ଭୁବନେଶ୍ବର: ମସ୍ତିଷ୍କକୁ ଆମ ଶରୀରର କଣ୍ଟ୍ରୋଲ ରୁମ୍ ବୋଲି କୁହାଯାଏ। ଏହା ଅନବରତ କାମ କରିବା ସହିତ ଶରୀରର ସମସ୍ତ ଅଙ୍ଗକୁ ନିୟନ୍ତ୍ରଣ କରିଥାଏ। ମାତ୍ର, ଯେତେବେଳେ ମସ୍ତିଷ୍କକୁ ନିଜ କାମ କରିବା ପାଇଁ ମସ୍ତିଷ୍କ ଭିତରେ ଥିବା ଧମନୀରେ ଆବଶ୍ୟକ ହେଉଥିବା ରକ୍ତ ଓ ଅମ୍ଳଜାନ ମିଳେ ନାହିଁ ତାହାକୁ ବ୍ରେନଷ୍ଟ୍ରୋକ୍ କୁହାଯାଏ। ମସ୍ତିଷ୍କ ଭିତରେ ରକ୍ତ ପ୍ରଭାବ ଠିକ୍ ଭାବରେ ନ ହେଲେ ମିନିଟ୍କୁ ୨ ଲକ୍ଷରୁ ଅଧିକ ସେଲ୍ ମସ୍ତିଷ୍କ ଭିତରେ ମରିବାକୁ ଲାଗେ। ଫଳରେ ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ଥାଏ। ଚିକିତ୍ସା ବିଜ୍ଞାନରେ ବ୍ରେନଷ୍ଟ୍ରୋକ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଇସ୍କେମିକ୍ ଷ୍ଟ୍ରୋକ୍ ଆଉ ଅନ୍ୟ ଟି ହେଲା ହେମୋରେଜିକ୍ ଷ୍ଟ୍ରୋକ୍। ବ୍ରେନ୍କୁ ରକ୍ତ ପ୍ରଭାବ ବନ୍ଦ ହୋଇଗଲେ ତାହାକୁ ଇସ୍କେମିକ୍ ଷ୍ଟ୍ରୋକ୍ କୁହାଯାଏ ଏବଂ ବ୍ରେନ ଭିତରେ ଥିବା ଧମନୀଗୁଡ଼ିକ ଫାଟି ଯାଇ ରକ୍ତ ଜମିବା ଫଳରେ ହେଉଥିବା ଷ୍ଟ୍ରୋକ୍କୁ ହେମୋରେଜିକ ଷ୍ଟ୍ରୋକ୍ କୁହାଯାଏ।
କେଉଁମାନଙ୍କୁ ହେବାର ସମ୍ଭାବନା ଅଧିକ
ଆଜିକାଲିର ସହରୀ ଜୀବନଶୈଳୀରେ ଅମ ଭିତରୁ କାହାକୁ ବି କେତେବେଳେ ବି ବ୍ରେନଷ୍ଟ୍ରୋକ୍ ହୋଇପାରେ। ତେବେ ଯେଉଁ ମାନଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ରକ୍ତରେ କୋଲେଷ୍ଟ୍ରୋରଲ ସମସ୍ୟା ଅଛି ଏବଂ ଏହାକୁ ନିୟନ୍ତ୍ରଣରେ ରହିବା ପାଇଁ ନିୟମିତ ଔଷଧ ଖାଆନ୍ତି ନାହିଁ ସେମାନଙ୍କୁ ବ୍ରେନଷ୍ଟ୍ରୋକ୍ ହେବାର ସମ୍ଭାବନା ଅଧିକ ଥାଏ। ଏହା ବୟସ୍କ ବ୍ୟକ୍ତି, ଅତ୍ୟଧିକ ମୋଟା ବ୍ୟକ୍ତି, ନିୟମିତ ଧୂମପାନ କିମ୍ବା ମଦ୍ୟପାନ କରିଲେ, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇଲେ ଏବଂ ଆଦୌ ଶାରୀରିକ ପରିଶ୍ରମ ନ କଲେ ବ୍ରେନଷ୍ଟ୍ରୋକ୍ ହେବାର ସମ୍ଭାବନା ଅଧିକ ରହିଛି। ଏହାଛଡ଼ା ପରିବାରରେ କାହାକୁ ଏହି ସମସ୍ୟା ଥିଲେ, ଜନ୍ମଗତ ତ୍ରୁଟି, ବ୍ରେନ୍ ଭିତରେ ଥିବା ସ୍ନାୟୁଗୁଡ଼ିକରେ କୌଣସି ଅସୁବିଧା ଥିଲେ, ବ୍ରେନ୍ ଭିତରେ କୌଣସି ସଂକ୍ରମଣ ଥିଲେ ମଧ୍ୟ ବ୍ରେନଷ୍ଟ୍ରୋକ୍ ହୋଇପାରେ।
