ସକ୍ରେଟିସ୍ କେବଳ ଗ୍ରୀସ୍ର ନୁହନ୍ତି, ସେ ସମଗ୍ର ବିଶ୍ୱର ବିଖ୍ୟାତ ଦାର୍ଶନିକ। ତାଙ୍କର ଦର୍ଶନରେ ଅଛି ରଥର ଗୋଟିଏ ରୂପକ। ‘ଫ୍ରେଡ଼ିଅସ୍’ରେ ପ୍ଲାଟୋ ତାଙ୍କର ଗୁରୁ ସକ୍ରେଟିସ୍ଙ୍କ ବାଣୀର ବ୍ୟାଖ୍ୟା ମାଧ୍ୟମରେ ରଥର ଏହି ରୂପଚିତ୍ର ଦେଇଛନ୍ତି। ସେଥିରେ ଅଛି ମଣିଷର ଆତ୍ମାର ତିନିଟି ସ୍ୱରୂପର କଥା।
ସକ୍ରେଟିସ୍ଙ୍କର ସେହି ରଥ-ଦର୍ଶନ ବା ରଥ-ରୂପକରେ ଅଛି ଦୁଇଟି ଘୋଡ଼ା ଓ ଗୋଟିଏ ସାରଥିଙ୍କ କଥା। ସେହି ରଥକୁ ଟାଣୁଥିବା ଦୁଇ ଘୋଡ଼ାଙ୍କ ମଧ୍ୟରୁ ଗୋଟିକର ରଙ୍ଗ କଳା ଓ ଅନ୍ୟଟିର ରଙ୍ଗ ଧଳା। କଳାଘୋଡ଼ାଟି ନଶ୍ୱରତାର ଓ ଧଳାଘୋଡ଼ାଟି ଶାଶ୍ୱତତାର ପ୍ରତୀକ। କଳାଘୋଡ଼ାଟିର ଆଖି ଧୂସର, ସେ କୁଟିଳ ସ୍ୱଭାବର ଏବଂ ତାର ଗତି ମନ୍ଥର। ସେ ମଧ୍ୟ ଅହଂକାରୀ ଓ ଉଦ୍ଧତ। କାନରେ ଶୁଣି ପାରୁ ନଥିବା ସେହି ଘୋଡ଼ା କୌଣସି ଚାବୁକ୍ ମାଡ଼କୁ ମାନେ ନାହିଁ।
ଧଳାଘୋଡ଼ାଟି କିନ୍ତୁ ସଂପୂର୍ଣ୍ଣ ବିପରୀତ ଓ ଭିନ୍ନ ସ୍ୱଭାବର। ତା’ର ଆଖିର ରଙ୍ଗ ଗାଢ଼ କଳା। ସମ୍ମାନ ଓ ବିନୟ ତାର ଭୂଷଣ। ସେ ଅମାୟିକ ଓ ସତ୍ୟାନୁରାଗୀ। କୌଣସି ଚାବୁକ ତା’ ପାଇଁ ଆବଶ୍ୟକ ପଡ଼େ ନାହିଁ। ଏହି ରଥକୁ ଲକ୍ଷ୍ୟପଥରେ ଅଗ୍ରସର କରିନେବାର ଦାୟିତ୍ୱ ଯାହାଙ୍କର- ସେ ରଥର ସାରଥି। ତାଙ୍କର ଲକ୍ଷ୍ୟ- ସ୍ୱର୍ଗଲୋକ।
ଏହି ରଥ-ଦର୍ଶନରେ ଆଉ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥାଟି କୁହାଯାଇଛି, ତାହା ହେଉଛି- ଦେବତାଙ୍କ ରଥ ମଧ୍ୟ ଜିଉସ୍ଙ୍କ ନେତୃତ୍ୱରେ ଏହି ରଥ ସହ ଯାତ୍ରା କରିଥାଏ। ତାହାର ଦୁଇଟିଯାକ ଘୋଡ଼ାର ରଙ୍ଗ ଧଳା। ତେଣୁ ସେ ରଥର ଯାତ୍ରା ଶୃଙ୍ଖଳିତ ହୋଇଥାଏ। କିନ୍ତୁ ଉଭୟ କଳା ଓ ଧଳା ଘୋଡ଼ା ଯୋଚା ହୋଇଥିବାରୁ ମନୁଷ୍ୟର ଆତ୍ମା-ରଥର ଯାତ୍ରା ବିଶୃଙ୍ଖଳ ହେବାର ଆଶଙ୍କା ଥାଏ। କାରଣ, ରଥର ଧଳାଘୋଡ଼ା ରଥଟିକୁ ସ୍ୱର୍ଗ ଅଭିମୁଖେ ଟାଣିବାବେଳେ, କଳାଘୋଡ଼ା ତାହାକୁ ତଳ ଆଡ଼କୁ ମର୍ତ୍ତ୍ୟ ଦିଗରେ ଟାଣୁଥାଏ। ସାରଥି କିନ୍ତୁ ଦୁଇଟି ଯାକ ଘୋଡ଼ାଙ୍କୁ ନିୟନ୍ତ୍ରିତ କରି ରଥକୁ ସ୍ୱର୍ଗ ଅଭିମୁଖେ ନେଇଯିବା ପାଇଁ ଉଦ୍ୟମ କରି ଚାଲନ୍ତି।
ପ୍ରାଚୀନ ଗ୍ରୀସ୍ର ଏହି ରଥଦର୍ଶନରେ ଦାର୍ଶନିକ ସକ୍ରେଟିସ୍ କଳାଘୋଡ଼ା, ଧଳାଘୋଡ଼ା ଓ ସାରଥିଙ୍କର ପ୍ରତୀକ ମାଧ୍ୟମରେ, ଆତ୍ମାର ତିନିଟି ସ୍ୱରୂପ କଥା କହିଛନ୍ତି। ରଥର ଲକ୍ଷ୍ୟ ପରି ଆମ ସମସ୍ତଙ୍କର ଲକ୍ଷ୍ୟ ଯେ ସ୍ୱର୍ଗ ବା ଦିବ୍ୟତା, ତାହା ଏହି ପ୍ରତୀକ ମାଧ୍ୟମରେ କୁହାଯାଇଛି। ଆମ ଜୀବନରଥକୁ ଆମେ କିପରି ଚଳାଇବା, ତାହାର ପ୍ରେରଣା ମଧ୍ୟ ଏଥିରେ ରହିଛି।