। ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ସାଧାରଣ ଜନତା ଯଦି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ପ୍ରତି ସଜାଗ ରହିବେ, ତେବେ ରୋଗୀର ଉପକାର ହେବ। ଏହି ବର୍ଷ ପାଇଁ ସ୍ଲୋଗାନ୍ ରଖାଯାଇଛି ଆମେ କିପରି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତି ସଚେତନ ହେବା।
କେଉଁ ପରିସ୍ଥିତିରେ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ହୋଇଥାଏ?
ଔଷଧ ଉଚିତ ମାତ୍ରାରେ ସେବନ କରିବା ପରେ ମଧ୍ୟ, ଏହାଦ୍ବାରା କୌଣସି ଅବାଞ୍ଛିତ ବା କ୍ଷତିକାରକ ପ୍ରତିକ୍ରିୟା ହେବାର ଆଶଙ୍କା ଥାଏ। ଯେତେବେଳେ ଏକାଧିକ ଔଷଧ ଏକ ସମୟରେ ଜଣେ ରୋଗୀକୁ ଦିଆଯାଏ, ସେତେବେଳେ ଔଷଧ-ଔଷଧ ମଧ୍ୟରେ ପ୍ରତିକ୍ରିୟା ହେବାର ଆଶଙ୍କା ଥାଏ। ଏହିପରି ପ୍ରତିକ୍ରିୟା, ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତି ବା ଆଇସିୟୁରେ ଚିକିତ୍ସିତ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଏ। ଉଦାହରଣ ସ୍ୱରୂପ, ମଧୁମେହ, ଅପସ୍ମାର, ହୃଦ୍ରୋଗର ଔଷଧ ଓ ଗର୍ଭନିରୋଧକ ଔଷଧ ସେବନ କଲେ, ଏପରି ପ୍ରତିକ୍ରିୟା ହେବାର ଅଧିକ ଆଶଙ୍କା ଥାଏ। ଏଣୁ ଏସବୁ ରୋଗ ପାଇଁ ଔଷଧ ଖାଉଥିଲେ, ଡାକ୍ତରଙ୍କୁ ଜଣାଇବା ଜରୁରି। ଏହାଛଡ଼ା, ଆୟୁର୍ବେଦିକ ଓ ହୋମିଓପାଥି ଔଷଧ ସେବନ କରୁଥିଲେ ମଧ୍ୟ ଡାକ୍ତରଙ୍କୁ ଜଣାଇବାର ଆବଶ୍ୟକତା ରହିଛି।
ଔଷଧ ପାର୍ଶ୍ବ ପ୍ରତିକ୍ରିୟାର ପରିଣାମ କ’ଣ ହୋଇପାରେ?
ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଚିହ୍ନି ନ ପାରିବା ବା ଠିକ୍ ଭାବରେ ନ ଜଣାଇବା ଯୋଗୁଁ ପ୍ରତି ୧୦ ଜଣରେ ଜଣେ ଅସୁସ୍ଥ ହେଉଥିବା ଓ ୩୦ ଜଣରେ ଜଣେ ମୃତ୍ୟୁମୁଖରେ ପଡୁଥିବା ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି। ଏହାର ଗୁରୁତ୍ବ ଉପଲବ୍ଧି କରି ଭାରତ ସରକାର ପ୍ରତ୍ୟେକ ମେଡିକାଲ କଲେଜର ଫାର୍ମାକୋଲୋଜି ବିଭାଗରେ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ରିପୋର୍ଟ ଯାଞ୍ଚ କରିବା ପାଇଁ ୟୁନିଟ୍ ଗଠନ କରିଛନ୍ତି।
ଔଷଧର ପାର୍ଶ୍ବ ପ୍ରତିକ୍ରିୟା କମାଇବା ପାଇଁ କ’ଣ କରିବା ଉଚିତ?
କୌଣସି ଔଷଧ ଡାକ୍ତରଙ୍କ ବିନା ପରାମର୍ଶରେ ସେବନ କରିବା ଅନୁଚିତ। ନୂଆକରି କୌଣସି ଔଷଧ ଆରମ୍ଭ କରିଥିଲେ, ତା’ର ପାର୍ଶ୍ବ ପ୍ରତିକ୍ରିୟା ପ୍ରତି ସଜାଗ ରହିବାକୁ ହେବ। ଏହିପାଇଁ ପ୍ରେସ୍କ୍ରିପସନ୍ ନେଲାବେଳେ ଔଷଧର ପାର୍ଶ୍ବପ୍ରତିକ୍ରିୟା ସଂପର୍କରେ ଡାକ୍ତରଙ୍କଠାରୁ ବୁଝିନେବା ଉଚିତ। ଅଧିକ ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହେଲେ, ଖାଇଥିବା ଔଷଧକୁ ବନ୍ଦ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତରଙ୍କୁ ଅତୀତ ଓ ବର୍ତ୍ତମାନର ସମସ୍ତ ରୋଗର ବିବରଣୀ ପ୍ରଦାନ କରନ୍ତୁ। କୌଣସି ପରିସ୍ଥିତିରେ ବି ଡାକ୍ତରଙ୍କୁ ନ ଜଣାଇ, ମନକୁ ମନ ଔଷଧର ମାତ୍ରାକୁ କମ୍ ବା ବେଶୀ କରନ୍ତୁ ନାହିଁ।
ରୋଗୀ କିଭଳି ପାର୍ଶ୍ବ ପ୍ରତିକ୍ରିୟା ଜଣାଇବ?
ରୋଗୀ ବ୍ୟବହାର କରୁଥିବା ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଜଣାଇବା ପାଇଁ ଏକ ଫର୍ମ ଉପଲବ୍ଧ ଅଛି, ଯାହାଦ୍ବାରା ସେ ନିଜେ ଏହା ରିପୋର୍ଟ କରିପାରିବ। ଏହାବ୍ୟତୀତ ଟୋଲ୍ ଫ୍ରି ନମ୍ବର ଦ୍ବାରା କଲ୍ ମଧ୍ୟ କରିପାରିବ। ଏ ନେଇ ସଚେତନତା ସୃଷ୍ଟି କରିପାରିଲେ ଆମେ ଆମ ସ୍ବାସ୍ଥ୍ୟର ଉପଯୁକ୍ତ ସୁରକ୍ଷା କରିପାରିବା।
ଔଷଧର ପାର୍ଶ୍ବ ପ୍ରତିକ୍ରିୟା ପ୍ରତି ସଚେତନ ରହିବା ଦରକାର
ଆଧୁନିକ ଚିକିତ୍ସା ପ୍ରଣାଳୀରେ ଔଷଧର ଉପଯୁକ୍ତ ବ୍ୟବହାର ନହେଲେ ଏହା ରୋଗୀର କ୍ଷତି କରିପାରେ। ଏ ଦିଗରେ ସଚେତନତା ସୃଷ୍ଟି ଲାଗି ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ‘ଜାତୀୟ ଫାର୍ମାକୋଭିଜିଲାନ୍ସ ସପ୍ତାହ’ ସାରା ଦେଶରେ ପାଳନ କରାଯାଉଛି।
/sambad/media/media_files/7Pd3uaf37xyVn1HR59uW.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)