ଲକ୍ଷଣ
ବ୍ରେନଷ୍ଟ୍ରୋକ୍ର ଲକ୍ଷଣ ଜାଣିବାର ସବୁଠାରୁ ସହଜ ଉପାୟ ହେଉଛି FAST
F- Facial Weakness- କଥା କହିବା ବେଳେ ପାଟି ଖନି ମାରିଥାଏ କିମ୍ବା କଥା ପରିଷ୍କାର ହୋଇନଥାଏ
A- Arm Weakness- ହାତ ଦୁର୍ବଳ ଲାଗେ କିମ୍ବା ହାତ ବଧିରା ହୋଇଯାଏ
S- Speech Problem- ଠିକ୍ ଭାବରେ କହି ହୁଏ ନାହିଁ
T- Time –ସମୟ ନଷ୍ଟ ନକରି ତୁରନ୍ତ ଡାକ୍ତରଙ୍କ ପରାର୍ମଶ ନେବା ଉଚିତ୍ ଏହା ବ୍ୟତୀତ ମୁଣ୍ଡବ୍ୟଥା ହେଲେ, ହଠାତ୍ ମୁଣ୍ଡ ବୁଲେଇ ହେଲେ, ଆଖି ଆଗରେ ଅନ୍ଧାର ଦେଖା ଦେଲେ ଧୀରେ ଧୀରେ ସ୍ମରଣଶକ୍ତି କମିଗଲେ ବା ଅପସ୍ମାର ବାତ ମାରିଲେ ଏହା ବ୍ରେନଷ୍ଟ୍ରୋକ୍ର ଲକ୍ଷଣ ହୋଇପରେ।
ଡାକ୍ତରୀ ପରୀକ୍ଷା
ବ୍ରେନଷ୍ଟ୍ରୋକ୍ ହେଲେ ଆଦୌ ସମୟ ନଷ୍ଟ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସିଟିସ୍କାନ ଏବଂ ଆବଶ୍ୟକ ହେଲେ ଏମ୍ଆର୍ଆଇ ସ୍କାନ କରିବାକୁ ପଡ଼ିଥାଏ। ଏହା ଦ୍ୱାରା ମସ୍ତିସ୍କ ଭିତରେ କେଉଁ ସ୍ଥାନରେ ସମସ୍ୟା ହେଇଛି ଏବଂ ଏହା କେଉଁ ପ୍ରକାରର ଷ୍ଟ୍ରୋକ୍ ତାହା ଜଣାପଡ଼ିଥାଏ। ଏହା ବ୍ୟତୀତ ଚିକିତ୍ସା ଆରମ୍ଭ କରିବା ପାଇଁ କିଛି ରକ୍ତ ପରୀକ୍ଷା କରିବା ସହିତ କିଡ୍ନୀ ଓ ଲିଭର ପରୀକ୍ଷା, ରକ୍ତଶର୍କରା, ଲିପିଡ୍ପ୍ରୋଫାଇଲ ଇତ୍ୟାଦି କରିବାକୁ ପଡ଼ିଥାଏ।
ଚିକିତ୍ସା ପଦ୍ଧତି
