ନୂଆଦିଲ୍ଲୀ: ମଣିଷ ଜୀବନ ସବୁବେଳେ ବ୍ୟସ୍ତ । ଆଜି କାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଆମେ ପ୍ରାୟତଃ ପ୍ରକୃତି ଠାରୁ ଦୂରେଇ ଯାଉଛୁ। କାମର ଚାପ, ଘରୋଇ ସମସ୍ୟା ଭିତରେ ଏତେ ବ୍ୟସ୍ତ ହୋଇ ଯାଉଛୁ ଯେ- ନିଜ ପାଇଁ ସମୟ ଦେବାକୁ କିମ୍ବା ନିଜକୁ ପ୍ରକୃତି କୋଳରେ ହଜେଇ ଦେବାକୁ ବିଲକୁଲ ବି ସମୟ ପାଉନୁ । ଏପରିସ୍ଥଳରେ ଆମେ ଘର ଭିତରେ, ଅଫିସରେ କିମ୍ବା ବାହାରେ ସବୁବେଳେ ଜୋତା କିମ୍ବା ଚପଲ ପିନ୍ଧି ରହୁଛୁ ।
କିନ୍ତୁ ଆପଣ ଜାଣିଛନ୍ତି କି ? ଖାଲି ପାଦରେ ଚାଲିବା ଆମ ଶରୀର ପାଇଁ ଅନେକ ଉପକାରୀ ସାବ୍ୟସ୍ତ ହୋଇଥାଏ । ପ୍ରାଚୀନ କାଳରୁ ଆୟୁର୍ବେଦରେ ଖାଲି ପାଦରେ ଚାଲିବାର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି । ଏହାକୁ "ଅର୍ଥିଙ୍ଗ" (Earthing) କିମ୍ବା "ଗ୍ରାଉଣ୍ଡିଙ୍ଗ" (Grounding) ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି ପୃଥିବୀର ପ୍ରାକୃତିକ ଶକ୍ତି ସହିତ ସିଧାସଳଖ ସଂଯୋଗ ସ୍ଥାପନ କରିବା ।
ଆସନ୍ତୁ ଜାଣିବା, ଖାଲି ପାଦରେ ଚାଲିବାର ମୁଖ୍ୟ ଉପକାରିତା ଗୁଡ଼ିକ କ'ଣ ଏବଂ ଆୟୁର୍ବେଦିକ ଡାକ୍ତରମାନେ ଏ ବିଷୟରେ କ'ଣ ପରାମର୍ଶ ଦିଅନ୍ତି । ଜାଣନ୍ତୁ ଖାଲି ପାଦରେ ଚାଲିବାର ମୁଖ୍ୟ ଫାଇଦା
ମାନସିକ ଶାନ୍ତି ଏବଂ ଚାପ ହ୍ରାସ
ପୃଥିବୀ ପୃଷ୍ଠରେ ମୁକ୍ତ ଇଲେକ୍ଟ୍ରନ୍ ରହିଛି, ଯାହା ଆମ ଶରୀରରେ ଥିବା ଅତିରିକ୍ତ ଇଲେକ୍ଟ୍ରନ୍କୁ ସନ୍ତୁଳିତ କରିଥାଏ। ଖାଲି ପାଦରେ ଚାଲିବା ଦ୍ୱାରା ଏହି ଇଲେକ୍ଟ୍ରନ୍ଗୁଡ଼ିକ ଶରୀରରେ ପ୍ରବେଶ କରନ୍ତି । ଯାହା ମାନସିକ ଚାପ, ଚିନ୍ତା ଏବଂ ଅବସାଦକୁ କମାଇବାରେ ସାହାଯ୍ୟ କରେ । ଏହା ମସ୍ତିଷ୍କକୁ ଶାନ୍ତ ରଖେ ଏବଂ ନିଦ୍ରାକୁ ଉନ୍ନତ କରିଥାଏ । ଆଧୁନିକ ଗବେଷଣାରୁ ଜଣାପଡ଼ିଛି ଯେ, ପୃଥିବୀରୁ ମିଳୁଥିବା ଇଲେକ୍ଟ୍ରନ୍ଗୁଡ଼ିକ ଶରୀରରେ ଥିବା ପ୍ରଦାହଜନକ ପ୍ରକ୍ରିୟାକୁ କମାଇବାରେ ସାହାଯ୍ୟ କରନ୍ତି । ଏହା ଗଣ୍ଠି ଯନ୍ତ୍ରଣା, ମାଂସପେଶୀର ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ପ୍ରଦାହଜନକ ରୋଗରୁ ମୁକ୍ତି ଦେଇଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି
ଖାଲି ପାଦରେ ଚାଲିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଏହା ଶରୀରକୁ ବିଭିନ୍ନ ସଂକ୍ରମଣ ଏବଂ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।
ରକ୍ତ ସଞ୍ଚାଳନରେ ଉନ୍ନତି
ନୃତତ୍ତ୍ୱବିଜ୍ଞାନୀମାନେ ବିଶ୍ୱାସ କରନ୍ତି ଯେ ଖାଲି ପାଦରେ ଚାଲିବା ଦ୍ୱାରା ପାଦର ତଳିପା ମାଲିସ୍ ହୋଇଥାଏ । ଏହା ପାଦର ଆକ୍ୟୁପ୍ରେସର ପଏଣ୍ଟଗୁଡ଼ିକୁ ଉତ୍ତେଜିତ କରେ, ଯାହା ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ । ଫଳରେ ହୃଦ୍ ରୋଗର ଆଶଙ୍କା କମିଯାଏ ।
