ନୃସିଂହ ଦାସ ସୁତ ଦୀନକୃଷ୍ଣ ଦାସଙ୍କ ରଚିତ ‘ମାଘମାହାତ୍ମ୍ୟ’ର ଦଶମ ଅଧ୍ୟାୟରେ ଗୋଟିଏ ରୋଚକ ଉପାଖ୍ୟାନ ଅଛି। ତାହା ହେଉଛି, ଚଣ୍ଡାଳ-ଚନ୍ଦ୍ରକେଶରୀ ବୃତ୍ତାନ୍ତ। ଶ୍ରୀକୃଷ୍ଣ-ଉଦ୍ଧବ କଥୋପକଥନ ମାଧ୍ୟମରେ ସେହି ବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ତାହା ଅନୁସାରେ- ତ୍ରେତୟା ଯୁଗରେ କୃତାନ୍ତପୁରରେ ଥିଲେ କୃତକେଶରୀ ନାମକ ଜଣେ ରାଜା। ସେ ଅପୁତ୍ରକ ଥିବାରୁ ମନ ଦୁଃଖରେ ଦିନ ବିତାଉଥିଲେ।
ସେହି ନଗ୍ରରେ ଥିଲା ଗୋଟିଏ ଚଣ୍ଡାଳ। ସେ ନଦୀତଟର ତେନ୍ତୁଳି ଗଛ ମୂଳରେ ଥାଏ ଏବଂ ନାନା ଅଭକ୍ଷ ଦ୍ରବ୍ୟ ଖାଏ। ଏପରିକି ଗୋ ମାଂସ ବି ପୋଡ଼ି, ସିଝାଇ ଖାଏ।
କିନ୍ତୁ ସେହି ଚଣ୍ଡାଳର ଗୋଟିଏ ଭଲ ସ୍ୱଭାବ ଥିଲା। ସେ ଭୋରରୁ ଉଠେ। ପୁଣ୍ୟବନ୍ତ ଲୋକେ ମାଘସ୍ନାନ ପାଇଁ ସେହି ବାଟେ ଯାଉଥିବାରୁ, ତାଙ୍କ ବାଟକୁ ପରିଷ୍କାର କରି ଓଳାଇ ଦିଏ। ସେମାନେ ସ୍ନାନ ସାରି ଫେରିବା ବେଳେ ସେମାନଙ୍କୁ ଶୀତହେବ ଭାବି ସ୍ଥାନେ ସ୍ଥାନେ ନିଆଁ ଜଳାଇ ରଖେ।
କିଛି କାଳ ପରେ ଚଣ୍ଡାଳର ମୃତ୍ୟୁ ହେଲା। ଯମଦୂତମାନେ ତାକୁ ନେଇ ଯମରାଜଙ୍କ ନିକଟରେ ହାଜର କଲେ। ଚିତ୍ରଗୁପ୍ତ ପାଞ୍ଜି ଦେଖି ଯମରାଜଙ୍କୁ କହିଲେ- ଇଏ ଚଣ୍ଡାଳଟିଏ। ଦୁଃଖରେ ଦିନ କାଟେ। ଭକ୍ଷ ଅଭକ୍ଷ ଖାଏ। କିନ୍ତୁ ଏ ଗୋଟିଏ ଭଲ କାମ କରେ। ମାଘ ମାସରେ ମାଘସ୍ନାନକାରୀଙ୍କର ପଥ ଓଳାଇ ପରିଷ୍କାର କରେ ଏବଂ ସେମାନଙ୍କୁ ଶୀତରୁ ରକ୍ଷା କରିବାପାଇଁ ପଥଧାରରେ ନିଆଁ ଜଳାଇରଖେ। ଏଣୁ ଆପଣ ଏହାର ପାପପୁଣ୍ୟର ବିଚାର କରନ୍ତୁ।
ତାହା ଶୁଣି ଯମରାଜ କହିଲେ- ମାଘସ୍ନାନକାରୀଙ୍କର ପଥ ଓଳାଇ ପରିଷ୍କାର କରୁଥିବାରୁ ଏ ଅନେକ ପୁଣ୍ୟ ଅର୍ଜିଛି। ପୁଣି, ସେମାନଙ୍କ ପାଇଁ ନିଆଁ ଜାଳିଛି। କିନ୍ତୁ ଚଣ୍ଡାଳର ନିଆଁ ପୁଆଁଇଲେ ଲୋକେ କାଳେ ଉପହାସ କରିବେ, ଏହା ଭାବି ସେମାନେ ନିଆଁ ନ ପୁଆଁଇବାରୁ, ସେମାନଙ୍କର ଅଧେ ପୁଣ୍ୟ ଏ ପାଇଛି। ଏଣୁ ସେହି ପୁଣ୍ୟବଳରେ ଏ ଅପୁତ୍ରକ ରାଜାଙ୍କର ପୁତ୍ର ରୂପେ ଜାତ ହେବ ଏବଂ ରାଜ୍ୟରେ ରାଜା ହେବ।
ସେହି ଅନୁସାରେ, ସେହି ଚଣ୍ଡାଳ କୃତାନ୍ତପୁରରେ କୃତକେଶରୀ ରାଜାଙ୍କର ପୁତ୍ର ରୂପେ ଜାତ ହେଲା। ସେହି ଜନ୍ମରେ ତା’ର ନାମ ହେଲା ଚନ୍ଦ୍ରକେଶରୀ। ଚନ୍ଦ୍ରକେଶରୀ ସୁଖରେ ପ୍ରଜା ପାଳିଲେ। ବିଷ୍ଣୁଙ୍କୁ ଭକ୍ତି କରି ଓ ଧର୍ମକର୍ମରେ ମନ ଦେଇ, ପରଲୋକରେ ସ୍ୱର୍ଗଲୋକରେ ସ୍ଥାନ ପାଇଲେ।