ଚତୁର୍ମାସ୍ୟା ଗୁରୁବାର

ମାର୍ଗଶିର ହେଉଛି ଶ୍ରେଷ୍ଠମାସ। କାରଣ ସ୍ୱୟଂ ଶ୍ରୀକୃଷ୍ଣ ‘ଗୀତା’ରେ କହିଛନ୍ତି- ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର। ଏହି ମାସ ମଧ୍ୟ ‘ଲକ୍ଷ୍ମୀଙ୍କ ମାସ’। କାରଣ, ମାର୍ଗଶିର ମାସର ଗୁରୁବାରଗୁଡ଼ିକ ଲକ୍ଷ୍ମୀପୂଜାପାଇଁ ପ୍ରଶସ୍ତ। ଘରେ ଘରେ ଏହି ମାସରେ ମାଣ ବସାଯାଇ ଦେବୀ ଲକ୍ଷ୍ମୀଙ୍କର ପୂଜା କରାଯାଏ।

କିନ୍ତୁ ଶ୍ରାବଣ, ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକ- ଏହି ଚାରିମାସର ଗୁରୁବାରଗୁଡ଼ିକରେ ମଧ୍ୟ କେତେକ ଅଞ୍ଚଳରେ ଲକ୍ଷ୍ମୀପୂଜା କରାଯିବାର ପ୍ରଥା ଅଛି। ‘ଚତୁର୍ମାସ୍ୟା ଗୁରୁବାର’ ନାମରେ କେତୋଟି ପୋଥି ମଧ୍ୟ ରହିଛି। ସେଥିରେ ଲକ୍ଷ୍ମୀ-ନାରାୟଣଙ୍କର ପୂଜାର ବିଧାନ ବର୍ଣ୍ଣିତ ହୋଇଥିଲେ ମଧ୍ୟ, ଲକ୍ଷ୍ମୀ ଏହି ଓଷାକଥାର ଦେବୀ।

ମାର୍ଗଶିର ମାସର ଲକ୍ଷ୍ମୀପୂଜାରେ ଅଛି ‘ଶ୍ରୀୟା’ ଚଣ୍ଡାଳୁଣୀ ଉପାଖ୍ୟାନ। କିନ୍ତୁ ଏହି ‘ଚତୁର୍ମାସ୍ୟା ଗୁରୁବାର’ ପୋଥିରେ ବର୍ଣ୍ଣିତ ଓଷାକଥାରେ ଅଛି ‘ଚେତି’ ନାମ୍ନୀ ଏକ ମାଲୁଣୀର କାହାଣୀ।
ଚେତି ମାଲୁଣୀ ଭୋରରୁ ଉଠି, ଘରଦ୍ୱାର ଲିପାପୋଛା ସାରି, ସ୍ନାନାଦି କରି ଶୁଚିମନ୍ତ ହୋଇ, ଲକ୍ଷ୍ମୀ-ନାରାୟଣଙ୍କର ପୂଜା କରେ। ସାଧବାଣୀ ତାର ସଙ୍ଗାତ। ପୂଜା ସରିବା ପରେ ସଙ୍ଗାତ ଘରକୁ ଫୁଲ ଓ ପ୍ରସାଦ ଦେବାକୁ ଯାଇ ଦେଖେ ତ କେଉଁ ଗୁରୁବାରରେ ସାଧବାଣୀ ଶୁଖୁଆ ପୋଡ଼ି ପଖାଳ ଖାଉଛି ତ ଆଉ କେଉଁ ଗୁରୁବାରରେ ମାଛ କାଟୁଛି। ପୁଣି ଅନ୍ୟ ପାଳିଗୁଡ଼ିକରେ ବି ସେମିତି, ବାଳ ମୁକୁଳା କରିଛି ବା ଛାଞ୍ଚୁଣି ଉପରେ ବସିଛି।

କିନ୍ତୁ ଚେତି ମାଲୁଣୀ ଦେଖି ଆଶ୍ଚର୍ଯ୍ୟ ହୁଏ ଯେ ସେ ନିଜେ ନିଷ୍ଠାର ସହ ପୂଜା କଲେ ମଧ୍ୟ ମହାଲକ୍ଷ୍ମୀ ତା’ ଘରେ ବିଜେ ନହୋଇ ସାଧବାଣୀ ଘରେ ବିଜେ କରୁଛନ୍ତି। ତାହା ଦେଖି ତାର ମନ ଦୁଃଖ ହୁଏ। ଫଳରେ ଦେବୀ ତାକୁ ଦର୍ଶନ ଦେଇ କହନ୍ତି- ସାଧବାଣୀ ପୂର୍ବଜନ୍ମର ପୁଣ୍ୟ ଏ ଜନ୍ମରେ ଭୋଗ କରୁଛି। ଏ ଜନ୍ମର ଅନାଚାର ପାଇଁ ସେ ପରଜନ୍ମରେ ଶବରୁଣୀ ହୋଇ ଜନ୍ମ ନେବ। ଚେତି ମାଲୁଣୀ ପରଜନ୍ମରେ ସାଧବାଣୀ ହୋଇ ରାଣୀ ହେବ।

ସେହି ଅନୁସାରେ, ଚେତି ମାଲୁଣୀ ପରଜନ୍ମରେ ସାଧବାଣୀ ହୋଇ ରାଣୀ ହେଲା ଏବଂ ସାଧବାଣୀ ଶବରୁଣୀ ଭାବେ ଜନ୍ମ ନେଲା।

ଏଣୁ ଏହି ‘ଚତୁର୍ମାସ୍ୟା ଗୁରୁବାର’ ଓଷାକଥାରେ ଲକ୍ଷ୍ମୀପୂଜାର ସୁଫଳ କଥା କୁହାଯିବା ସହିତ, ପୂର୍ବ ଜନ୍ମର ପାପ ବା ପୁଣ୍ୟର ଫଳ ଏ ଜନ୍ମରେ ଏବଂ ଏ ଜନ୍ମର ପାପ ବା ପୁଣ୍ୟର ଫଳ ପର ଜନ୍ମରେ ଭୋଗ ହୁଏ ବୋଲି ଆମକୁ କୁହାଯାଇଛି।

ସମ୍ବନ୍ଧିତ ଖବର