ବୟସ୍କଙ୍କ ପାଇଁ ସତର୍କତା

ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ

କୋଭିଡ୍‌ର ସଂକ୍ରମଣ ବୟସ୍କ ଲୋକଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଦେଇଥାଏ। ଯଦି ୨୦ରୁ ୩୯ ବୟସର ଲୋକଙ୍କ ସହିତ ତୁଳନା କରିବା ତାହେଲେ ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ଏହା ଦୁଇ ଗୁଣରୁ ଅଧିକ ଆକ୍ରାନ୍ତ କରିଥାଏ ଏବଂ ୪ ଗୁଣରୁ ଅଧିକ ମୃତ୍ୟୁର ଆାଶଙ୍କା ଥାଏ। ଯଦି ଏହାକୁ ୬୦ରୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଠାରେ ଦେଖିବା ତାହେଲେ ଏହା ୪ ଗୁଣରୁ ଅଧିକ ଆକ୍ରାନ୍ତ କରେ ଓ ମୃତ୍ୟୁ ସଂଖ୍ୟା ୧୬ଗୁଣ ଅଧିକ ହୁଏ। ବୟସ ଅନୁସାରେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ। ଦେହର ବିଭିନ୍ନ ଅଙ୍ଗଗୁଡିକ ଦୁର୍ବଳ ରହିଥାଏ। ମଧୁମେହ, ରକ୍ତଚାପ, ହୃଦ୍‌ରୋଗ ସମସ୍ୟା ଭଳି ଅନେକ ରୋଗ ଯୋଗୁଁ କରୋନା ପ୍ରଭାବ ଅଧିକ ମାତ୍ରାରେ ବଢିଯାଏ। ବୟସ୍କ ଲୋକ ଯଦି କରୋନାରେ ସଂକ୍ରମିତ ହୁଅନ୍ତି ତାହେଲେ ସେମାନଙ୍କ କ୍ଷେତ୍ରରେ ଆଇସିୟୁ ଓ ଭେଣ୍ଟିଲେଟରର ଆବଶ୍ୟକତା ଅଧିକ ରୁହ‌େ ଏବଂ ସେମାନଙ୍କର ମଲ୍ଟି ଅର୍ଗାନ ଫେଲୁଓରର ସମ୍ଭାବନା ଅଧିକ ରହିଥାଏ। ତେଣୁ ସେମାନଙ୍କ ‌ଶରୀରରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯଦି ରିପୋର୍ଟ ପଜିଟିଭ୍‌ ଆସିଥାଏ ତାହଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗୃହସଙ୍ଗରୋଧ(ହୋମ ଆଇସୋଲେସନ୍‌) ଅଥବା ହସ୍ପିଟାଲରେ ଭର୍ତ୍ତି ହୁଅନ୍ତୁ। ଯଦି ଗୃହ ସଙ୍ଗରୋଧରେ ରହୁଛନ୍ତି ତାହେଲେ, ନିଜର ଅକ୍ସିଜେନ ମାତ୍ରା କେତେ ରହିଛି ତାକୁ ତିନି ଥର ମାପନ୍ତୁ, ସମୟ ଅନୁସାରେ ଜ୍ବର ଆସୁଛି ନା ନାହିଁ ତାକୁ ମାପନ୍ତୁ, କୌଣସି ପ୍ରକାର ନିଶ୍ବାସପ୍ରଶ୍ବାସରେ ଅସୁବିଧା ହେଉଛି ନା ନାହିଁ ସେ ସଂପର୍କରେ ପରିବାର ଲୋକଙ୍କୁ ଠିକ୍‌ ସୂଚନା ଦିଅନ୍ତୁ, ଆଦୌ ଲୁଚାନ୍ତୁନି। କୌଣସି ଅସୁବିଧା ହେଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାନ୍ତୁ।

ବୟସ୍କମାନେ କୌଣସି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ। ଘରୁ ବାହାରିଲେ ଫେସ୍‌ ମାସ୍କ, ସାନିଟାଇଜର ବ୍ୟବହାର କରନ୍ତୁ। ଯଦି ପରିବାର କାହା ପାଖରେ କରୋନା ଲକ୍ଷଣ ଓ ଚିହ୍ନଟ ହୋଇଥାଏ ତେବେ ତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ। ନିଜର ନିତ୍ୟ ବ୍ୟବହାର୍ଯ୍ୟ ଔଷଧ ଠିକ୍ ସମୟରେ ଖାଆନ୍ତୁ। ଯଦି ମଧୁମେହ ବା ଉଚ୍ଚରକ୍ତଚାପ ଅଛି ତା’ହେଲେ ନିୟମିତ ଭାବେ ତାର ପରୀକ୍ଷା କରାନ୍ତୁ। କୌଣସି ପ୍ରକାର ନିଶାଦ୍ରବ୍ୟ, ମଦ୍ୟପାନ, ଧୂମ ପାନଠାରୁ ଦୂରେଇ ରହନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ ଓ ପ୍ରତିଦିନ ବ୍ୟାୟାମ କରନ୍ତୁ। ଏଭଳି ସମୟରେ ପରିବାବର୍ଗ ଚିନ୍ତିତ ନହୋଇ ମାନସିକ ସ୍ତରରେ ତାଙ୍କ ମନୋବଳକୁ ବୃଦ୍ଧି କରାଇବା ପାଇଁ ଚେଷ୍ଟା କରନ୍ତୁ। ତା’ସହିତ କିପରି ଭଲ ଓ ତୁରନ୍ତ ଚିକିତ୍ସା ସୁବିଧା ମିଳିପାରିବ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

‘ସ୍ବାସ୍ଥ୍ୟ ସମ୍ବାଦ’କୁ ନେଇ ଆପଣଙ୍କର କୌଣସି ପରାମର୍ଶ ଥିଲେ କିମ୍ବା କରୋନା ସମ୍ପର୍କିତ କୌଣସି ନିର୍ଦ୍ଦିଷ୍ଟ ପ୍ରଶ୍ନ ଥିଲେ ଯେଉଁ ଡାକ୍ତରଙ୍କ ଠାରୁ ଉତ୍ତର ପାଇବାକୁ ଚାହୁଁଛନ୍ତି ତାଙ୍କ ନାଁ ସହ ଆପଣଙ୍କ ପ୍ରଶ୍ନ ଲେଖି ଆମକୁ ଇ-ମେଲ୍‌ ([email protected]) ଅଥବା ହ୍ବାଟସ୍‌ ଆପ୍‌ (9437175360) କରନ୍ତୁ।

ସମ୍ବନ୍ଧିତ ଖବର