ରାତିରେ ବିଛଣାକୁ ଯିବା ବେଳେ ଆପଣାନ୍ତୁ ଏହି ସବୁ ଉପାୟ, ସୁସ୍ଥ ରହିବ ଦେହ ଓ ମନ!

ଦିନ ଯାକ ଯେତେ ବି ଧାଆଁ ଦୌଡ଼ କରନ୍ତୁ ପଛେ ରାତି ହୋଇଥାଏ ବିଶ୍ରାମ ପାଇଁ। ମାତ୍ର ଆଜିକାଲି ବିଭିନ୍ନ ସମସ୍ୟା ହେତୁ ଠିକ୍‌ ଭାବେ ବିଶ୍ରାମ ନେଇ ହୁଏ କି? ବିଛଣାରେ ପଡ଼ିବା ମାତ୍ରେ ନିଦ ବଦଳରେ ମାଡ଼ି ଆସେ ଅନେକ ଗୁଡ଼ାଏ ଚିନ୍ତା। ନିଦ ଯାଏ ନିଦ ବାଟରେ ଚିନ୍ତାମାନେ ଘେରି ଯାଆନ୍ତି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ। ଦେହ ଓ ମନ ଉଭୟ ଦୁର୍ବଳ ହୁଅନ୍ତି। ନାନା ରୋଗ ଶରୀରକୁ ଅସୁସ୍ଥ କରିପକାନ୍ତି। ତେବେ, ରାତିରେ ବିଛଣାକୁ ଯିବା ପୂର୍ବରୁ କ’ଣ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ସେ ସଂପର୍କରେ ନିମ୍ନରେ କୁହାଯାଇଛି।

ବିଛଣାକୁ ଯିବା ପୂର୍ବରୁ ପ୍ରଥମେ ବିଛଣାକୁ ପରିଷ୍କାର କରି ଝାଡ଼ି ଦିଅନ୍ତୁ। ନିଜେ ବି ଧୁଆ ଧୋଇ ହୋଇ ଏକଦମ ସଫା ହୋଇଯାଆନ୍ତୁ। ଫଳରେ ବିଛଣାକୁ ଯିବା ପରେ ଆଉ ଚିଡ଼ିଚିଡ଼ା ଲାଗିବ ନାହିଁ। ଭଗବାନଙ୍କୁ ସ୍ମରଣ କରନ୍ତୁ। ଦେଖିବେ ଯେଉଁଦିନ ଏହିପରି ଭାବେ ବିଛଣାକୁ ଯାଇଥିବେ ସେଦିନ ଅନ୍ୟ ଦିନ ଅପେକ୍ଷା ଭଲ ନିଦ ନିଶ୍ଚୟ ହେବ।

ଯଥାଚେଷ୍ଟା କରନ୍ତୁ ଅଫିସ୍‌ ବିଷୟରେ କିମ୍ବା ନିଜକୁ ଚିନ୍ତାରେ ପକାଉଥିବା କୌଣସି କଥା ନଭାବିବା ପାଇଁ। ଏମିତି କହିଦେଲେ ତ ଭାବନା ଦୂର ହେଇ ଯିବନି, ସେଥିପାଇଁ ଭଲ ବହି ପଢ଼ନ୍ତୁ ନଚେତ ଗୀତ ଶୁଣନ୍ତୁ।

ନିଜର ପ୍ରିୟ ଲୋକଙ୍କ କୌତୁକିଆ ଆଚରଣ ବିଷୟରେ ଭାବନ୍ତୁ। ଯେଉଁ ଭାବନା ଆପଣଙ୍କୁ ଆନନ୍ଦ ଦେଉଛି ସେ ସଂପର୍କରେ ବାରମ୍ବାର ଭାବନ୍ତୁ। ବିନା କୌଣସି ଦ୍ୱନ୍ଦ୍ୱ କିମ୍ବା ଚିନ୍ତାରେ ହସି ହସି ଯଦି ଶୋଇପାରନ୍ତି ତେବେ ଏହା ଆପଣଙ୍କ ମନ ଓ ଶରୀର ଉଭୟ ପାଇଁ ଭଲ।

ରୋଗବ୍ୟାଧି, ମୃତ୍ୟୁ କିମ୍ବା କୌଣସି ପ୍ରକାର ଦୁର୍ଘଟଣା ବିଷୟରେ ରାତିରେ ଶୋଇବା ପୂର୍ବରୁ ଭାବନ୍ତୁ ନାହିଁ। ଏପରି ଭାବନା ବ୍ୟକ୍ତିକୁ ମାନସିକ ଭାବେ ଦୁର୍ବଳ କରି ପକାଇଥାଏ। ଯେତେ ପାରୁଛନ୍ତି ସକାରାତ୍ମକ କଥା ସବୁ ଭାବନ୍ତୁ।

ଶୋଇବାକୁ ଗଲା ବେଳେ ମୋବାଇଲ୍‌, ଲ୍ୟାପ୍‌ଟପ୍‌ ଆଦି ଇଲୋକ୍‌ଟ୍ରୋନିକ୍ସ ଜିନିଷକୁ ବିଛଣା ପାଖାପାଖି ରଖନ୍ତୁ ନାହିଁ। ଏହି ଡିଭାଇସ୍‌ ଗୁଡ଼ିକ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। କାମ ସାରିବା ପରେ ଏଗୁଡ଼ିକୁ ଦୂରରେ ରଖି ଶୁଅନ୍ତୁ।

ସମ୍ବନ୍ଧିତ ଖବର