ବ୍ରେନଷ୍ଟ୍ରୋକ୍ ହେବାର ପ୍ରଥମ ସାଢ଼େ ୪ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ସଠିକ୍ ଚିକିତ୍ସା ଆରମ୍ଭ କଲେ ସଫଳତା ମିଳିଥାଏ। ଏହି ସମୟରେ ଇସ୍କେମିକ୍ ଷ୍ଟ୍ରୋକ୍ ପାଇଁ ସାଧାରଣତଃ ଥ୍ରମ୍ବୋଲାୟସିସ୍ ସାହାଯ୍ୟରେ ଚିକିତ୍ସା ଆରମ୍ଭ କରାଯାଇଥାଏ। ଏହି ଚିକିତ୍ସା ପଦ୍ଧତିରେ ମସ୍ତିସ୍କ ଭିତରେ ରକ୍ତ ପ୍ରଭାବରେ କୌଣସି ବାଧା ସୃଷ୍ଟି ହୋଇଥିଲେ ଇନ୍ଞ୍ଜେକସନ୍ ସାହାଯ୍ୟରେ ବ୍ଲକେଜ ପରିସ୍କାର କରାଯାଇଥାଏ। ଠିକ୍ ସେହିପରି ମସ୍ତିସ୍କ ଭିତରେ ହେମୋରେଜିକ୍ ଷ୍ଟ୍ରୋକ୍ ହୋଇଥିଲେ ସ୍ନାୟୁଶଲ୍ୟ ବିଭାଗ ଥିବା ମେଡିକାଲରେ ଚିକିତ୍ସା କରାଇବା ଉଚିତ୍। ବ୍ରେନଷ୍ଟ୍ରୋକ୍ ହେବା ପରେ ପ୍ରତି ସେକେଣ୍ଡ ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସମୟରେ ଆଦୌ ସମୟ ନଷ୍ଟ କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ କରନ୍ତୁ। ବ୍ରେନଷ୍ଟ୍ରୋକ୍ ଭଳି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଏକ ପାଖ କିମ୍ବା ଦୁଇ ପାଖ ହାତଗୋଡ଼ର ବଳ କମିଯାଇ ଥାଏ। ସେଥିପାଇଁ ଏହି ରୋଗୀମାନଙ୍କୁ ନିୟମିତ ଫିଜିଓଥେରାପି ଚିକିତ୍ସା କରାଇବାର ଆବଶ୍ୟକ ରହିଛି। ପରିବାର ଲୋକମାନେ ଫିଜିଓଥେରାପି ବ୍ୟାୟାମକୁ ଶିଖି ନିୟମିତ ରୋଗୀଙ୍କ ଠାରେ କରିବା ଫଳରେ ଅନେକ ସୁଫଳ ମିଳିଥାଏ।
ପ୍ରତିକାର
୧. ମଧୁମେହ, ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରରଲ ନିୟମିତ ପରୀକ୍ଷା କରନ୍ତୁ ଏବଂ ନିୟନ୍ତ୍ରଣ କରନ୍ତୁ
୨. ଡାକ୍ତର ଲେଖିଥିବା ଔଷଧକୁ ନିୟମିତ ସେବନ କରନ୍ତୁ
୩. ନିୟମିତ ବ୍ୟାୟାମ କରନ୍ତୁ
୪. ଖାଇବା ବେଳେ ଅଧିକ ସବୁଜ ପନିପରିବା ଓ ଫଳ ଖାଆନ୍ତୁ
୫. ଅଧିକ ତେଲ ମସଲା ଯୁକ୍ତଖାଦ୍ୟ ଓ ଫାଷ୍ଟଫୁଡ୍ ଖାଆନ୍ତୁ ନାହିଁ
୬. ତମାଖୁ ସେବନ, ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ
ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା
ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ
କେୟାର ହସ୍ପିଟାଲ, ଭୁବନେଶ୍ୱର
ଫୋନ୍: ୦୬୭୪-୬୧୬୫୬୫୬