ଏକ ପ୍ରାଥମିକ ବ୍ରେନ୍ ଟ୍ୟୁମର ହେଉଛି ମସ୍ତିଷ୍କରେ ଏକ ଅସ୍ବାଭାବିକ ବିକାଶ ଓ ଏହା ସାଧାରଣତଃ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପି ନଥାଏ। ପ୍ରାଥମିକ ବ୍ରେନ୍ ଟ୍ୟୁମର ବିନାଇନ୍ କିମ୍ବା ମାଲିଗ୍ନାଣ୍ଟ ହୋଇପାରେ। ଏକ ବିନାଇନ୍ ବ୍ରେନ୍ ଟ୍ୟୁମର ଧୀରେଧୀରେ ବିକଶିତ ହୁଏ, ଏହାର ଚାରିପାର୍ଶ୍ୱ ଅଲଗା ଭାବେ ଜଣାଯାଏ ଏବଂ ଖୁବ୍ ଅସ୍ବାଭାବିକ କ୍ଷେତ୍ରରେ ଏହା ବ୍ୟାପିଥାଏ। ଅବଶ୍ୟ ଏହାର କୋଷିକାଗୁଡ଼ିକ ମାଲିଗ୍ନାଣ୍ଟ ହୋଇନଥାନ୍ତି କିନ୍ତୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଯଦି ବିନାଇନ୍ ଟ୍ୟୁମର ରହେ ତେବେ ଏହା ଘାତକ ହୋଇପାରେ। ମାଲିଗ୍ନାଣ୍ଟ ବ୍ରେନ୍ ଟ୍ୟୁମରର ବିକାଶ ଦ୍ରୁତ ହୁଏ ଓ ଏହାର ସୀମା ରେଖା କିଛି ନଥାଏ ଓ ଏହା ମସ୍ତିଷ୍କର ଅନ୍ୟ ଅଂଶକୁ ବ୍ୟାପିଥାଏ। ଅଧିକାଂଶ ସମୟରେ ମସ୍ତିଷ୍କରେ ଦେଖାଦେଉଥିବା ଏହି ଟ୍ୟୁମର ପଛରେ କିଛି କାରଣ ନଥିଲେ ସୁଦ୍ଧା ନିମ୍ନଲିଖିତ କାରକଗୁଡ଼ିକ ଜଣେ ବ୍ୟକ୍ତିର ମସ୍ତିଷ୍କରେ ଟ୍ୟୁମର ସୃଷ୍ଟି କରିପାରେ।
ବୟସ : ମସ୍ତିଷ୍କ ଟ୍ୟୁମର ପିଲା ଓ ବୟସ୍କ ବ୍ୟକ୍ତିଙ୍କଠାରେ ସାଧାରଣତଃ ଦେଖାଯାଏ। ଅବଶ୍ୟ ଯେକୌଣସି ବୟସରେ ଏହା ହୋଇଥାଏ। ୩ ରୁ ୧୨ ବର୍ଷ ବୟସର ଏବଂ ୪୦ ରୁ ୭୦ ବର୍ଷ ବୟସର ଲୋକମାନଙ୍କ ଠାରେ ଏହା ବିଶେଷତଃ ଦେଖାଯାଏ।
ଲିଙ୍ଗ : ସାଧାରଣତଃ ମହିଳାମାନଙ୍କ ତୁଳନାରେ ପୁରୁଷଙ୍କ ଠାରେ ବ୍ରେନ୍ ଟ୍ୟୁମର ଅଧିକ ଦେଖାଦିଏ। ଅନ୍ୟପକ୍ଷରେ, କିଛି ନିର୍ଦ୍ଦିଷ୍ଟ ପ୍ରକାରର ବ୍ରେନ୍ ଟ୍ୟୁମର ଯେପରିକି ମେନିନ୍ଜିଓମା ମହିଳାଙ୍କଠାରେ ଖୁବ୍ ସାଧାରଣ। ଗୃହ ଏବଂ କାର୍ଯ୍ୟ ପରିସରରେ ସଲଭେଣ୍ଟ, କୀଟନାଶକ, ତୈଳ ଉତ୍ପାଦ, ରବର କିମ୍ବା ଭିନାଇଲ୍ କ୍ଲୋରାଇଡ୍ ସଂସ୍ପର୍ଶରେ ଆସିବା ଦ୍ବାରା ବ୍ରେନ୍ ଟ୍ୟୁମର ବିକଶିତ ହେବାର ଅଧିକ ସମ୍ଭାବନା ଥାଏ।
