ମଧୁମେହରେ ପୀଡ଼ିତ ରୋଗୀମାନଙ୍କ ପାଇଁ ଖାଦ୍ୟ କଟକଣା ଅସୁଖକର ହୋଇଥିବା ବେଳେ ଅନେକ ଲୋକ ତାହା ନ ମାନି ନିଜକୁ ଅଧିକ ଅସୁସ୍ଥ କରିପକାଇଥା’ନ୍ତି। ତେବେ ଟାଇପ୍‌-୧ ମଧୁମେହରେ ପୀଡ଼ିତ ରୋଗୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସ୍ବିଜରଲାଣ୍ଡର ଜୁରିକ୍‌ ସ୍ଥିତ ଇଟିଏଚ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ। ସେମାନେ ଜଣେ ପୀଡ଼ିତଙ୍କ ଶରୀରରେ ‘ବାୟୋଟେକ୍‌ ବ୍ୟାଟେରି’ ନାମରେ ଏକ ଶର୍କରା ଜାଳେଣି କୋଷିକା ପ୍ରତିରୋପଣ କରି ରକ୍ତଶର୍କରା ନିୟନ୍ତ୍ରଣ କରିବାରେ ପ୍ରାରମ୍ଭିକ ସଫଳତା ଲାଭ କରିଥିବା ଦାବି କରିଛନ୍ତି। ନଖଠାରୁ ଟିକେ ବଡ଼ ଆକାରର ଏହି କୃତ୍ରିମ ଜୈବ ଯନ୍ତ୍ରଟି ସାହାଯ୍ୟରେ ରକ୍ତରେ ଇନ୍‌ସୁଲିନ ପରିମାଣକୁ ନିୟମିତ କରି ଆଶାତୀତ ଭାବେ ରକ୍ତଶର୍କରା କମାଯାଇପାରିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ଏଥିରେ ଥିବା ତମ୍ବାଭିତ୍ତିକ ଅଣୁକଣିକାଗୁଡ଼ିକ ରକ୍ତରେ ମିଶିଥିବା ଗ୍ଳୁକୋଜ୍‌କୁ ଭାଙ୍ଗି ଗ୍ଳୁକୋନିକ ଅମ୍ଳ ଓ ପ୍ରୋଟିନ୍‌ରେ ପରିଣତ କରିଥା’ନ୍ତି ଏବଂ ଉକ୍ତ ପ୍ରକ୍ରିୟାରୁ ଜୈବବିଦ୍ୟୁତ୍‌ ମଧ୍ୟ ସୃଷ୍ଟି ହୋଇଥାଏ।

Advertisment

ଶୈବାଳରୁ ପ୍ରସ୍ତୁତ ଖୋଳରେ ଆଚ୍ଛାଦିତ ଏହି ଜୈବ କୋଷିକା ଚର୍ମ ତଳେ ପ୍ରତିରୋପିତ ହେଲେ ତାହା ରକ୍ତକୁ ଶୋଷିନେଇ ସେଥିରେ ଅତିରିକ୍ତ ଶର୍କରାକୁ ବିଖଣ୍ଡିତ କରିଦେଇଥାଏ ଏବଂ ନିର୍ଗତ ଜୈବବିଦ୍ୟୁତ୍‌ ଇନ୍‌ସୁଲିନ୍‌କୁ ଉତ୍‌ପ୍ରେରିତ କରିଥାଏ। ଉଲ୍ଲେଖଯୋଗ୍ୟ, ଟାଇପ୍‌-୧ ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀର ଆବଶ୍ୟକ ପରିମାଣର ଇନ୍‌ସୁଲିନ୍‌ ପ୍ରସ୍ତୁତ କରିପାରିନଥାଏ, ସୁତରାଂ ପ୍ରତିକାର ସ୍ବରୂପ ବିଭିନ୍ନ ଉପାୟରେ ବାହାରୁ ତାହା ଯୋଗାଇ ଦିଆଯାଇଥାଏ। ଏହି ବାୟୋଟେକ୍‌ ବ୍ୟାଟେରି ଜୈବିକ ପ୍ରକ୍ରିୟାରେ ଇନ୍‌ସୁଲିନ୍‌ ପ୍ରସ୍ତୁତିରେ ସହାୟକ ହେବା ସହ ରକ୍ତଶର୍କରା କମାଇପାରିବ। ମୂଷାଙ୍କ ଠାରେ ଏହାର ପରୀକ୍ଷାନିରୀକ୍ଷା ସଫଳ ହୋଇଥିବାରୁ ମଣିଷଙ୍କ ପାଇଁ ମଧ୍ୟ ଫଳପ୍ରଦ ହେବ ବୋଲି ଇଟିଏଚ୍‌ ଗବେଷକ ଦଳର ବିଭାଗୀୟ ମୁଖ୍ୟ ମାର୍ଟିନ୍‌ ଫୁସେନେଗର ଆଶାବାଦୀ ଅଛନ୍ତି।