ଜାଣନ୍ତୁ ପ୍ରତ୍ୟହ ଖାଉଥିବା ମସଲାରୁ କି ଫାଇଦା ମିଳିଥାଏ

ଆମେ ପ୍ରତ୍ୟହ ସୁଖାଦ୍ୟ ଖାଇବାକୁ ଭଲ ପାଉ। ଏହା ଆମକୁ କିପରି ଉତ୍ତମ ସ୍ୱାସ୍ଥ୍ୟ ଦେବାରେ ବି ସହାୟକ ହେବ ସେଥିପ୍ରତି ଧ୍ୟାନ ଦେଇଥାଉ। ଏଥି ପାଇଁ ବହୁ ବର୍ଷରୁ ଆମେ ଖାଦ୍ୟରେ ବିଭିନ୍ନ ପ୍ରକାର ମସଲାର ପ୍ରୟୋଗ କରିଥାଉ । ତେବେ ଆସନ୍ତୁ ଜାଣିବା କେଉଁ ମସଲାକୁ ନିଶ୍ଚିତ ରୂପେ ଖାଦ୍ୟରେ ସାମିଲ କରିବା ଉଚିତ ଏବଂ ଏଥିରୁ କି ଫାଇଦା ମିଳିଥାଏ ।
ହଳଦୀ: ଖାଦ୍ୟରେ ହଳଦୀର ପ୍ରୟୋଗ କରିଲେ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ହଳଦୀ କାଛୁ କୁଣ୍ଡିଆ ଓ କ୍ଷତର ଭରଣା ମଧ୍ୟ କରିଥାଏ । ଠିକ୍‌ ସେହିପରି ଏହା ପିଲାଙ୍କର କୃମି ନାଶ କରିବରରେ ବି ସହାୟକ ହୋଇଥାଏ।

ଜିରା: ଜିରା ହଜମ କ୍ରିୟାରେ ସହାୟତା କରୁଥିବା ସବୁଠୁଁ ଭଲ ମସଲା । ବିଶେଷ କରି ବାନ୍ତି ପାଇଁ ଏହା ମହୌଷଧି । ଆହୁରି ମଧ୍ୟ କୁହାଯାଏ ଯେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ, କାରଣ ବ୍ରେଷ୍ଟ ମିଲ୍‌କକୁ ଶୁଦ୍ଧ କରିଥାଏ ଜିରା । ଜିରାକୁ ଫୁଟଣରେ ବ୍ୟବହାର କରାଯାଇଥାଏ, ଗରମ ମସଲା ହେଉ କି ସୋରିଷ ମସଲା ସବୁଥିରେ ସାମିଲ୍‌ କରାଯାଇଥାଏ । ଜିରାକୁ ପାଣିରେ ଫୁଟାଇ ପିଇଲେ ବି କୋଷ୍ଠ କାଠିନ୍ୟତାର ଦୂର ହୋଇଯାଏ । ଖାଲି ସେତିକି ନୁହେଁ , ଜିରା ଏକ ଭଲ ରୋଗ ପ୍ରତିରୋଧକକାରୀ ।

ଜୁଆଣି: ଯଦି ବଦହଜମୀର ଶିକାର ହୋଇଛନ୍ତି , ଅଧିକ ଏସିଡିଟି ହୋଇଛି, ତେବେ, ଜୁଆଣି ଏଥିପାଇଁ ମହୌଷଧି । କେତେକ ମହିଳା ମାସିକ ଋତୁସ୍ରାବ ଜନିତ ଯନ୍ତ୍ରଣାରୁ ରକ୍ଷା ପାଇବା ଲାଗି ମଧ୍ୟ ଏହାର ପ୍ରୟୋଗ କରିଥାଆନ୍ତି । ପାଣିରେ ଜୁଆଣି ପକାଇ ଫୁଟାଇ ତାକୁ ଥଣ୍ଡା କରି ପିଇଲେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ରହିବ ନାହିଁ ।
ଅଳେଇଚ: ଅଳେଇଚ ଆମ ଖାଦ୍ୟର ଏକ ଅଭିନ୍ନ ଅଙ୍ଗ ହୋଇଗଲାଣି । ମିଠା ହେଉକି ଗରମ ମସଲା ତରକାରୀ କି ବିରିଆନି ସବୁଥିରେ ଅଳେଇଚର ପ୍ରାୟାଗ ହେଉଛି । ଏହା ଅମ୍ଳ ହେବାରୁ ରକ୍ଷା କରିଥାଏ ଏବଂ ମୁଖ ଦୁର୍ଗନ୍ଧ ଦୂର କରିବାରେ ବି ସହାୟକ ହୋଇଥାଏ । ଅଳେଇଚ ବାନ୍ତି ରୋକିବାରେ ବି ସହାୟତା କରିଥାଏ ।

photo–medicalnewstoday

ଅଦା: ଅଦା ପେଟ ପାଇଁ ଅତ୍ୟନ୍ତ ଲାଭପ୍ରଦ । ଏହା ଗ୍ୟାସଷ୍ଟ୍ରିକ୍‌ , ବଦହଜମି ଓ କ୍ଲଟିଂ ଭଳି ସମସ୍ୟାରୁ ରକ୍ଷା କରଥାଏ । ଅଦା ଥଣ୍ଡା କାଶ ଦୂର କରିବାରେ ସହାୟକ ହୋଇଥାଏ । ଅଦା ମିଶା ଚା’ ପିଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ । ଠିକ୍‌ ସେହିପରି ଅଦାକୁ ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ । ସେଥିରେ ସୈନ୍ଧବ ଲବଣ ମିଶାଇ ସେଥିରୁ ଲେମ୍ବୁ ରସ ଚିପୁଡନ୍ତୁ । ଏହା ଖଣ୍ଡଗୁଡିକୁ ଭଲ ଭାବେ ମିଶାଇ ଖରାରେ ଶୁଖାନ୍ତୁ । ଭଲ ଭାବେ ଶୁଖିଯିବା ପରେ ଏହାକୁ ନିୟମିତ ଖାଇଲେ ନିଶା ସେବନରୁ ନିବୃତ୍ତ ରହି ହେବ।

ସମ୍ବନ୍ଧିତ ଖବର