ଆମ ଦେଶରେ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ କିଂବା ଅଧିକ ଉଚ୍ଚ ରକ୍ତଚାପରେ ପୀଡ଼ିତ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ, ଭାରତରେ ଯଦି ୫୦ ପ୍ରତିଶତ ଉଚ୍ଚ ରକ୍ତଚାପ ପୀଡ଼ିତ ନିଜ ରୋଗକୁ ନିୟନ୍ତ୍ରଣରେ ରଖିପାରିବେ ତେବେ ୨୦୪୦ ମସିହା ସୁଦ୍ଧା ଅତି କମ୍‌ରେ ୪.୬ ନିୟୁତ ଲୋକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ହେବ। ଏଥିସହିତ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଦେଶର ୨୧.୩ ପ୍ରତିଶତ ମହିଳା ଓ ୨୪ ପ୍ରତିଶତ ପୁରୁଷ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ। ବିଳମ୍ବରେ ରୋଗ ନିରୂପଣ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ନ ରଖିପାରିବା ହେତୁ ବହୁସଂଖ୍ୟକ ଆକ୍ରାନ୍ତ ହୃଦ୍‌ରୋଗ ଓ ମଧୁମେହର ଶିକାର ହୋଇ ପ୍ରାଣ ହରାଉଛନ୍ତି।

Advertisment

ଆସନ୍ତା ୧୭ ତାରିଖରେ ପାଳନ ହେବ ବିଶ୍ବ ହାଇପରଟେନ୍‌ସନ୍‌ ଦିବସ। ଏହି ଅବସରରେ ହାଇପରଟେନ୍‌ସନ୍‌ ବା ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ସଂପର୍କରେ ବିଶେଷଜ୍ଞ ଡାକ୍ତରଙ୍କ ମତାମତକୁ ନେଇ ବି‌େଶଷ ଉପସ୍ଥାପନା।

ବିଶେଷଜ୍ଞଙ୍କ ଅନୁସାରେ ରକ୍ତଚାପ ଦୁଇ ପ୍ରକାରର- ସିଷ୍ଟୋଲିକ୍ ବ୍ଲଡ୍‌ପ୍ରେସର୍ ଓ ଡାଇଷ୍ଟୋଲିକ୍ ବ୍ଲଡ୍‌ପ୍ରେସର୍। ଯେତେବେଳେ ହୃତ୍‌ପିଣ୍ଡରେ ରକ୍ତର ଚାପ ସ୍ବାଭାବିକଠାରୁ ଅଧିକ ହୋଇ ଧମନୀକୁ ଅଧିକ ବେଗରେ ପ୍ରବାହିତ ହୁଏ ତାହାକୁ ସିଷ୍ଟୋଲିକ୍ ବ୍ଲଡ୍‌ପ୍ରେସର୍‌ ଭାବେ ଅଭିହିତ କରାଯାଏ। ସେହିପରି ପ୍ରତି ସଂକୋଚନ ପରେ ହୃତ୍‌ପିଣ୍ଡ ସାମାନ୍ୟ ଶିଥିଳ ହୋଇଥାଏ। ଏହି ଅବସ୍ଥାରେ ଧମନୀରେ ରକ୍ତଚାପ ନ୍ୟୂନତମ ସୀମାରେ ପହଞ୍ଚିଥାଏ। ଏହାକୁ ଡାଇଷ୍ଟୋଲିକ୍ ବ୍ଲଡ୍‌ପ୍ରେସର୍‌ କହାଯାଇଥାଏ। ସିଷ୍ଟୋଲିକ୍ ରକ୍ତଚାପ ୧୩୦ ମିଲିମିଟର ମରକ୍ୟୁରି ଓ ଡାଇଷ୍ଟୋଲିକ୍ ରକ୍ତଚାପ ୮୫ ମିଲିମିଟର ମରକ୍ୟୁରିରୁ କମ୍ ହେଲେ ଏହାକୁ ସାମାନ୍ୟ ବୋଲି ବିଚାର କରାଯାଏ।

