କୌଣସି ବ୍ୟକ୍ତିଙ୍କ ମୋଟାପଣ ବା ମେଦବହୁଳତା (ଓବେସିଟି) ନିର୍ଣ୍ଣୟ କରିବା ପାଇଁ ତାଙ୍କ ଶରୀରର ଓଜନ ଓ ଉଚ୍ଚତା ମଧ୍ୟରେ ଥିବା ଅନୁପାତକୁ ବିଚାରକୁ ନିଆଯାଇଥାଏ। ଏହାକୁ ‘ବଡି ମାସ୍‌ ଇଣ୍ଡେକ୍ସ’ (ବିଏମ୍‌ଆଇ) କୁହାଯାଏ। ତେବେ ନିକଟରେ ଦଳେ ବିଶ୍ବସ୍ତରୀୟ ବିଶେଷଜ୍ଞ ବିଏମ୍‌ଆଇକୁ ବିବାଦୀୟ ବୋଲି ଅଭିହିତ କରିଛନ୍ତି। ସେମାନଙ୍କ କହିବା କଥା, ଅତ୍ୟଧିକ ଚର୍ବି ଜନିତ ମୋଟାପଣ ବା ପୃଥୁଳକାୟତାର ଚିକିତ୍ସାରେ କେବଳ ବିଏମ୍‌ଆଇ ଜାଣିବା ଯଥେଷ୍ଟ ନୁହେଁ। କାରଣ ବେଳେବେଳେ ଏହା ମାତ୍ରାଧିକ ମେଦବହୁଳତାକୁ ସୂଚାଉଥାଏ ତ ପୁଣି କେତେବେଳେ ମଧ୍ୟ ଏହା ମେଦବହୁଳତାକୁ ଅଣଦେଖା କରିଥାଏ। ଉଦାହରଣ ସ୍ବରୂପ, ବିଏମ୍‌ଆଇ ସୂଚକାଙ୍କର ସ୍ବାଭାବିକ ପରିମାଣ ୩୦ କିମ୍ବା ତା’ ଠାରୁ କମ୍‌ ରହିବା ବାଞ୍ଛନୀୟ। ତେବେ ବେଳେବେଳେ ମାତ୍ରାଧିକ ଚର୍ବି ଥିବା ବ୍ୟକ୍ତିଙ୍କର ବିଏମ୍‌ଆଇ ୩୦ ଟପୁନଥିବା ବେଳେ ଶକ୍ତ ମାଂସପେଶୀ ଥିବା କ୍ରୀଡ଼ାବିତ୍‌ଙ୍କ କ୍ଷେତ୍ରରେ ସ୍ବାଭାବିକ ଚର୍ବି ସତ୍ତ୍ବେ ବିଏମ୍‌ଆଇ ପରିମାଣ ୩୦ ଉପରେ ଦର୍ଶାଇଥାଏ। 

Advertisment

ଅପରପକ୍ଷେ, ବିଶେଷଜ୍ଞମାନେ ଶରୀରର ମୋଟାପଣ ମାପିବା ପାଇଁ ଅନ୍ୟ ଏକ ନୂତନ ପଦ୍ଧତି ଅନ୍ବେଷଣ କରିଛନ୍ତି। ଏଥିରେ ଶରୀରର ଉଚ୍ଚତା ଓ ଓଜନ ସମେତ ଅଣ୍ଟାର ଗୋଲେଇ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବାବଦରେ ତର୍ଜମା କରିବାକୁ ହୋଇଥାଏ। ସୂଚନାଯୋଗ୍ୟ, ସମ୍ପ୍ରତି ସମଗ୍ର ବିଶ୍ବରେ ପ୍ରାୟ ୧୦୦ କୋଟି ଲୋକ ମେଦବହୁଳ​ତାର ଶିକାର ହୋଇଥିବା ଆକଳନ କରାଯାଇଛି। ବିଶେଷ କରି ଆମେରିକାର ପ୍ରାୟ ୪୦ ପ୍ରତିଶତ ନାଗରିକ ମେଦବହୁଳ​ ଶରୀର ଧାରଣ କରିଥିବା ଜଣାଯାଇଛି। ଶରୀରର ମେଦବହୁଳତା ହିଁ ହୃଦ୍‌ସମସ୍ୟା ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସଂକଟକୁ ଆମନ୍ତ୍ରଣ କରିଥାଏ। ତେଣୁ ଏହାର ଚିକିତ୍ସା ପାଇଁ ଅନେକ ଆଗଭର ଅଛନ୍ତି। ତେବେ ସେମାନଙ୍କ ଶରୀରର ଅନାବଶ୍ୟକ ମେଦବହୁଳ ସ୍ଥିତି ନିର୍ଣ୍ଣୟ କରିବା ପାଇଁ ଏକ ତ୍ରୁଟିହୀନ ପଦ୍ଧତିର ଆବଶ୍ୟକତା ରହିଛି, ଯାହା କେବଳ ବିଏମ୍‌ଆଇ ମାପିଦେଲେ ଯଥେଷ୍ଟ ହେବନାହିଁ ବୋଲି ଵାସିଂଟନ୍‌ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ମତ ରଖିଛନ୍ତି। ସେମାନଙ୍କ ପଦ୍ଧତିରେ ଦୁଇପ୍ରକାରର ଶାରୀରିକ ସ୍ଥିତି ନିର୍ଣ୍ଣୟ କରିବାକୁ ହେବ।

ଗୋଟିଏ ହେଲା, କ୍ଲିନିକାଲ୍‌ ଓବେସିଟି ଏବଂ ଅନ୍ୟଟି ହେଉଛି ପ୍ରି-କ୍ଲିନିକାଲ୍‌ ଓବେସିଟି। କ୍ଲିନିକାଲ୍‌ ଓବେସିଟି ଦ୍ବାରା ଶରୀରର ବିଏମ୍‌ଆଇ ସମେତ ମେଦବହୁଳତାର ଅନ୍ୟାନ୍ୟ ସଂକେତ ଜାଣିହୋଇଥାଏ। ଏଥିସହିତ ପୃଥୁଳକାୟତା ସହ ଜଡ଼ିତ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଯକୃତ କି ବୃକ୍‌କ ଜନିତ ରୋଗ ଏବଂ ଦୀର୍ଘଦିନର ଆଣ୍ଠୁଗଣ୍ଠି କି ଅଣ୍ଟା ଯନ୍ତ୍ରଣା ଆଦିର ତର୍ଜମା କରାଯାଇଥାଏ। ଏଭଳି ରୋଗୀଙ୍କର ଚିକିତ୍ସା ଜରୁରି। ଅପରପକ୍ଷେ, ପ୍ରି-କ୍ଲିନିକାଲ୍‌ ଓବେସିଟିରେ ଉପରୋକ୍ତ ସମସ୍ୟାଗୁଡ଼ିକର ଆଶଙ୍କା ଥିବା ଜଣାପଡ଼ିଥାଏ, ମାତ୍ର ରୋଗୀ କୌଣସିଥିରେ ପୀଡ଼ିତ ନଥାଏ। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଏହାର ଚିକିତ୍ସା କରାଯିବା ସମ୍ଭବ।