ଶୀତଦିନରେ ଶିଶୁଙ୍କ ରୋଗ ଓ ତା’ର ଚିକିତ୍ସା

ଡାକ୍ତର ଦିଲ୍ଲୀପ ଦାସ

କରୋନା ସଂକ୍ରମଣର ହାର ଟିକିଏ ହ୍ରାସ ପାଇବା ଦ୍ବାରା ଆମେ କିଛିଟା ଆଶ୍ବସ୍ତ ହୋଇଛୁ ସତ ହେଲେ ଶୀତର ପ୍ରକୋପ ଆମକୁ କିଛିଟା ସମସ୍ୟାରେ ପକାଇଛି। ଶୀତ ଋତୁ ସମୟରେ ଶିଶୁମାନଙ୍କ କ୍ଷେତ୍ରରେ କିଛି ରୋଗ ପ୍ରମୁଖ ସମସ୍ୟା ରୂପେ ଦେଖାଯାଏ। ଏହି ସମୟରେ ସାଧାରଣ ଥଣ୍ଡା-କାଶ, ବ୍ରୋଙ୍କିଓଲାଇଟିସ୍‌, ନିମୋନିଆ, ଫାରିଞ୍ଜାଇଟିସ୍‌, ଟନ୍ସିଲାଇଟିସ୍, ଆଜମା, ଲହରାକାଶ, ଇନଫ୍ଲୁଏଞ୍ଜା, ଭାଇରାଲ୍ ଡାଇରିଆ ଓ ଚର୍ମରୋଗ ଇତ୍ୟାଦି ହେବାର ଆଶଙ୍କା ରହିଥାଏ। ସାଧାରଣ ଥଣ୍ଡା ଏବଂ ଇନ୍‌ଫ୍ଲୁଏନ୍‌ଜାର ଲକ୍ଷଣ ଗୁଡ଼ିକ ହେଲା ନାକରୁ ପାଣି ବାହାରିବା, କାଶ ହେବା, ଦେହ ଗୋଡ଼ହାତ ଓ ମୁଣ୍ଡ ବିନ୍ଧା, ଜ୍ବର ହେବା। ଏହା ୫ରୁ ୭ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ଏହା ଭୂତାଣୁଜନିତ ହୋଇଥିବାରୁ ଆଣ୍ଟିବାୟୋଟିକ୍‌ର ଏହି ରୋଗରେ ଦରକାର ପଡ଼ିନଥାଏ। ବହୁକ୍ଷେତ୍ରରେ ଏହି ଲକ୍ଷଣଗୁଡ଼ିକର ଚିକିତ୍ସା ପାଇଁ ପାରାସିଟାମଲ୍ ଓ ଆଣ୍ଟି ହିଷ୍ଟାମିନିକ୍‌ସ୍‌ ବ୍ୟବହାର କରାଯାଏ। ଏହି ସମୟରେ ପିଲାର ନାକ ବନ୍ଦ ହେଉଥିଲେ ନାଜାଲ ଡ୍ରପ୍‌ ସହ ଶିଶୁକୁ ଅଧିକ ‌ପାଣି ପିଇବାକୁ ଦେବା କଥା। ଇନ୍‌ଫ୍ଲୁଏନ୍‌ଜାର ଟିକା ପ୍ରତିବର୍ଷ ଶିଶୁକୁ ଦେବା ଜରୁରୀ। ବ୍ରୋଙ୍କିଓଲାଇଟିସ୍‌ ମଧ୍ୟ ଏକ ଭୂତାଣୁ ଜନିତ ରୋଗ। ଏଥିରେ ଶିଶୁର ଶ୍ବାସନଳୀ ପ୍ରଭାବିତ ହୋଇଥାଏ। ଏହା ୨ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ କ୍ଷେତ୍ରରେ ବେଶୀ ଦେଖାଯାଏ। ଏଥିରେ ନାକରୁ ପାଣି ବାହାରିବା, ଛିଙ୍କ, କାଶ ଓ ଅଳ୍ପ ଜ୍ବର ହୋଇଥାଏ। କିଛିକ୍ଷେତ୍ରରେ ନିଶ୍ବାସ ନେବାରେ ଅସୁବିଧା ମଧ୍ୟ ହୋଇପାରେ। ଏମିତି ହେଲେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପଡ଼ିପାରେ ଏବଂ ଅକ୍ସି‌ଜେନ ମଧ୍ୟ ଦରକାର ହୁଏ।

