ଝାଳ ଗନ୍ଧାଇବାର ପ୍ରକୃତ କାରଣ ଏଇ ୫ଟି ଖାଦ୍ୟ

ମିଣ୍ଟ୍‌, ମାଉଥ୍‌ଓ୍ଵାସ୍‌ ବା ଦାନ୍ତଘଷି ପକାଇଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଚାଲିଯାଏ। କିନ୍ତୁ, ଝାଳ ବୋହି ସମଗ୍ର ଦେହ ଗନ୍ଧାଇଲେ କ’ଣ କରାଯିବ? ତାହାର ନିରାକରଣ ପାଇଁ ବିଜ୍ଞାନ କିଛି ସୁବିଧା କରି ନାହିଁ। ଝାଳ ଦୁର୍ଗନ୍ଧ ହେବାର କାରଣ ହେଉଛି କେତେକ ଖାଦ୍ୟ। ସେସବୁ ହେଉଛି ମଦ, ରସୁଣ, ପିଆଜ, ଅଣ୍ଡା ଏବଂ କୋବିବର୍ଗର ପନିପରିବା। ଏସବୁ ଖାଦ୍ୟରୁ ବେଶୀ ପରିମାଣର ଖାଇଲେ ସେଥିରେ ଥିବା ଦୁର୍ଗନ୍ଧକାରକ ଉପାଦାନ ସ୍ୱେଦଗ୍ରନ୍ଥି ଦ୍ୱାରା ଶରୀରର ଉପରିଭାଗକୁ ବାହାରି ଆସିଥାଏ।

ମଦ: ଶରୀର ମଧ୍ୟରେ ପ୍ରବେଶ କରିବା ପରେ ମଦ ଏସିଟିକ୍‌ ଏସିଡ୍‌ରେ ପରିଣତ ହୋଇଥାଏ। ଏହି ଏସିଡ୍‌ ପରେ ଝାଳରେ ମିଶି ବାହାରି ଥାଏ। ଚର୍ମରେ ଥିବା ବ୍ୟାକ୍ଟେରିଆ ଏହି ଏସିଟିକ୍‌ ଏସିଡ୍‌କୁ ଆହୁରି ଦୁର୍ଗନ୍ଧକାରକ କରି ପକାନ୍ତି।

କୋବିଜାତୀୟ ପରିବା: ବ୍ରୋକୋଲି, ଫୁଲକୋବି ଏବଂ କୋବି ବର୍ଗର ସବୁ ପ୍ରକାର ପରିବା, ଅଣ୍ଡା ଓ ଦୁଗ୍ଧ ଆଦି ମଧ୍ୟ ଝାଳ ଦୁର୍ଗନ୍ଧ ହେବାର କାରଣ। ଏହି ଜାତୀୟ ଖାଦ୍ୟରେ ପଚାଅଣ୍ଡା ଗନ୍ଧାଇବା ଭଳି ଉପାଦାନ ଥାଏ। ତାହାକୁ ସଲଫର୍‌ କହନ୍ତି। ଏ ସବୁ ଖାଇବା ଦ୍ୱାରା ଚର୍ମରେ ଥିବା ବ୍ୟାକ୍ଟେରିଆମାନେ ଅଧିକ ସଲ୍‌ଫର୍‌ ପାଇ ତାହାକୁ ବହୁଗୁଣ କରି ପକାନ୍ତି।

ରସୁୂଣ ଓ ପିଆଜ: ରସୁଣ ଓ ପିଆଜରେ ପବନ ସଂସ୍ପର୍ଶରେ ଆସି ଉଡ଼ି ଯାଉଥିବା ଜୈବ ଉପାଦାନ ବହଳିଆ ହୋଇ ରହିଥାଏ। କୋବି ପରି ଏଥିରେ ମଧ୍ୟ ସଲ୍‌ଫର୍‌ ଥାଏ। ଏହା ବି ଝାଳରେ ପଦାକୁ ବାହାରି ଦୁର୍ଗନ୍ଧର କାରଣ ହୋଇଥାଏ।

ମାଛ: ପାଣି ବାହାରି ଆସିଲେ ମାଛ ଆପଣା ଛାଏଁ ଦୁର୍ଗନ୍ଧ ସୃଷ୍ଟି କରେ। ମାଛ ଖାଇଲେ କେତେକ ଲୋକଙ୍କ ଦେହ ମଧ୍ୟ ସେ ଭଳି ଗନ୍ଧାଏ। ସେ ଭଳି ଲୋକଙ୍କ ଗୁଣସୂତ୍ରଗତ ଅସୁବିଧା ଥିବାରୁ ଏମିତି ହୋଇଥାଏ। ଏହାକୁ ଟ୍ରାଇମିଥାଇଲେମିନ୍ୟୁରିଆ କୁହାଯାଏ। ତେଣୁ ସେମାନଙ୍‌କ ଶରୀର ମାଛରେ ଥିବା ଦୁର୍ଗନ୍ଧକାରକ ଉପାଦାନକୁ ନଷ୍ଟ କରି ପାରେ ନାହିଁ।

ମାଂସ: ମାଂସରେ ମଧ୍ୟ ସଲଫର୍‌ ଥାଏ। ତେଣୁ ମାଂସ ଖାଇଲେ ଝାଳ ପ୍ରଭାବିତ ହୁଏ। ମାଂସରେ ଥିବା ଫ୍ୟାଟି ଏସିଡ୍‌ ଝାଳକୁ ନିର୍ଗତ ହୋଇ ଦୁର୍ଗନ୍ଧ ସୃଷ୍ଟି କରିଥାଏ।

ସମ୍ବନ୍ଧିତ ଖବର