ପାରିବାରିକ ଇତିହାସ : ପ୍ରାୟ ପାଞ୍ଚ ପ୍ରତିଶତ ବ୍ରେନ୍ ଟ୍ୟୁମର ବଂଶଗତ ଇତିହାସରୁ ଆସିଥାଏ। ଏଥିସହିତ ଲି-ଫ୍ରାଉମେନି ସିଣ୍ଡ୍ରୋମ୍, ନ୍ୟୁରୋ ଫିବ୍ରୋ ମାଟୋସିସ୍, ନେଭୋଏଡ୍ ବାସାଲ ସେଲ୍ କାର୍ସିନୋମା ସିଣ୍ଡ୍ରୋମ୍, ଟ୍ୟୁବରିଅସ୍ କ୍ଲେରେଓସିସ୍ ପ୍ରଭୃତି ଏହାର କାରଣ ହୋଇପାରେ। ସଂକ୍ରମଣ, ଭୂତାଣୁ ଓ ଆଲାରଜେନ୍ ସଂସ୍ପର୍ଶରେ ଆସିବା ଦ୍ବାରା ଏପଷ୍ଟେନ-ବାର୍ ଭାଇରସ୍ (ଇବିଭି) ସିଏନଏସ ଲିମ୍ଫୋମାର ଆପଦ ବୃଦ୍ଧି କରିଥାଏ । ଏହି ଇବିଭି ମନୋକ୍ୟୁଲୋସିସ୍ କିମ୍ବା ମୋନୋ କାରକ ଭୂତାଣୁ ରୂପେ ଜଣାଯାଏ।
ଆୟୋନାଇଜିଂ ବିକିରଣ : ପୂର୍ବରୁ ଯଦି ମସ୍ତିଷ୍କରେ ଏହିପରି ଚିକିତ୍ସା କରାଯାଇଥାଏ ତେବେ ତାହା ବ୍ରେନ୍ ଟ୍ୟୁମର ଆପଦ କାରକ ହୋଇପାରେ। ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ ରହିଛି ମୁଣ୍ଡ ବିନ୍ଧା, ମୂର୍ଚ୍ଛା, ଅବସନ୍ନତା, ଚାଲବୁଲା କରିବାରେ ଅସୁବିଧା, ବାକ୍ ସମସ୍ୟା, ଦୃଷ୍ଟି ସମସ୍ୟା, ଶରୀରର ଗୋଟିଏ ପାର୍ଶ୍ୱରେ ଦୁର୍ବଳତା, ନିଦ୍ରାଭାବ, ବାନ୍ତି ଓ ଆଉ କିଛି ସମସ୍ୟା ଦେଖାଦେଇଥାଏ।
ରୋଗ ନିରୂପଣ : ରୋଗର ଇତିହାସ ଏବଂ ସମ୍ପୂର୍ଣ୍ଣ ଶାରୀରିକ ପରୀକ୍ଷା ଦ୍ବାରା ନିରୂପଣ କରାଯାଏ । ଏକ ନ୍ୟୁରୋଲୋଜିକାଲ ପରୀକ୍ଷା ଦ୍ବାରା ମାନସିକ ସ୍ଥିତି ଏବଂ ସ୍ମରଣ ଶକ୍ତି, କ୍ରାନିଆଲ ନର୍ଭ କାର୍ଯ୍ୟକାରିତା, ମାଂସପେଶୀର ଦୃଢ଼ତା, ସମନ୍ୱୟତା ଇତ୍ୟାଦିକୁ ପରୀକ୍ଷା କରି ଜଣାଯାଏ। ଏଥିପାଇଁ ସିଟି