ଶରୀରର ଶକ୍ତି ସ୍ତର ବୃଦ୍ଧି
ପୃଥିବୀର ଶକ୍ତି ସହିତ ସଂଯୋଗ ହେବା ଦ୍ୱାରା ଶରୀରରେ ସକରାତ୍ମକ ଶକ୍ତିର ପ୍ରବାହ ବଢ଼ିଥାଏ। ଏହା ଦିନସାରା ତାଜା ଏବଂ ଶକ୍ତିଯୁକ୍ତ ଅନୁଭବ କରିବାରେ ସାହାଯ୍ୟ କରେ।
ଉନ୍ନତ ଦୃଷ୍ଟିଶକ୍ତି
ଆୟୁର୍ବେଦ ଅନୁଯାୟୀ, ପାଦର ତଳିପାରେ ଥିବା କିଛି ପଏଣ୍ଟ ଆଖି ସହିତ ଜଡିତ । ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ୱାରା ଏହି ପଏଣ୍ଟଗୁଡ଼ିକ ସକ୍ରିୟ ହୁଏ, ଯାହା ଦୃଷ୍ଟିଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରେ।
ସନ୍ତୁଳନ ଏବଂ ଶରୀରର ଉନ୍ନତି
ଜୋତା ନ ପିନ୍ଧି ଚାଲିବା ଦ୍ୱାରା ପାଦର ମାଂସପେଶୀ ସକ୍ରିୟ ହୁଏ । ଯାହା ଶରୀରର ସନ୍ତୁଳନ ଏବଂ ସଠିକ୍ ଶାରୀରିକ ସ୍ଥିତି ବଜାୟ ରଖିବାରେ ସାହାଯ୍ୟ କରେ।
ଦିନକୁ କେତେ ମିନିଟ ଚାଲିବେ...
ଆୟୁର୍ବେଦିକ ଡାକ୍ତରମାନେ ଖାଲି ପାଦରେ ଚାଲିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଅଭ୍ୟାସ ଭାବରେ ବିବେଚନା କରନ୍ତି । ସେମାନେ ପ୍ରାତଃକାଳରେ କିମ୍ବା ସନ୍ଧ୍ୟା ସମୟରେ, ଯେତେବେଳେ ପୃଥିବୀର ଶକ୍ତି ସବୁଠାରୁ ଅଧିକ ସକ୍ରିୟ ଥାଏ । ସେହି ସମୟରେ ଖାଲି ପାଦରେ ଚାଲିବାକୁ ପରାମର୍ଶ ଦିଅନ୍ତି ।
ପ୍ରାୟ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଦୈନିକ ଖାଲି ପାଦରେ ଚାଲିବା ସର୍ବୋତ୍ତମ । ଯଦି ଆପଣ ନୂଆ କରି ଏହି ଅଭ୍ୟାସ ଆରମ୍ଭ କରୁଛନ୍ତି, ତେବେ ୧୦-୧୫ ମିନିଟରୁ ଆରମ୍ଭ କରି ଧୀରେ ଧୀରେ ସମୟ ବଢ଼ାଇ ପାରିବେ । ସବୁଜ ଘାସ ଉପରେ, ମାଟିରେ କିମ୍ବା ବାଲି ଉପରେ ଖାଲି ପାଦରେ ଚାଲିବା ଅଧିକ ଲାଭଦାୟକ। କଂକ୍ରିଟ୍ କିମ୍ବା ପିଚୁ ରାସ୍ତାରେ ଚାଲିବାଠାରୁ ଏହା ଅଧିକ ଉପକାରୀ । ସକାଳର କଅଁଳିଆ ଖରାରେ ଘାସ ଉପରେ ଚାଲିବା ଶରୀର ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ଚାଲିବା ପୂର୍ବରୁ ସାବଧାନ !
ଖାଲି ପାଦରେ ଚାଲିବା ପୂର୍ବରୁ ସ୍ଥାନଟି ସୁରକ୍ଷିତ ଅଛି କି ନାହିଁ, ତାହା ଯାଞ୍ଚ କରିନିଅନ୍ତୁ । କୌଣସି କଣ୍ଟା, କାଚ ଖଣ୍ଡ କିମ୍ବା ଅନ୍ୟ କୌଣସି ମାରାତ୍ମକ ବସ୍ତୁ ପଡ଼ିନଥିବା ସୁନିଶ୍ଚିତ କରନ୍ତୁ । ଯଦି ଆପଣଙ୍କର ମଧୁମେହ କିମ୍ବା ପାଦ ସମ୍ବନ୍ଧୀୟ କୌଣସି ଗୁରୁତର ସମସ୍ୟା ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ଏହି ଅଭ୍ୟାସ ଆରମ୍ଭ କରନ୍ତୁ। ତେବେ ଖାଲି ପାଦରେ ଚାଲିବା ଏକ ସରଳ ଏବଂ ପ୍ରାକୃତିକ ଉପାୟ । ଯାହା ଶରୀର ଏବଂ ମନ ପାଇଁ ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ । ଏହାକୁ ଆପଣଙ୍କ ଦୈନନ୍ଦିନ ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରି ଆପଣ ଏକ ସୁସ୍ଥ ଓ ଶାନ୍ତ ଜୀବନ ବଞ୍ଚିପାରିବେ।