ପୁରାଣର ବର୍ଣ୍ଣନା ଅନୁସାରେ, ଏକଦା ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, “ଏମିତିରେ ତ ସବୁ ଏକାଦଶୀ ପାପନାଶିନୀ ଓ ପୁଣ୍ୟଦାୟିନୀ, କିନ୍ତୁ ଫାଲଗୁନ କୃଷ୍ଣପକ୍ଷ ଏକାଦଶୀକୁ ‘ବିଜୟା ଏକାଦଶୀ’ କାହିଁକି କହନ୍ତି? ଏହାର ମହତ୍ତ୍ୱ କ’ଣ? ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ତାଙ୍କୁ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଏକ କଥା ଶୁଣାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ହନୁମାନଙ୍କଠାରୁ ସୀତାଙ୍କର ସନ୍ଧାନ ପାଇ ରାମଚନ୍ଦ୍ର ତାଙ୍କୁ ଉଦ୍ଧାର କରିବାପାଇଁ ଲଙ୍କାଯାତ୍ରାର ଆୟୋଜନ କଲେ। କିନ୍ତୁ ସମୁଦ୍ର କୂଳରେ ପହଞ୍ଚି କିପରି ଏ ବିଶାଳ ସମୁଦ୍ର ଲଙ୍ଘନ କରିବେ, ଭାବି ପାରିଲେ ନାହିଁ। ଲକ୍ଷ୍ମଣଙ୍କ ପରାମର୍ଶରେ ନିକଟବର୍ତ୍ତୀ କୁମାରୀ ଦ୍ୱୀପର ଘଞ୍ଚ ଅରଣ୍ୟ ମଧ୍ୟରେ ତପସ୍ୟା କରୁଥିବା ବକଦାଲଭ୍ୟ ମୁନିଙ୍କ ପାଖରେ ସେ ପହଞ୍ଚିଲେ। ଶ୍ରୀରାମଚନ୍ଦ୍ର ସ୍ୱୟଂ ପରଂବ୍ରହ୍ମ, ଏହା ଜାଣି ମଧ୍ୟ ମୁନି ମାନବରୂପୀ ରାମଚନ୍ଦ୍ରଙ୍କୁ ଫାଲଗୁନ କୃଷ୍ଣପକ୍ଷ ଏକାଦଶୀ ବ୍ରତ ପାଳନ କରିବାକୁ ଉପଦେଶ ଦେଲେ। ସେ କହିଲେ, “ନିଷ୍ଠାର ସହିତ ଏହି ବ୍ରତ ପାଳନ କଲେ ଆପଣ ଅକ୍ଳେଶରେ ସମୁଦ୍ର ଲଂଘନ କରିବାକୁ ସମର୍ଥ ହେବେ ଏବଂ ରାବଣ ଉପରେ ବିଜୟ ପ୍ରାପ୍ତ ହୋଇ ସୀତାଙ୍କୁ ଉଦ୍ଧାର କରିବେ।”
ମୁନିଙ୍କ କଥା ମାନି ରାମଚନ୍ଦ୍ର ଏହି ବ୍ରତପାଳନ କଲେ ଏବଂ ସମୁଦ୍ରରେ ବନ୍ଧ ବାନ୍ଧିବା ସହିତ ରାବଣ ଉପରେ ବିଜୟ ଲାଭ କଲେ। ତେଣୁ ଏହାର ନାମ ‘ବିଜୟା ଏକାଦଶୀ’।