ପ୍ରିନିମୋନିଆ ଯେ କୌଣସି ସମୟରେ ପିଲାମାନଙ୍କୁ ହୋଇପାରେ। ଏହା ଉଭୟ ବ୍ୟାକ୍ଟେରିଆ ଏବଂ ଭାଇରସ୍‌ ଦ୍ବାର ହୋଇଥାଏ। ଶୀତଋତୁରେ ଏହାର ସଂକ୍ରମଣର ଆଶଙ୍କା ଅଧିକ ଥାଏ। ଏଥିରେ ଶିଶୁକୁ ବେଶୀ ମାତ୍ରାରେ ଜ୍ବର ହେବା, କାଶ ହେବା, ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ଏବଂ ତୀବ୍ରଗତିରେ ନିଶ୍ବାସ ନେବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏସବୁ ଲକ୍ଷଣ ଦେଖାଗ‌ଲେ ଯେତେଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ପିଲାଟିକୁ ଚିକିତ୍ସା କରିବା ଦରକାର। ଶିଶୁମାନଙ୍କୁ ନିମୋକୋକାଲ (ପିସିଭି) ଏବଂ ହିବ୍‌ ଟିକାକରଣ କରାଇବା ଜରୁରୀ ଯାହା ପିଲାମାନଙ୍କୁ ନିମୋନିଆରୁ ରକ୍ଷା କରେ। ସେହିପରି ପିଲାମାନଙ୍କ କ୍ଷେତ୍ରରେ ଟନ୍‌ସିଲ ଓ ଗଳା ସଂକ୍ରମଣ ଉଭୟ ବ୍ୟାକ୍ଟେରିଆ ଓ ଭୂତାଣୁ ଦ୍ବାରା ହୋଇଥାଏ। ନଖ ଉଷୁମ ପାଣି କୁଳି କରିବା, ସହ ଚିକିତ୍ସା କରିବା ଦରକାର। ଯଦି ୨-୩ ଦିନରେ ଭଲ ନହୁଏ ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାୟୋଟିକ୍‌ ଓ ଅନ୍ୟାନ୍ୟ ଚିକିତ୍ସା ଦ୍ବାରା ଏହି ରୋଗରୁ ମୁକ୍ତି ମିଳିଥାଏ। ଯେଉଁ ଶିଶୁମାନେ ଆଜମା ରୋଗରେ ଆକ୍ରାନ୍ତ, ଶୀତଦିନେ ସେମାନଙ୍କୁ ବେଶୀ ମାତ୍ରରେ ଏହି ରୋଗ ହେବାର ଆଶଙ୍କା ଥାଏ। ଏଥିପାଇଁ ଯେଉଁମାନେ ଇନ୍‌ହେଲର ବ୍ୟବହାର କରୁଛନ୍ତି, ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ନିୟମିତ ବ୍ୟବହାର କରିବା କଥା। ବେଶୀ ଅସୁବିଧା ହେଲେ ଚିକିତ୍ସାଳୟରେ ରହି ଚିକିତ୍ସିତ ହେବା ଦରକାର।

ପିଲାମାନଙ୍କ କ୍ଷେତ୍ରରେ ଶୀତଋତୁରେ ବହୁ ସମୟରେ ଭାଇରାଲ ଡାଇରିଆ ମଧ୍ୟ ହୋଇଥାଏ। ପତଳାଝାଡ଼ା ହେଲେ ଦେହରୁ ଜଳୀୟ ଅଂଶ କମିଯିବାର ଆଶଙ୍କା ଥାଏ। ଏହି ସମୟରେ ଶିଶୁମାନେ ଓଆରଏସ୍‌ ପିଇବା ସହିତ ଖାଦ୍ୟ ମଧ୍ୟ ଖାଇବା ଦରକାର। ଯଦି ଶିଶୁର ବହୁତ ଥର ପତଳାଝାଡ଼ା ହେଉଛି, ପରିସ୍ରା ହେଉନାହିଁ, ପିଲାଟି ‌ ଓଆରଏସ୍‌ ବା ପାଣି ପିଉନାହିଁ, ଶୋଇ ରହୁଛି ବା ସାଧାରଣ ଅବସ୍ଥାଠାରୁ କମ୍‌ ଖେଳାବୁଲା କରୁଛି, ଝାଡ଼ାରେ ରକ୍ତ ପଡ଼ୁଛି ତେବେ ଯେତେଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶିଶୁମାନଙ୍କୁ ରୋଟାଭାଇରସ୍‌ ଭ୍ୟାକ୍‌ସିନ ଦିଅନ୍ତୁ କାରଣ ଏହା ପିଲାମାନଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ। ଶୀତରେ ସମସ୍ତ ପ୍ରାଣୀ ପରି ଶିଶୁମାନଙ୍କ ଚର୍ମ ମଧ୍ୟ ଶୁଷ୍କ ହୋଇଯାଇଥାଏ। ଏହା ଦ୍ବାରା ବିଭିନ୍ନ ପ୍ରକାର ଚର୍ମରୋଗ ହେବାର ସମ୍ଭାବନା ବଢ଼ିଯାଏ। ଏହି ଦିନମାନଙ୍କରେ ଶିଶୁମାନଙ୍କୁ ନିୟମିତ ଭଲ ଭାବରେ ଗାଧୋଇ ଦିଅନ୍ତୁ ଓ ତା’ପରେ ଦେହରେ ଲୋସନ ଲଗାନ୍ତୁ। ଯଦ୍ବାରା ଆପଣଙ୍କ ଶିଶୁର ତ୍ବଚା ଓ ଚର୍ମ କୋମଳ ରହିବ।

ସମ୍ବନ୍ଧିତ ଖବର