ନିରାମିଷଭୋଜୀ ହେବା ସ୍ୱାସ୍ଥ୍ୟ ପାଇଁ ନିଶ୍ଚୟ ମଙ୍ଗଳକର। ଅଧିକ ତନ୍ତୁ, ଫଲିକ୍ ଏସିଡ୍, ଭିଟାମିନ୍ ସି ଓ ଇ, ମାଗ୍ନେସିୟମ୍, ତରଳ ଅବସ୍ଥାରେ ଥିବା ଚର୍ବି ଏବଂ ଅସୁମାରି ଫାଇଟୋକେମିକାଲ୍ ଥିବାରୁ ନିରାମିଷ ଖାଉଥିବା ବ୍ୟକ୍ତିଙ୍କର କୋଲେଷ୍ଟେରୋଲ୍ ଓ ରକ୍ତଚାପ କମ୍ ରହେ। ଫଳରେ ହୃଦ୍ରୋଗ ହେବାର ଆଶଙ୍କା ନ ଥାଏ। ଏହା ଛଡ଼ା ଏଥିରେ ସ୍ୱାସ୍ଥ୍ୟର ଆହୁରି ମଧ୍ୟ ଉପକାର ହୋଇଥାଏ।
ମିଜାଜ୍ ଭଲ ରଖେ: ନିରାମିଷ ଆହାରରେ ଆରାସିଡୋନିକ୍ ଏସିଡ୍ ବିପୁଳ ପରିମାଣରେ ଥାଏ। ମନମିଜାଜ୍ ଠିକ୍ ରହୁ ନ ଥିଲେ ନିୟମିତ ନିରାମିଷ ଭୋଜନ କଲେ ଉପସମ ମିଳେ।
ସୋରିଆସିସ୍ ପ୍ରତିରୋଧୀ: ସୋରିଆସିସ୍ ନାମକ ଚର୍ମ ରୋଗ ହେଲେ ଚର୍ମ ଲାଲ୍ ପଡ଼ିଯାଏ। ନିରାମିଷ ଭୋଜନ କଲେ ଚର୍ମରୁ ଲାଲ୍ ଦାଗ ଅପସରି ଯାଏ।
ମଧୁମେହ ହ୍ରାସକାରୀ: ନିରାମିଷ ଭୋଜନ ଖାଇବା ଦ୍ୱାରା ମଧୁମେହ ରୋଗ କମ୍ ହୋଇଥାଏ। ଲୋମା ଲିଣ୍ଡା ୟୁନିଭର୍ସିଟି ସ୍କୁଲ୍ର ଜନସ୍ୱାସ୍ଥ୍ୟ ବିଭାଗ ଗବେଷଣାରୁ ଏ କଥା ଜାଣିପାରିଛି।
ରହେନି ହୃଦ୍ରୋଗ ଆଶଙ୍କା: ନିରାମିଷ ଆହାରରେ ଆଣ୍ଟିଅକ୍ସିଡେଣ୍ଟ୍ ଥିବାରୁ ଏହା ହୃତ୍ପିଣ୍ଡ୍ ଜନିତ ସମସ୍ୟା କରାଇ ଦିଏ ନାହିଁ। ଓଲଟି ଅକ୍ସିଡେଟିଭ୍ ଚାପ ଯୋଗୁଁ ନଷ୍ଟ ହୋଇଥିବା କ୍ଷୟ ଭରଣା କରେ।
କମ୍ କୋଲେଷ୍ଟେରୋଲ୍: ମାନବ ଶରୀର ପାଇଁ ପ୍ରାଣୀଜ ଖାଦ୍ୟ ଭଲ ନୁହେଁ। ତେଣୁ ଆମିଷ ନିରାମିଷ ଉଭୟ ଖାଉଥିବା ଲୋକଙ୍କ ତୁଳନାରେ ନିରାମିଷ ଆହାର ଖାଉଥିବା ଲୋକଙ୍କ ଠାରେ ଶରୀର ଚର୍ବି ଓ କୋଲେଷ୍ଟେରୋଲ୍ ସ୍ତର କମ୍ ରହେ।
ଷ୍ଟ୍ରୋକ୍ ଏବଂ ମେଦ ବହୁଳତା ଡର ନ ଥାଏ: ଅନେକ ପ୍ରକାରର ନିରାମିଷ ଭୋଜନ ମିଳୁଥିବାରୁ ଜଣେ ନିଜ ପସନ୍ଦ ମୁତାବକ ଖାଇପାରେ। ତେଣୁ ଅଧିକ ପରିମାଣର ଖାଇଲେ ମଧ୍ୟ ମେଦ ବହୁଳତା ହୁଏନାହିଁ। ମେଦ ବହୁଳତା ନ ହେଲେ ଷ୍ଟ୍ରୋକ୍ର ଡର ରହେ ନାହିଁ।
ବୃକ୍କରେ ପଥୁରୀ ହୁଏନି: ପ୍ରାଣୀଜ ପୁଷ୍ଟିସାର ବୃକ୍କ ବା କିଡ୍ନିରେ ପଥୁରୀ କରାଇଥାଏ। ନିରାମିଷ ଭୋଜନରୁ ମିଳୁଥିବା ପୁଷ୍ଟିସାର ତାହା କରାଇ ଦିଏ ନାହିଁ। ଏହାର କାରଣ ନିରାମିଷ ଭୋଜନ ଅଧିକ ପରିସ୍ରା କରାଉ ଥିବାରୁ ପଥୁରୀ ସୃଷ୍ଟି ହେବାକୁ ସୁଯୋଗ ପାଏ ନାହିଁ।