ମସଲା ଚା’ର ଉପକାରିତା

ପାଣି ବ୍ୟତୀତ ଲୋକେ ଆଉ ଯାହା ଅଧିକ ପିଅନ୍ତି, ତାହା ହେଉଛି ଚା’। ପୂର୍ବେ ଏହାକୁ ଔଷଧ ‘କ୍ୱାଥ’ ବା ‘କାଢ଼ା’ ରୂପେ ପିଆ ଯାଉଥିଲା। ଏହିପରି ଖରା ଓ ବର୍ଷାର ମିଶ୍ରିତ ଋତୁରେ, ସ୍ୱାସ୍ଥ୍ୟ ରକ୍ଷାକାରୀ ଜଡ଼ିବୁଟୀ ମିଶିଥିବା ମସଲା ଚା’ ପିଇବା ଅତ୍ୟନ୍ତ ଉପାଦେୟ।

ସାଧାରଣ ଚା’ ଅନେକ ସମୟରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏଥିରୁ ଗୋଟିଏ ହେଉଛି- ଅମ୍ଳ ବୃଦ୍ଧି। ଏଣୁ ସାଧାରଣ ଚା’ ପରିବର୍ତ୍ତେ ଆୟୁର୍ବେଦୀୟ ଚା’ ବା ‘ହର୍ବାଲ୍ ଟି’ ପିଇଲେ ତାହା ଶରୀରକୁ ଫୂର୍ତ୍ତି ଦେବା ସହିତ ରୋଗ ପ୍ରତିରୋଧକଶକ୍ତି (ଇମ୍ୟୁନିଟି) ବଢ଼ାଇବାରେ ସାହାଯ୍ୟ କରିଥାଏ।

ବୈଜ୍ଞାନିକମାନଙ୍କ ମତରେ, ଏପରି ଋତୁରେ ‘ବ୍ୟାକ୍ଟେରିଆ’ ବା ‘ଭାଇରସ୍‌’ ଦ୍ରୁତ ଗତିରେ ବଢ଼ିଥାନ୍ତି। ଫଳରେ ଏହା ସଂକ୍ରମଣ ବା ‘ଏଲର୍ଜୀ’ ଆଦିର କାରଣ ହୋଇଥାଏ। ଏଣୁ ଏହି ସଂକ୍ରମଣପାଇଁ ସତର୍କ ରହିବା ଏକ ପ୍ରତିଷେଧାତ୍ମକ ଆବଶ୍ୟକତା। ଏହି ଜଡ଼ିବୁଟୀ ମିଶା ଆୟୁର୍ବେଦୀୟ ଚା’ ବା ମସଲା ଚା’ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଫଳରେ ଶରୀର ସଂକ୍ରମଣ ବିରୋଧରେ ଲଢ଼େଇ କରିପାରେ।

ସାଧାରଣ ଭାବରେ କେବଳ ଲବଙ୍ଗ ଚା’ ପିଇଲେ କଫଜ ସଂକ୍ରମଣରୁ ରକ୍ଷା ମିଳିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ସର୍ଦ୍ଦି, କଫ, କାଶ ଆଦି ଥଣ୍ଡା ରୋଗର ପ୍ରତିଷେଧକ ହିସାବରେ ମଧ୍ୟ କାମ କରେ। ଏହିପରି କେତେକ ପେୟ ବା ଚା’ର ଅବତାରଣା ଏଠାରେ କରାଯାଉଛି।

ମସଲା ଚା’: ଏହି ଚା’ପାଇଁ କ୍ଷୀର ଓ ଚିନି ଦରକାର ପଡ଼େ ନାହିଁ। ଅଦା, ଗୋଲମରିଚ, ଅଳେଇଚ ବା ଗୁଜୁରାତି, ଲବଙ୍ଗ, ଡାଳଚିନି ଆଦିର ଚୂର୍ଣ୍ଣରେ ଏହା ପ୍ରସ୍ତୁତ କରାଯାଏ। ବିଶେଷ କରି ଶ୍ୱସନ-ସଂସ୍ଥାନର ସଂକ୍ରମଣ ଯଥା, କାଶ, ଥଣ୍ଡା, ଜ୍ୱର ଆଦି ସହିତ ଲଢ଼ିବାରେ ଏହା ସାହାଯ୍ୟ କରେ।

