ନୂଆଦିଲ୍ଲୀ: ଯଦି ଆପଣ ନିଜ ମୋବାଇଲ୍ ଫୋନକୁ ଶୌଚାଳୟକୁ ନେଇଯାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କରିବା ଦ୍ବାରା ଜୀବାଣୁଙ୍କ ପାଇଁ ଏହା ଏକ ପ୍ରଜନନ ସ୍ଥାନ ହୋଇପାରେ ।
ଶୌଚାଳୟରେ ଆପଣ ଫୋନ୍ ବ୍ୟବହାର କରିବା ଦ୍ବାରା ମୂତ୍ରାଶୟ ସଂକ୍ରମଣ, ଅର୍ଶ ଏବଂ ଅନ୍ତନଳୀ ସଂକ୍ରମଣ ପରି ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇପାରେ। ଏହି ସଂକ୍ରମଣ ଇ. କୋଲି, ସାଲମୋନେଲା ଏବଂ ସି ଡିଫିସାଇଲ ପରି ଜୀବାଣୁ କାରଣରୁ ହୋଇପାରେ ଯାହା ଶୌଚାଳୟ ଭିତରେ ଆପଣଙ୍କ ଫୋନରେ ଜମା ହୋଇଥାଏ ।
ମୋବାଇଲ୍ ଫୋନକୁ ଶୌଚାଳୟକୁ ନେବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଶୌଚାଳୟରେ ଫୋନ ବ୍ୟବହାର ଦ୍ବାରା ସେଥିରେ ଜୀବାଣୁ ଜମା ହୋଇଯାଆନ୍ତି। ଉକ୍ତ ଫୋନକୁ ନେଇ ଯେତେବେଳେ ଆପଣ ଶୌଚାଳୟ ବାହାରକୁ ଆସନ୍ତି ସେଥିରେ ଉକ୍ତ ଜୀବାଣୁ ବି ଆସିଥାଆନ୍ତି। ଏଭଳି କ୍ଷେତ୍ରରେ ଯଦି ଆପଣ କି ଅନ୍ୟ କେହି ଫୋନକୁ ସ୍ପର୍ଶ କରନ୍ତି, ତେବେ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି।
ଦୀର୍ଘ ସମୟ ଧରି ଟଏଲେଟରେ ଫୋନ ବ୍ୟବହାର ଯୋଗୁ କୋଷ୍ଠକାଠିନ୍ୟ ହେବାର ଆଶଙ୍କା ରହିଥାଏ। ଏହା ବ୍ୟତୀତ ଅର୍ଶ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ ।
ଏହା ବ୍ୟତୀତ ଅଧିକ ସମୟ ଶୌଚାଳୟରେ ବସିବା ଫଳରେ ମାଂସପେଶୀରେ କଠିନତା, ଆଣ୍ଠୁରେ ଯନ୍ତ୍ରଣା ହେବାର ଆଶଙ୍କା ରହିଥାଏ। ଏହାସହିତ ବେକ ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ। ସେହିପରି ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ। ଏହା ଦ୍ୱାରା ଶୋଇବା ମଧ୍ୟ ବ୍ୟାହତ ହୋଇଥାଏ।
ଆଶ୍ଚର୍ଯ୍ୟଜନକ କଥା ହେଉଛି କିଛି ଅଧ୍ୟୟନରୁ ଜଣାପଡିଛି ଯେ ଫୋନରେ ଟଏଲେଟ୍ ସିଟ୍ ଅପେକ୍ଷା ଅଧିକ ବ୍ୟାକ୍ଟେରିଆ ରହିପାରେ।