ମେଷ ରାଶିରୁ ଯାଇ ସୂର୍ଯ୍ୟ ଯେଉଁ ଦିନ ବୃଷ ରାଶିରେ ଅବସ୍ଥାନ କରନ୍ତି, ସେହିଦିନର ସଂକ୍ରାନ୍ତି ହେଉଛି, ବୃଷ ସଂକ୍ରାନ୍ତି। ଅନେକ ଦୃଷ୍ଟିରୁ ଏହି ସଂକ୍ରାନ୍ତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କାରଣ, ଏହିଦିନ ସୂର୍ଯ୍ୟଙ୍କ ସହିତ ଦେବଦେବ ମହାଦେବଙ୍କୁ ‘ଋଷଭରୁଦ୍ର’, ‘ବୃଷଧ୍ୱଜ’ ଓ ‘ବୃଷଭାଙ୍କ’ ନାମରେ ପୂଜା କରାଯାଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂପର୍କରେ ଏକ ସୁନ୍ଦର କଥା ପୁରାଣରେ ବର୍ଣ୍ଣିତ ଅଛି। ବ୍ରହ୍ମାଙ୍କ ଆଜ୍ଞାରେ ଯେତେବେଳେ ଦକ୍ଷ ପ୍ରଜାପତି ପ୍ରଜା ସୃଷ୍ଟି କରିବାକୁ ଗଲେ, ପ୍ରଥମେ ସେ ପ୍ରଜାମାନଙ୍କର ଆଜୀବିକା କଥା ଚିନ୍ତାକରି ଅମୃତ ପାନ କଲେ। ସେହି ଅମୃତପାନରେ ସଂପୂର୍ଣ୍ଣ ତୃପ୍ତ ହେବାରୁ ତାଙ୍କ ମୁଖରୁ ଏକ ସୁଗନ୍ଧ ବାହାରିଲା। ସେହି ସୁଗନ୍ଧରୁ ସୁରଭି ନାମକ ଗୋମାତା ପ୍ରକଟ ହେଲେ ଏବଂ ତାଙ୍କଠାରୁ ପର୍ଯ୍ୟାୟକ୍ରମେ ଅନେକ ସ୍ୱର୍ଣ୍ଣକାନ୍ତିଯୁକ୍ତ ଗାଈ ଓ ବତ୍ସାମାନ ଜାତ ହେଲେ। ବତ୍ସାମାନେ ଗାଈମାନଙ୍କର ସ୍ତନରୁ ପର୍ଯ୍ୟାପ୍ତ ପରିମାଣରେ ଝରୁଥିବା କ୍ଷୀର ପାନ କରିବାରେ ଲାଗିଲେ। ସେହି ସମୟରେ ପୃଥିବୀ ଉପରେ ଠିଆହୋଇଥିବା ଶିବଙ୍କ ଦେହରେ କିଛି ଦୁଧଫେଣ ଛିଟିକି ପଡ଼ିଲା। ତାହା ଶିବଙ୍କୁ ଅତ୍ୟନ୍ତ କ୍ରୋଧିତ କଲା। ତାହାଙ୍କର କ୍ରୋଧ ଦେଖି ଗାଈମାନେ ଯାଇ ଚନ୍ଦ୍ରଙ୍କ ପଛରେ ଲୁଚିବାରେ ଲାଗିଲେ। ସେମାନଙ୍କର ଦୁର୍ଦ୍ଦଶା ଦେଖି ଦକ୍ଷପ୍ରଜାପତି ଶିବଙ୍କ ସମ୍ମୁଖରେ ଆସି ନତଜାନୁ ହୋଇ କହିଲେ- ଆପଣ କ୍ରୋଧ ସମ୍ବରଣ କରନ୍ତୁ। ଆପଣଙ୍କ ଉପରେ ଯେଉଁ ଫେଣ ଛିଟିକି ପଡ଼ିଛି, ତାହା ଅମୃତ ସମାନ। କାରଣ, ଗାଈର କ୍ଷୀର ବତ୍ସା ପିଇଲେ ତାହାକୁ ସଂସାର ପିଏ। ତାହା କେବେ ଅଇଁଠା ହୁଏ ନାହିଁ। ଯେପରି ବାୟୁ, ଅଗ୍ନି, ସୁବର୍ଣ୍ଣ, ସମୁଦ୍ର ଓ ଅମୃତ କେବେ ଉଚ୍ଛିଷ୍ଟ ହୁଅନ୍ତି ନାହିଁ, ସେହିପରି କ୍ଷୀର। ଏହା ମା’ ସ୍ତନରୁ ଝରୁଥିବା ଅମୃତ।
ଏହା କହି ଦକ୍ଷ ପ୍ରଜାପତି ଦେବଙ୍କର ସେବା ଲାଗି ଅନେକ ଗାଈ ଓ ଗୋଟିଏ ବୃଷଭ ଶିବଙ୍କୁ ପ୍ରଦାନ କଲେ। ଶିବ ସନ୍ତୁଷ୍ଟ ହୋଇ ଗାଈମାନଙ୍କ ସଙ୍ଗରେ ରହିଲେ ଏବଂ ବୃଷଭକୁ ନିଜର ବାହନ କଲେ। ଏପରିକି ତାଙ୍କର ଧ୍ୱଜରେ ବୃଷଭଙ୍କ ଆକୃତି ଦେଲେ। ଦେବତାମାନେ ଶିବଙ୍କୁ ‘ପଶୁପତି’ ଭାବରେ ଅଭିଷିକ୍ତ କରିବା ସହିତ ତାଙ୍କୁ ‘ବୃଷଭାଙ୍କ’ ଭାବରେ ଅର୍ଚ୍ଚନା କଲେ।
ଶିବଙ୍କ ସହିତ ବୃଷଭ ସର୍ବଦା ସଂଯୁକ୍ତ ହୋଇ ରହିଥାନ୍ତି। ଏହି ସଂକ୍ରାନ୍ତି ଦିନ ବୃଷଭଙ୍କ ସହିତ ଶିବଙ୍କୁ ପୂଜା କଲେ ଏବଂ ଜଳଘଟ ସହିତ ଗୋଦାନ କଲେ, ପ୍ରାଣୀକୁ ଶିବଲୋକରେ ସ୍ଥାନ ମିଳିଥାଏ।
ଡକ୍ଟର ତୁଳସୀ ଓଝା