ସ୍କାନ, ଏମଆରଆଇ, ଲୁମ୍ବାର ପଙ୍କଚର, ଭିଜୁଆଲ ଓ ହିଅରିଂ ଆସେସ୍ମେଣ୍ଟ ପରୀକ୍ଷା କରାଯାଏ। ଯଦି ସ୍କାନ ଜରିଆରେ ରୋଗ ନିରୂପଣ ନହୋଇପାରେ ତେବେ ବାୟୋପ୍ସି କରିବାକୁ ପଡ଼ିଥାଏ। ବୟୋପ୍ସି ହେଉଛି ଏପରି ଏକ ପଦ୍ଧତି ଯେଉଁଥିରେ ଏକ କ୍ଷୁଦ୍ର ଟ୍ୟୁମର କୋଷିକାକୁ ନିଆଯାଇ ମାଇକ୍ରୋସ୍କୋପ୍ରେ ପରୀକ୍ଷା ହୋଇଥାଏ। ଏଥିପାଇଁ ଏକ ସର୍ଜିକାଲ ପଦ୍ଧତି ଦ୍ବାରା ଟ୍ୟୁମରକୁ ଅପସାରଣ କରାଯାଏ କିମ୍ବା ଏକ ପୃଥକ୍ ଡାଏଗ୍ନୋଷ୍ଟିକ ପଦ୍ଧତି ଯାହାକୁ ନିଡ଼ିଲ୍ ବାୟୋପ୍ସି କରାଯାଇଥାଏ। ଏବେ ଅତ୍ୟାଧୁନିକ ରେଡ଼ିଓଥେରାପି ଟେକ୍ନୋଲୋଜି ଦ୍ବାରା ବିନା ପାର୍ଶ୍ବ ପ୍ରତିକ୍ରିୟାରେ ଚିକିତ୍ସା କରାଯାଇପାରୁଛି । ଛୋଟ ଛୋଟ ଟ୍ୟୁମରକୁ ଷ୍ଟେରିଓଟାକ୍ସିକ ରେଡ଼ିଓ ସର୍ଜରୀ ଭଳି ଅତ୍ୟାଧୁନିକ ଚିକିତ୍ସା ଦ୍ୱାରା ଏକ ସପ୍ତାହ ମଧ୍ୟରେ ଉତ୍ତମ ପରିଣାମ ମିଳିଥାଏ।
ପରିଚାଳନା: ରୋଗର ପ୍ରକାର, ଆକାର ଓ ସ୍ଥାନ ଅନୁଯାୟୀ ଚିକିତ୍ସା ବିକଳ୍ପ ପ୍ରଦାନ କରାଯାଇଥାଏ ଓ ଏଥିପାଇଁ ମଧ୍ୟ ରୋଗୀର ବୟସ ଓ ତାର ସାଧାରଣ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଏ ।
ଚିକିତ୍ସାର ଲକ୍ଷ୍ୟ ହେଉଛି ଉପଚାରାତ୍ମକ କିମ୍ବା ସମ୍ପୃକ୍ତ ଲକ୍ଷଣକୁ ଉପଶମ କରିବା (ପାଲିଏଟିଭ୍ କେୟାର), ଅସ୍ତ୍ରୋପଚାର (ପ୍ରାଇମେରୀ ମୋଡ଼ାଲିଟି), ବିକିରଣ ଥେରାପି (ଆଡ଼ଜୁଭାଣ୍ଟ କିମ୍ବା ଡିଫିନିଟିଭ୍) ଓ କେମୋଥେରାପି।
ରୋଗକୁ ପ୍ରାଥମିକ ସ୍ତରରେ ନିରୂପଣ କରାଯାଇ ଉପଯୁକ୍ତ ଚିକିତ୍ସା ଗ୍ରହଣ କରାଗଲେ ରୋଗୀ ନିଜକୁ ସୁସ୍ଥ ରଖିପାରିବ।
ରେଡ଼ିଏସନ୍, ଅଙ୍କୋଲୋଜି ବିଭାଗ ମୁଖ୍ୟ,
ଆପୋଲୋ ହସ୍ପିଟାଲ, ଭୁବନେଶ୍ବର
ମୋ : ୯୦୧୯୯୬୦୦୦୭