ଅନ୍ୟ ଏକାଦଶୀଠାରୁ ଏହି ବ୍ରତର ବିଧି ସାମାନ୍ୟ ଭିନ୍ନ। ବିଧି ଅନୁସାରେ, ଦଶମୀ ଦିନ ଏକ ବେଦୀ ଉପରେ ଜଳଘଟଟିଏ ସ୍ଥାପନ କରିବାକୁ ହୁଏ। ଏହି ଜଳଘଟ ଉପରେ ପଞ୍ଚପଲ୍ଲବ ରଖି ତା’ ଉପରେ ଲକ୍ଷ୍ମୀନାରାୟଣଙ୍କର ମୂର୍ତ୍ତି ସ୍ଥାପନ କରି, ଏକାଦଶୀ ଦିନ ପ୍ରାତଃ ସ୍ନାନ ପରେ ଧୂପ, ଦୀପ, ନୈବେଦ୍ୟ ସହିତ ବିଷ୍ଣୁଙ୍କୁ ଆରାଧନା କରାଯାଏ। ସଂପୂର୍ଣ୍ଣ ଦିନ ଓ ରାତି ଉପବାସ ଓ ଉଜାଗରରେ ରହି, ବିଷ୍ଣୁ ସହସ୍ରନାମ ପାଠ କରିବାକୁ ହୁଏ। ଏହି ଦିନ ଅନ୍ନଭୋଜନ ସଂପୂର୍ଣ୍ଣ ନିଷେଧ। ଦ୍ୱାଦଶୀ ଦିନ ସେହି ଘଟକୁ କୌଣସି ବ୍ରାହ୍ମଣକୁ ଦାନ କରିବା ପରେ ବ୍ରତ ଶେଷ ହୁଏ। ଏହିପରି ବ୍ରତପାଳନ କଲେ ମନୁଷ୍ୟ ତା’ର ସମସ୍ତ ଶତ୍ରୁ- ଅର୍ଥାତ୍ ଶରୀର ମଧ୍ୟସ୍ଥ ଷଡ଼ରିପୁ ଏବଂ ବାହ୍ୟ ଅନିଷ୍ଟକାରୀ ଶତ୍ରୁ- ଉଭୟଙ୍କ ଉପରେ ବିଜୟ ପ୍ରାପ୍ତ ହୋଇଥାଏ।
ଓଡ଼ିଶାରେ ଏହି ଦିନଟିକୁ ଏକ ଭିନ୍ନ ମାହାତ୍ମ୍ୟ ପ୍ରଦାନ କରାଯାଇଛି। ଏଠାରେ ଏହି ଏକାଦଶୀର ନାମ ‘ପଙ୍କୋଦ୍ଧାର ଏକାଦଶୀ’। କଥିତ ଅଛି, ରାମଙ୍କଦ୍ୱାରା ପ୍ରତିଷ୍ଠିତ ଲାଉକେଶ୍ୱର, ଲୋକେଶ୍ୱର ବା ଲୋକନାଥ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ। ଯେଉଁ ଦିନ ରାମଚନ୍ଦ୍ର ଏହି ଲିଙ୍ଗ ପ୍ରତିଷ୍ଠା କରିଥିଲେ, ସେ ଦିନ ଥିଲା ଫାଲ୍ଗୁନ କୃଷ୍ଣ ଏକାଦଶୀ। ଏହି ଲିଙ୍ଗରୁ ଅହରହ ଗଙ୍ଗା ପ୍ରବାହିତ ହେଉଥାନ୍ତି। କିନ୍ତୁ ବର୍ଷ ସାରା ଫୁଲ, କ୍ଷୀର ଓ ବେଲପତ୍ର ଆଦି ତାହାଙ୍କୁ ଘୋଡ଼ାଇ ରଖିଥାଏ। ଏକାଦଶୀ ଦିନ ସେସବୁର ଅପସାରଣ କରାଯାଇ ସାଧାରଣ ଭକ୍ତଙ୍କ ନିମିତ୍ତ ଲିଙ୍ଗ ଓ ଗଙ୍ଗାଙ୍କର ଦର୍ଶନ ଲାଭର ସୁଯୋଗ ସୃଷ୍ଟି ହୁଏ। ତେଣୁ ବହୁ ଭକ୍ତ ଏହି ଏକାଦଶୀକୁ ନିଷ୍ଠାର ସହିତ ପାଳନ କରି ଶିବ ଓ ଗଙ୍ଗାଙ୍କର ଦର୍ଶନ କରିଥାନ୍ତି।
ଡକ୍ଟର ତୁଳସୀ ଓଝା