କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ ପାଞ୍ଚଦିନ- ତାହା ‘ପଞ୍ଚକ’ ବା ଲୋକମୁଖରେ ‘ପଞ୍ଚୁକ’ ଭାବରେ ଖ୍ୟାତ। ଏହାର ଲୋକପ୍ରଚଳିତ ନାମ ‘ବକପଞ୍ଚକ’ ହେଲେ ମଧ୍ୟ, ପ୍ରକୃତ ନାମ ‘ଭୀଷ୍ମପଞ୍ଚକ’।

Advertisment

‘ମହାଭାରତ’ ଯୁଦ୍ଧରେ ଅର୍ଜୁନଙ୍କ ବାଣରେ ଆହତ ହୋଇ ଶରଶଯ୍ୟାରେ ଶୋଇ ରହିଥିଲେ ପିତାମହ ଭୀଷ୍ମ। ସେ ଥିଲେ ଆଜୀବନ ବ୍ରହ୍ମଚାରୀ। କାରଣ, ତାଙ୍କର ପିତା ଶାନ୍ତନୁ ଧୀବରପୁତ୍ରୀ ସତ୍ୟବତୀ (ମତ୍ସ୍ୟଗନ୍ଧା)ଙ୍କୁ ବିବାହ କରିବାକୁ ଇଚ୍ଛା କରିଥିଲେ ଏବ˚ ସେହି ବିବାହ ପାଇଁ ସର୍ତ୍ତ ଥିଲା ଯେ ସତ୍ୟବତୀଙ୍କ ପୁତ୍ର ହେବେ ହସ୍ତିନାପୁରର ରାଜା। ତେଣୁ ଶାନ୍ତନୁ ଓ ଗଙ୍ଗାଙ୍କ ପୁତ୍ର ଦେବବ୍ରତ (ଭୀଷ୍ମ) ପ୍ରତିଜ୍ଞା କରିଥିଲେ ଯେ ସେ ବିବାହ କରିବେ ନାହିଁ; ଚିରକୁମାର ରହିବେ। ଏହା ‘ଭୀଷ୍ମ ପ୍ରତିଜ୍ଞା’ ଭାବରେ ଖ୍ୟାତ।

ମହାଭାରତ ଯୁଦ୍ଧରେ ଭୀଷ୍ମ ଥିଲେ କୌରବମାନଙ୍କ ପକ୍ଷରେ। କାରଣ, ହସ୍ତିନାପୁରର ସି˚ହାସନ ପ୍ରତି ଅନୁଗତ ହୋଇ ରହିବାପାଇଁ ସେ ସତ୍ୟବଦ୍ଧ ଥିଲେ। ଧର୍ମ କୌରବଙ୍କ ପକ୍ଷରେ ନଥିଲା। ତେଣୁ ଶରଶଯ୍ୟାରେ ଶୋଇ ରହିଥିବାବେଳେ, ନିଜର ସେହି ପାପର ପ୍ରକ୍ଷାଳନପାଇଁ ସେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଥିଲେ। କି˚ବଦନ୍ତି ମଧ୍ୟ ଅଛି ଯେ ‘ବିଷ୍ଣୁସହସ୍ରନାମ’ ସେ ହିଁ ପ୍ରଥମେ ଗାନ କରି ଭଗବାନ ବିଷ୍ଣୁ (କୃଷ୍ଣ)ଙ୍କୁ ପ୍ରସନ୍ନ କରିଥିଲେ। ବିଷ୍ଣୁଙ୍କ ନାମ ସ୍ମରଣ କରି ତାଙ୍କୁ ପ୍ରସନ୍ନ କରିବା ହେଉଛି ପଞ୍ଚକ ବ୍ରତର ଏକ ନିୟମ। ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଭୀଷ୍ମ ପଞ୍ଚଦିନାତ୍ମକ ଏହି ‘ପଞ୍ଚକ ବ୍ରତ’ର ବିଧି ଜାଣିବାକୁ ପାଇଥିଲେ। ତେଣୁ ଏହାର ନାମ ‘ଭୀଷ୍ମପଞ୍ଚକ’।

‘ପଦ୍ମ ପୁରାଣ’ ଅନୁସାରେ, ଭୀଷ୍ମ ଅପୁତ୍ରକ ଥିବାରୁ ତାଙ୍କୁ ତର୍ପଣ ଓ ଅର୍ଘ୍ୟଦାନ କରିବାକୁ କେହି ନଥିଲେ। ସେଥିପାଇଁ ତାଙ୍କର ଭକ୍ତି ଓ ନିଷ୍ଠାରେ ସନ୍ତୁଷ୍ଟ ହୋଇ ଶ୍ରୀକୃଷ୍ଣ ତାଙ୍କୁ ବର ଦେଇଥିଲେ ଯେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ‘ଭୀଷ୍ମପଞ୍ଚକ’ ରୂପେ ଖ୍ୟାତ ହେବ। ତର୍ପଣ ଓ ଅର୍ଘ୍ୟଦାନ ସମୟରେ, ପଞ୍ଚକ ବ୍ରତଧାରୀ ତାଙ୍କର ନାମ ଉଚ୍ଚାରଣ କରି ତର୍ପଣ ଓ ଅର୍ଘ୍ୟଦାନ କରିବେ।

ଯେଉଁମାନେ କାର୍ତ୍ତିକ ମାସ ସାରା ବ୍ରତ ପାଳନ କରିବାରେ ସକ୍ଷମ ନୁହନ୍ତି, ସେମାନେ ଏହି ପାଞ୍ଚଦିନ ବ୍ରତପାଳନ କରିଥାଆନ୍ତି। ଏହା ମଧ୍ୟ ସାରା ମାସର ବ୍ରତ ପାଳନ ପରି ପୁଣ୍ୟ ଫଳ ଦେଇଥାଏ।

ପ୍ରଜ୍ଞାଶ୍ରୀ ରଥ