ହାଇପର୍‌ଟେନ୍‌ସନ୍ ବା ଉଚ୍ଚ ରକ୍ତଚାପ ହେଉଛି ଏଭଳି ଏକ ଶାରୀରିକ ଅବସ୍ଥା ଯେଉଁଥିରେ ରକ୍ତ ସଂଚାଳନ କରୁଥିବା ଧମନୀଗୁଡ଼ିକର ପାର୍ଶ୍ବଭାଗରେ ରକ୍ତ ଅଧିକ ବଳ ପକାଇଥାଏ। ଏହି ଅବସ୍ଥା ହୃଦ୍‌ଘାତ ଓ ମସ୍ତିଷ୍କଘାତ ପରି ସ୍ବାସ୍ଥ୍ୟ ସଂକଟ ଆଣିଥାଏ। ଗର୍ଭାବସ୍ଥା ବେଳେ ମହିଳାମାନଙ୍କ ଠାରେ ହାଇପର୍‌ଟେନ୍‌ସନ୍ ଦେଖାଦେବାର ଆଶଙ୍କା ଅଧିକ ଥାଏ, ଯାହାକୁ ପ୍ରିକ୍ଲାମ୍ପ୍‌ସିଆ ବା ଜେଷ୍ଟେସନାଲ ହାଇପର୍‌ଟେନ୍‌ସନ୍ କୁହାଯାଏ। ଏହାର ସୁପରିଚାଳନା ନକଲେ ତାହା ଉଭୟ ଗର୍ଭବତୀ ଓ ଗର୍ଭସ୍ଥ ଭ୍ରୂଣ ପ୍ରତି ବିପଦ ସୃଷ୍ଟି କରିପାରେ। ପ୍ରିକ୍ଲାମ୍ପ୍‌ସିଆ ଦେଖାଦେଲେ କିପରି ଏକ ନିରାପଦ ତଥା ସୁସ୍ଥ ଗର୍ଭଧାରଣ ସହ କୌଣସି ପ୍ରକାର ସ୍ବାସ୍ଥ୍ୟ ଜଟିଳତାକୁ ଦୂର କରିହେବ, ସେ ସମ୍ପର୍କିତ କିଛି ସହଜ ଉପାୟ ବାବଦରେ ଆଲୋଚନା କରିବା।

Advertisment

 ପ୍ରଥମତଃ ଗର୍ଭାବସ୍ଥାର ନିୟମିତ ଡାକ୍ତରୀ ନିରୀକ୍ଷଣ କରାଇବା ଜରୁରି। ଏହାଦ୍ବାରା ସମ୍ଭାବ୍ୟ ଉଚ୍ଚ ରକ୍ତଚାପ ବାବଦରେ ସୂଚନା ମିଳିପାରିବ ଏବଂ ତଦନୁଯାୟୀ ପ୍ରତିକାର ମଧ୍ୟ କରାଯାଇପାରିବ।
 ଘରେ ଥାଇ ମଧ୍ୟ ନିୟମିତ ରକ୍ତଚାପ ମାପିବା ଏକ ଭଲ ଅଭ୍ୟାସ। ଏହାଦ୍ବାରା ଆଗୁଆ କୌଣସି ପ୍ରକାର ଅହେତୁକ ରକ୍ତଚାପ ବୃଦ୍ଧିକୁ ଠଉରାଇହେବ ଏବଂ ସମ୍ଭାବ୍ୟ ଜଟିଳତାକୁ ଦୂର କରିହେବ।
 ଗର୍ଭବତୀମାନେ ବିଭିନ୍ନ ଫଳମୂଳ, ପନିପରିବା ଓ ସଂପୂର୍ଣ୍ଣ ଦାନାଯୁକ୍ତ ଶସ୍ୟ ସମ୍ବଳିତ ସୁଷମ ଖାଦ୍ୟ ଖାଇବା ଦରକାର। ଏହା ସମଗ୍ର ସ୍ବାସ୍ଥ୍ୟରେ ଉନ୍ନତି ଆଣି ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।
 ଗର୍ଭବତୀମାନେ କମ୍ ପରିମାଣର ଲୁଣ ଖାଇବା ଉଚିତ। କାରଣ ଲୁଣରେ ଥିବା ସୋଡିଅମ୍ ଖଣିଜର ସ୍ବଳ୍ପତା ରକ୍ତଚାପ କମାଇବା ସହ ହୃତ୍‌ପିଣ୍ଡ ସ୍ବାସ୍ଥ୍ୟକୁ ଉନ୍ନତ କରିପାରିବ।
 ପ୍ରଚୁର ପରିମାଣର ପାଣି ପିଇବା ଦ୍ବାରା ରକ୍ତ ପ୍ରବାହ ସୁଗମ ହୋଇଥାଏ।
 ଗର୍ଭବତୀମାନେ ନିୟମିତ ମୃଦୁ ବ୍ୟାୟାମ କରିବା ଆବଶ୍ୟକ। ଏହା ରକ୍ତ ସଂଚାଳନକୁ ଉନ୍ନତ କରିଥାଏ ଏବଂ ରକ୍ତଚାପକୁ ନିୟମିତ କରିବା ସହ ମାନସିକ ଚାପ କମାଇଥାଏ। ସେହିପରି ଗଭୀର ଶ୍ବାସକ୍ରିୟା ଓ ଦୈନିକ ଯୋଗାଭ୍ୟାସ ସହ ଯଥେଷ୍ଟ ପରିମାଣର ବିଶ୍ରାମ ଓ ନିଦ୍ରା ମଧ୍ୟ ଯିବା ଦରକାର।
 ସର୍ବୋପରି ଧୂମପାନ ଓ ମଦ୍ୟପାନରୁ ନିବୃତ୍ତ ରହିବା ସହ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ନିର୍ଦ୍ଧାରିତ ଔଷଧ ସେବନ କରିବା ବାଞ୍ଛନୀୟ।