ଅବ୍ୟବସ୍ଥିତ ଜୀବନଶୈଳୀ ଉଚ୍ଚ ରକ୍ତଚାପର କାରଣ
ସାଧାରଣତଃ ରକ୍ତଚାପ ବୟସର ଅପରାହ୍‌ଣରେ ଦେଖାଯାଉଥିଲା। କିନ୍ତୁ ଆଜିକାଲି ଛୋଟଛୋଟ ସ୍କୁଲ୍ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ିଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଉଛି। ଓଡ଼ିଶାରେ ୨୫ରୁ ୩୦ ପ୍ରତିଶତ ପିଲାଙ୍କ ଶରୀରରେ ଉଚ୍ଚ ରକ୍ତଚାପ ଦେଖାଯାଉଛି। ଏହାର ମୂଳ କାରଣ ହେଲା, ଅବ୍ୟବସ୍ଥିତ ଜୀବନଶୈଳୀ ଓ ଖାଦ୍ୟପେୟ। ଏବେ ଅଧିକାଂଶ ପିଲା ସୋସିଆଲ୍ ମିଡିଆ, ଟିଭି, ମୋବାଇଲ୍‌ରେ ଅଧିକ ସମୟ ଅତିବାହିତ କରୁଛନ୍ତି। ଏହା ସହିତ ସେମାନେ ଫାଷ୍ଟ୍‌ଫୁଡ୍‌, ଛଣାଛଣି, ପିଜା ଓ ବର୍ଗର ଆଦି ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି, ଯେଉଁଥିରେ ଅଧିକ କ୍ୟାଲୋରି ରହୁଛି। ଧ୍ୟାନ ରଖିବା ଉଚିତ କି ଆମେ ଦୈନିକ ଖାଉଥିବା କ୍ୟାଲୋରିରୁ ୭୦ ପ୍ରତିଶତ କ୍ଷୟ କରିବାକୁ ପଡ଼ିବ। ଏଥିପାଇଁ ନିୟମିତ ବ୍ୟାୟାମ କରିବା ଦରକାର। ଆଜିକାଲି ଅଧିକାଂଶ ଲୋକ ଗୋଟିଏ ଜାଗାରେ ବସି କାମ କରିବାକୁ ପସନ୍ଦ କରୁଛନ୍ତି, ଯାହାଦ୍ବାରା ଶରୀରର ବ୍ୟାୟାମ ହୋଇପାରୁନାହିଁ। ଏହାଦ୍ବାରା ଆମର ମେଦ ବଢ଼ିବା ସହିତ ମାନସିକ ଚାପ ବଢ଼ିଥାଏ। ସେଥିପାଇଁ ଏକ ସୁସ୍ଥ ବାତାବରଣ ମଧ୍ୟରେ ଶିକ୍ଷା, ଖାଦ୍ୟପେୟ ଓ ଚାଲିଚଳନ ମଧ୍ୟରେ ସମନ୍ବୟ ଆଣିପାରିଲେ ଆମେ ଉଚ୍ଚ ରକ୍ତଚାପରୁ ରକ୍ଷା ପାଇପାରିବା।
ଡାକ୍ତର ବିଶ୍ବଜିତ୍‌ ମହାନ୍ତି, ମେଡିସିନ୍‌ କନ୍‌ସଲ୍‌ଟାଣ୍ଟ୍‌,
କ୍ୟାପିଟାଲ୍‌ ହସ୍‌ପିଟାଲ୍‌, ଭୁବନେଶ୍ବର

ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଗଲେ ନିୟନ୍ତ୍ରଣ ସମ୍ଭବ
ସାଧାରଣତଃ ଉଚ୍ଚ ରକ୍ତଚାପ ଦୁଇପ୍ରକାରର। ପ୍ରଥମଟି ହେଲା ପ୍ରାଇମେରି ହାଇପରଟେନ୍‌ସନ୍, ଯାହାର କାରଣ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ। ଦ୍ବିତୀୟ ପ୍ରକାରର ଉଚ୍ଚ ରକ୍ତଚାପକୁ ସେକେଣ୍ଡାରି ହାଇପରଟେନ୍‌ସନ୍ କହାଯାଏ। ହର୍ମୋନଜନିତ ସମସ୍ୟା, ଗର୍ଭାବସ୍ଥା, ଅଧିକ ଓଜନ କିମ୍ବା ମେଦବହୁଳତା, କିଡ୍‌ନି ସମସ୍ୟା, ବଂଶାନୁକ୍ରମିକତା, ଥାଇରଏଡ୍ ବିଶୃଙ୍ଖଳା, ନିଦ୍ରାହୀନତା, ଧୂମପାନ, ମଦ୍ୟପାନ କିମ୍ବା ଜୀବନଶୈଳୀଗତ ସମସ୍ୟା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। ପୂର୍ବରୁ ବୟସ୍କଙ୍କଠାରେ ଅଧିକ ଉଚ୍ଚ ରକ୍ତଚାପ ଦେଖାଯାଉଥିଲା। କିନ୍ତୁ ଏବେ ଯୁବପିଢ଼ିଙ୍କ ଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି। ସେଥିପାଇଁ ବୟସ ବଢ଼ିଲେ ରକ୍ତଚାପ ଜନିତ ସମସ୍ୟା ହୁଏ ବୋଲି ଆମେ ଭାବିବା ଅନୁଚିତ। ଯେକୌଣସି ବୟସରେ ଆପଣ ଉଚ୍ଚ ରକ୍ତଚାପର କବଳରେ ପଡ଼ିଯାଇପାରନ୍ତି। ଏଥିରୁ ମୁକୁଳିବାକୁ ହେଲେ ପ୍ରଥମରୁ ରୋଗକୁ ଚିହ୍ନିବା ଦରକାର। ପ୍ରଥମରୁ ରୋଗଟିକୁ ନ ଚିହ୍ନି ପାରିଲେ ଏହା ଧୀରେଧୀରେ ସମଗ୍ର ଶରୀରକୁ ଆକ୍ରମଣ କରିଥାଏ, ଯାହାଦ୍ବାରା ବ୍ରେନ୍‌‌ ଷ୍ଟ୍ରୋକ୍‌, ଯକୃତ୍‌ ସଂକ୍ରମଣ, ନାକରୁ ରକ୍ତପଡ଼ିବା, ମୁଣ୍ଡ ବିନ୍ଧିବା ଓ ମୁଣ୍ଡ ବୁଲାଇବା ଯୋଗୁଁ ପଡ଼ିଯିବା, ଛାତିରେ ଯନ୍ତ୍ରଣା ପରି ସମସ୍ୟା ଉତ୍ପନ୍ନ ହୋଇଥାଏ। ସେଥିପାଇଁ ଆମକୁ ପ୍ରଥମରୁ ଅବହେଳା ନ କରି ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଜରୁରି। ଶରୀରକୁ ଉପଯୁକ୍ତ ପରିମାଣର କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍ ଓ ନ୍ୟୁଟ୍ରିସନ୍ ଦରକାର। ସେଥିପାଇଁ ନିଜର ଜୀବନଶୈଳୀକୁ ଲକ୍ଷ୍ୟ କରି ଉପଯୁକ୍ତ ମାତ୍ରାର ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ଓ ଉଚିତ ସମୟରେ ରୋଗର ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଆବଶ୍ୟକ।
ଡାକ୍ତର ସନ୍ଦୀପ ମହାନ୍ତି, ହୃଦ୍‌ରୋଗ ବିଶେଷଜ୍ଞ,
କେୟାର୍‌ ହସ୍‌ପିଟାଲ୍‌, ଭୁବନେଶ୍ବର