ପୋଦିନା ଚା’: ଏହା ‘ଆଣ୍ଟି ଅକ୍ସିଡାଣ୍ଟ’ ବା ବିଷାକ୍ତ ଉପାଦାନ ବିରୋଧୀ ଗୁଣରେ ଭରପୂର। ଏହା ମଧ୍ୟ ଉତ୍କୃଷ୍ଟ ପାଚନକାରୀ। ଏହି ଚା’ ପିଇବା ଦ୍ୱାରା ମାନସିକ ଅବସାଦ ବା ଚିନ୍ତା ଆଦି ଦୂର ହୋଇଥାଏ।

ଯଷ୍ଠିମଧୁ ଚା’: ଯଷ୍ଠିମଧୁ ବା ଯାଠି ମହୁ, ଧନ୍ୱନ୍ତରୀ (ଲେମନ୍ ଗ୍ରାସ୍‌) ଓ ଅଦା, ପୁଦିନା ମିଶା ଚା’ ଶରୀରକୁ ଯଥେଷ୍ଟ ଶକ୍ତି ପ୍ରଦାନ ସହିତ ସ୍ଫୂର୍ତ୍ତି ଦିଏ ଓ ସଂକ୍ରମଣ ବିରୋଧରେ ଲଢ଼େଇ କରେ।

ଗୋଲାପ ଚା’: ଗୋଲାପ ଫୁଲ ଅତି ସହଜରେ ମିଳିଥାଏ। ଏହାର ପାଖୁଡ଼ା ସହିତ ଲବଙ୍ଗ, ଅଳେଇଚ, ଗୋଲମରିଚ ଆଦି ମିଶାଇ ଉତ୍ତମ ଚା’ ପ୍ରସ୍ତୁତ କରାଯାଇପାରେ। ଏହାଦ୍ୱାରା ଶରୀରର ଗରମ ବା ଦାହ ହ୍ରାସ ହୋଇ ଜ୍ୱରର ଉପଶମ ଘଟେ। ଥଣ୍ଡା, କାଶ ଓ ସର୍ଦ୍ଦିପାଇଁ ମଧ୍ୟ ଏହା ଉପକାରୀ ହୋଇଥାଏ।

ଅଦା-ହଳଦୀ ଚା’: ସାଧାରଣତଃ ଅଦା ଓ ହଳଦୀ ଏକ ଉତ୍ତମ ସମ୍ମିଶ୍ରଣ। ଏଣୁ ଏଥିରେ ତିଆରି ଚା’ ଶରୀରର ବିଷାକ୍ତ ଉପାଦାନଗୁଡ଼ିକୁ ନଷ୍ଟକରି ଦିଏ। ଅଦା ପେଟର ଆମଦୋଷ ଓ ହଳଦୀ ରକ୍ତ ତଥା ଶ୍ୱସନ ସଂସ୍ଥାନଗତ ବିଷାକ୍ତଦୋଷକୁ ନଷ୍ଟ କରେ। ଏହା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ।

ତୁଳସୀ ଚା’: ଏହି ଚା’ ସବୁଠୁ ଉପାଦେୟ। ତୁଳସୀ, ଗୁଳୁଚି, ଲବଙ୍ଗ ଓ ତେଜପତ୍ରର ସଂମିଶ୍ରଣ‌େର ହେଉଥିବା ଚା’ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଥଣ୍ଡା, କାଶ ଓ ଜ୍ୱର ଆଦିର ପ୍ରତିରୋଧ କରିଥାଏ।

ତେବେ ଏ ବାବଦରେ କେତୋଟି ସତର୍କତା ରହିଛି। ତାହା ହେଉଛି- କୌଣସି ପ୍ରକାରର ଆୟୁର୍ବେଦୀୟ ଚା’ ବା ମସଲା ଚା’କୁ ଆଲୁମିନିୟମ୍ ବାସନରେ ପ୍ରସ୍ତୁତ ନ କରିବା ଉଚିତ। ଏହାକୁ ବହୁତ ସମୟ ମଧ୍ୟ ସିଝାଇବା ଉଚିତ ନୁହେଁ। ଖାଦ୍ୟ ସହିତ ବା ଖାଦ୍ୟ ଗ୍ରହଣ ପରେ ଏବଂ ରାତିରେ ଶୋଇବା ପୂର୍ବରୁ ଏପରି ଚା’ ପିଇବା ଆଦୌ ଉଚିତ ନୁହେଁ। କେବଳ ସକାଳେ ଓ ସଂଧ୍ୟାରେ, ଖାଲି ପେଟରେ ଏହି ଚା ପିଇବା ଲାଭଦାୟକ ହୋଇଥାଏ।

-ପ୍ରଫେସର ଗୋପାଳ ଚନ୍ଦ୍ର ନନ୍ଦ

ସମ୍ବନ୍ଧିତ ଖବର