ଭୀଷ୍ମାଷ୍ଟମୀର ମହତ୍ତ୍ୱ

“ ହେ ନରେନ୍ଦ୍ର! ମନୁଷ୍ୟମାନଙ୍କ ମଧ୍ୟରେ ଆପଣଙ୍କ ସମାନ ଗୁଣଯୁକ୍ତ ପୁରୁଷ ଏ ପୃଥ୍ୱୀରେ ନା ମୁଁ କେଉଁଠି ଦେଖିଛି, ନା ଶୁଣିଛି।” ପରମ ପୁରୁଷ ଶ୍ରୀକୃଷ୍ଣ ଏହି ମଧୁରବାଣୀରେ ଯାହାଙ୍କର ପ୍ରଶଂସା କରିଛନ୍ତି, ସେ ଆଉ କେହି ନୁହନ୍ତି; କୁରୁ ଓ ପାଣ୍ଡବଙ୍କର ପିତାମହ ଭୀଷ୍ମ।

ଭାରତୀୟ ପୁରାଣମାନଙ୍କରେ ବିଭିନ୍ନ ପ୍ରସଙ୍ଗରେ ପିତା ଓ ପୁତ୍ରଙ୍କର ଆଶ୍ଚର୍ଯ୍ୟ ସୁନ୍ଦର ଜୀବନ ଉପରେ ବହୁ ଆଲୋଚନା ଦେଖାଯାଇଥାଏ। କିନ୍ତୁ ଗଙ୍ଗାପୁତ୍ର ଦେବବ୍ରତଙ୍କର, ପିତା ଶାନ୍ତନୁଙ୍କ ପ୍ରତି ଯେଉଁ ଅନୁରାଗ, ପ୍ରେମ ଓ ଭକ୍ତି, ତାହା ଅନନ୍ୟ। କୌଣସି ପୁତ୍ର ଦେବବ୍ରତଙ୍କ ପରି କଠୋର ପ୍ରତିଜ୍ଞା କରି ନିଜପିତାଙ୍କୁ ସୁଖୀ କରିବାପାଇଁ ପ୍ରଚେଷ୍ଟା କରିନାହାନ୍ତି।

ସମସ୍ତେ କାଳର ଅଧୀନ। କିନ୍ତୁ ଭୀଷ୍ମ ଏକମାତ୍ର ମର୍ତ୍ତ୍ୟ ନିବାସୀ ପୁରୁଷ, ଯେ କାଳକୁ ମଧ୍ୟ ନିଜର ଅଧୀନ କରିବାକୁ ସମର୍ଥ ହୋଇଥିଲେ। ପରମ କଷ୍ଟଦାୟକ ଶରଶଯ୍ୟା ଉପରେ ଶୟନ କରି ମଧ୍ୟ, ସେ ମୃତ୍ୟୁକୁ ନିଜ ପାଖକୁ ଆସିବାକୁ ଅନୁମତି ଦେଇ ନଥିଲେ। କାରଣ ସ୍ୱରୂପ ଏତିକି କୁହାଯାଇଛି ଯେ ଯେଉଁ ସମୟରେ ଭୀଷ୍ମ ଶରଶଯ୍ୟାରେ ଶାୟିତ ହେଲେ, ତାହା ଥିଲା ଦକ୍ଷିଣାୟନ କାଳ। ଏହି କାଳକୁ ସର୍ବଦା ଅଶୁଭ ଭାବରେ ଗଣନା କରାଯାଇଥାଏ। ତେଣୁ ଭୀଷ୍ମ ଉତ୍ତରାୟଣକୁ ଅପେକ୍ଷା କରି ରହିଥିଲେ। ଉତ୍ତରାୟଣ କାଳ ଉପସ୍ଥିତ ହେଲା ପରେ, ମାଘ ଶୁକ୍ଳ ଅଷ୍ଟମୀ ତିଥିରେ ସେ ବିଷ୍ଣୁଲୋକ ଗମନ କରିଥିଲେ।

ପ୍ରତିଜ୍ଞାବଦ୍ଧ ଭୀଷ୍ମ ଥିଲେ ଅବିବାହିତ; ବ୍ରହ୍ମଚାରୀ। ତେଣୁ ତାଙ୍କର ସାମ୍ବତ୍ସରିକ ଶ୍ରାଦ୍ଧକର୍ମ ନିମିତ୍ତ ତାଙ୍କର କୌଣସି ସନ୍ତାନ ନଥିଲେ। ଶ୍ରୀକୃଷ୍ଣ କିନ୍ତୁ ଭୀଷ୍ମଙ୍କୁ କଥା ଦେଇଥିଲେ, ସମଗ୍ର ପୃଥିବୀ ତାଙ୍କର ତିରୋଧାନ ଦିବସକୁ ପିତୃଶ୍ରାଦ୍ଧଦିବସ ରୂପରେ ପାଳନ କରିବେ। ଭୀଷ୍ମାଷ୍ଟମୀ ବ୍ରତର ମୂଳତତ୍ତ୍ୱ ସେହି ପ୍ରସଙ୍ଗ ଉପରେ ଆଧାରିତ। ତେଣୁ ଭୀଷ୍ମଙ୍କ ପରି ପୁତ୍ର ଲାଭ କରିବା ଉଦ୍ଦେଶ୍ୟରେ, ଗୃହସ୍ଥମାନେ ଏହିଦିନ ନିଷ୍ଠାର ସହିତ ତର୍ପଣ ଓ ଶ୍ରାଦ୍ଧକର୍ମ କରିଥାନ୍ତି। ଉଦ୍ଦେଶ୍ୟ, ତାଙ୍କର ପୁତ୍ର, ସୁସ୍ଥ, ଜ୍ଞାନୀ, ସୁବିଚାରୀ ତଥା ପିତୃମାତୃ ଭକ୍ତ ହେବେ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର